ଜଟଣୀ: ବ୍ରିଟିସ ଶାସନ ସମୟରେ ଜଟଣୀ ଏକ ରେଳ ଜଙ୍କସନ୍ ଭାବେ ବହୁତ ଗୁରୁତ୍ବ ବହନ କରୁଥିଲା। ବ୍ରିଟିସ୍ ଅଫିସରମାନେ ରେଳରେ ଆସି ଏହିଠାରେ ଓହ୍ଲାଉଥିଲେ ଓ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଉଥିଲେ। ମାଲ ପରିବହନ ପାଇଁ ମଧ୍ୟ ମୁଖ୍ୟତଃ ଏହି ଷ୍ଟେସନ ଉପରେ ନିର୍ଭର କରାଯାଉଥିଲା। ବେପାର ବାଣିଜ୍ୟ କାରଣରୁ ଖୁବ୍ କମ୍ ସମୟ ମଧ୍ୟରେ ଜଟଣୀକୁ ସାରା ଓଡ଼ିଶାର ଲୋକ ସମସ୍ତେ ଜାଣିଯାଇଥିଲେ। ତେବେ ଜଟଣୀର ଜନ୍ମ ଆହୁରି ପୁରୁଣା। କୁହାଯାଏ ପ୍ରାୟ ୨୦୦ ବର୍ଷ ବା ତା’ଠାରୁ ଆହୁରି ପୂର୍ବରୁ ଏଠାରେ ଜନବସତି ଆରମ୍ଭ ହୋଇଥିଲା। ଶୁଣାଯାଏ ନୂଆଗାଁରେ ସମୁଦାୟ ୩ଟି ଘର ଥିଲା। ସୀତାରାମ ଜୈନ, ପାତିଆ ସାହେବ ଓ ଦାତାରାମଙ୍କ ପରିବାର ସେଠାରେ ରହୁଥିଲେ। ସେହିଠାରୁ ଜଟଣୀ ବଢ଼ିବା ଆରମ୍ଭ ହୋଇଥିଲା। ଖୋର୍ଦ୍ଧାରୋଡ୍ ଷ୍ଟେସନ୍ ହେବା ପରେ ଧୀରେ ଧୀରେ ଲୋକସଂଖ୍ୟା ବୃଦ୍ଧି ପାଇଥିଲା। କିନ୍ତୁ ସେହି ସମୟରେ ଓଡ଼ିଆ ଲୋକ ପ୍ରାୟତଃ ନଥିଲେ। ଲୋକଙ୍କ ଭିତରୁ ଅଧିକ ଥିଲେ ତେଲୁଗୁ। ପ୍ରାୟ ୧୯୩୩ ମସିହା ବେଳକୁ ବର୍ତ୍ତମାନ ହାଟବଜାର କୁହାଯାଉଥିବା ଅଞ୍ଚଳରେ ହିଁ ୪-୫ ଓଡ଼ିଆ ପରିବାର ଥିଲେ। ପ୍ରଥମେ ଜଟଣୀକୁ ‘ହାଟବଜାର’ କୁହାଯାଉଥିଲା, ପରେ ଏହାର ନାଁ ଜଟଣୀ ହେଲା। ଷ୍ଟେସନ ହେବାପରେ ଧୀରେ ଧୀରେ ଅଞ୍ଚଳ ବଢ଼ିବା ଆରମ୍ଭ କରିଥିଲା ଓ ଓଡ଼ିଆ ଲୋକ ଜାଗା କିଣି ଘର କରିଥିଲେ। ୧୯୪୭ ମସିହା ବେଳକୁ ୪ଟି ଗଡ଼- ନୟାଗଡ଼, ଦଶପଲ୍ଲା, ଖଣ୍ଡପଡ଼ା ଓ ରଣପୁରର ମୁଖ୍ୟ ଯାତାୟତ କେନ୍ଦ୍ର ଜଟଣୀ ଥିଲା। ରେତଙ୍ଗ ରେଳ ଷ୍ଟେସନର ନାଁ ପୂର୍ବେ ଖଣ୍ଡଗିରି ରୋଡ୍ ଥିଲା।
ସେତେବେଳେ ଜଟଣୀରେ ଶିକ୍ଷାର ବ୍ୟବସ୍ଥା କିଛି ନଥିଲା କହିଲେ ଚଳେ। ୧୯୩୭ ମସିହା ପାଖାପାଖି ସମୟରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବନମାଳୀ ଶତପଥୀ, ଚକ୍ରଧର ଶତପଥୀ ଓ ମଣିରାମ ଶର୍ମାଙ୍କ ଉଦ୍ୟମରେ ଶିକ୍ଷାର ବିକାଶ ହୋଇଥିଲା। ଜଟଣୀ ନୂଆଗାଁ ଲୋକଙ୍କ ଦ୍ୱାରା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସେଥିରେ ଥିଲା ମାତ୍ର ଦୁଇଟି ଚାଳଘର। ପ୍ରାୟ ୧୯୫୦ ମସିହା ବେଳକୁ ଉତ୍ତରାୟଣୀ କ୍ଲବରେ ଅଷ୍ଟମ, ନବମ ଶ୍ରେଣୀ ଖୋଲାଯାଇଥିଲା। ଉପରୋକ୍ତ ବ୍ୟକ୍ତିମାନେ ନିଜ ଉଦ୍ୟମରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ବାହାରୁ ଶିକ୍ଷକ ଆଣି ସେଠାରେ ପାଠପଢ଼ା ଆରମ୍ଭ କରାଇଥିଲେ। ସେହି ସ୍କୁଲ ୧୯୫୧ ମସିହା ବେଳକୁ ହାଇସ୍କୁଲର ରୂପ ନେଇଥିଲା। ସେ ହାଇସ୍କୁଲର ପ୍ରଥମ ବ୍ୟାଚ୍ର ଛାତ୍ର ଭାବେ ବିଶ୍ୱେଶ୍ୱରଲାଲ୍ ଅଗ୍ରୱାଲ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଅନ୍ୟପଟେ ବ୍ୟବସାୟିକ ପେଣ୍ଠ ଭାବେ ମଧ୍ୟ ଜଟଣୀ ବେଶ୍ ନାଁ କରିପାରିଥିଲା। ୧୯୩୭ ମସିହା ସମୟରେ ଜଟଣୀର ‘ରେଟ୍ ଚାର୍ଟ’ ଓଡ଼ିଶାର ପ୍ରାୟ ସମସ୍ତ ଖବରକାଗଜରେ ପ୍ରକାଶିତ ହେଉଥିଲା।
କାରଣ ସାରା ରାଜ୍ୟର ବ୍ୟବସାୟୀମାନେ ଏଠାରୁ ଜିନିଷ କିଣୁଥିଲେ। ରେଳଯୋଗେ ଏଠାକୁ ଧାନ, ଡାଲି, ମୁଗ, ବିରି, କୋଳଥ ଭଳି ଖାଦ୍ୟ ସାମଗ୍ରୀ କୋଲକାତା ଓ କେରଳ ଆଦିରୁ ପ୍ରଚୁର ମାତ୍ରାରେ ଆସୁଥିଲା। ସେସବୁ ଏଠାରେ ହୋଲସେଲ୍ ଦରରେ ବିକ୍ରି ହେଉଥିଲା। ଧୀରେ ଧୀରେ ସେ ବାବଦରେ ଜଟଣୀ ଏତେ ନାଁ କଲା ଯେ ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଓଡ଼ିଶାରୁ ଡାଲି ନେବାକୁ ଚାହିଥିଲେ। ତେଣୁ ଜଟଣୀରେ ଡାଲି ମିଲ୍ ଆରମ୍ଭ ହୋଇଥିଲା। ସେହି ଡାଲି ଟ୍ରେନ୍ ମାଧ୍ୟମରେ ବାହାର ରାଜ୍ୟକୁ ପଠା ଯାଉଥିଲା। ଜଟଣୀ କୁଦିଆରୀ ଅଞ୍ଚଳରେ ୩ଟି କିରୋସିନ ଡିପୋ ମଧ୍ୟ ରହିଥିଲା। ରେଳରେ କିରୋସିନ ଆସି ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଉଥିଲା। କେବଳ ସେତିକି ନୁହେଁ, ଜଟଣୀ ଲୁଗା ଓ ତେଜରାତି ସାମଗ୍ରୀର ରାଜ୍ୟର ପ୍ରମୁଖ ହୋଲସେଲ୍ ବଜାର ଥିଲା। ସେହିପରି ଜଟଣୀରୁ ଏକ ନାଲିଗୋଡ଼ି ରାସ୍ତା ନୟାଗଡ଼କୁ ଯାଇଥିଲା। ଏହା ଥିଲା ସହରର ମୁଖ୍ୟରାସ୍ତା। ସେହି ରାସ୍ତାରେ ଲୋକେ ପୁରୀ ଯାଉଥିଲେ।