ଜଟଣୀ: ଗଣେଶ ପୂଜା ପାଖେଇ ଆସିବା ସହିତ ପ୍ରସ୍ତୁତିରେ ଜଟଣୀ ସହର ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ସହରର ଛକ ଛକରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ବସିଲାଣି। ଗୋଟିଏ ପଟେ ମୂର୍ତ୍ତି ତିଆରିରେ କାରିଗର ବ୍ୟସ୍ତ ଥିବାବେଳେ ଅନ୍ୟପଟେ ପୂଜା ମଣ୍ଡପ ତିଆରି କରିବାରେ ସଂପୃକ୍ତ ସଂଘର କର୍ମକର୍ତ୍ତା ଲାଗି ପଡ଼ିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଜଟଣୀ ସହରରେ ବିଭିନ୍ନ ଗଣେଶ ପୂଜାମଣ୍ଡପରେ ଭିନ୍ନ ଭିନ୍ନ ପରମ୍ପରା ରହିଆସିଛି। ଉଦାହରଣସ୍ବରୂପ ଥାନାଛକ ବ୍ୟବସାୟୀ ସଂଘ ପକ୍ଷରୁ ହେଉଥିବା ପୂଜାରେ ଗଣେଶ ଚତୁର୍ଥୀ ଓ ଭସାଣିରେ ଦୁଇଦିନ ଧରି ନିକଟସ୍ଥ ଥାନାରୁ ଭୋଗ ସହ ସମସ୍ତ ପୂଜା ସାମଗ୍ରୀ ମଣ୍ଡପକୁ ଆସିଥାଏ। ଏଥିସହ ମଣ୍ଡପରେ ଥାନାର ଅଧିକାରୀ କର୍ତ୍ତା ହେବାକୁ ମଣ୍ଡପ କର୍ମକର୍ତ୍ତାମାନେ ଅନୁରୋଧ କରିବାର ପରମ୍ପରା ରହିଛି।

Advertisment

ଚଳିତବର୍ଷ ମଧ୍ୟ ଏହିଭଳି ପରମ୍ପରା ପାଳନ କରାଯିବ। ଏଠାକାର ଅନ୍ୟଏକ ବିଶେଷତ୍ୱ ହେଉଛି ଏଠାରେ ଗଜାନନଙ୍କ ନିକଟରେ ଲିଆ ଓ ଛେନାରେ ପ୍ରସ୍ତୁତ ଭୋଗ ଲାଗି ହୋଇଥାଏ। ଚଳିତବର୍ଷ ଏହି ପୂଜା ମଣ୍ଡପରେ ୪୫ଫୁଟ୍ ଉଚ୍ଚର ଆକର୍ଷଣୀୟ ତୋରଣ ହେବ। ନଟରାଜ ଆକୃତିରେ ତାହାକୁ ତିଆରି କରାହେଉଛି। ୧୨ଫୁଟ୍ ଉଚ୍ଚର ମୂର୍ତ୍ତି ତିଆରିରେ କୋଲକାତାରୁ ଆସିଥିବା କାରିଗରମାନେ ଲାଗି ପଡ଼ିଛନ୍ତି। ଆକର୍ଷଣୀୟ ତୋରଣ ନିର୍ମାଣର ଦାୟିତ୍ବ ନେଇଛନ୍ତି ଢେଙ୍କାନାଳର ଏକ କାରିଗର ଦଳ।  ପୂଜା ସମୟରେ ଏଠାରେ ୨-୩ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେଷଦିନ ସମସ୍ତ ଭକ୍ତଙ୍କ ପାଇଁ ଖେଚୁଡ଼ି ଭୋଗ ବଣ୍ଟାହେବ।  

‘‘ଜଟଣୀର ଥାନାଛକ ପୂଜାମଣ୍ଡପ ଏକ ନିଆରା ପୂଜା ମଣ୍ଡପ ଭାବେ ଜଣାଶୁଣା। ଏଠାରେ ସବୁବର୍ଗର ଲୋକ ମିଳିମିଶି ପୂଜା ପାଳନ କରିଥାନ୍ତି। ଚଳିତ ବର୍ଷର ତୋରଣ ହେଉଛି ମୁଖ୍ୟ ଆକର୍ଷଣ।’’

ରୋହିତାସ ଅଗ୍ରୱାଲ
ସଭାପତି, 
ଥାନା ଛକ ବ୍ୟବସାୟୀ ସଂଘ

‘‘ଭକ୍ତମାନେ କିଭଳି ସୁରୁଖୁରୁରେ ଦର୍ଶନ କରିପାରିବେ, ସେନେଇ ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ ପୂଜା ବହୁତ ଭଲହେବ ବୋଲି ଆଶା ରଖିଛୁ।’’ 

ଅନନ୍ତ ଶତପଥୀ
ସଂପାଦକ
ଥାନା ଛକ ବ୍ୟବସାୟୀ ସଂଘ