ଜଟଣୀ: ଜଟଣୀରେ ମୋ’ ପିଲାଦିନ ବିତିଛି। ୧୯୫୫ ମସିହା ପାଖାପାଖି ସମୟରେ ଆଙ୍ଗ୍ଲୋ ଇଣ୍ଡିଆନ୍ମାନେ ଜଟଣୀ ଟାଉନ ହଲ୍ ନିକଟରେ ରହୁଥିଲେ। ସେମାନଙ୍କ ଭିତରୁ ଅଧିକାଂଶ ରେଳବାଇରେ କାମ କରୁଥିଲେ। ସେମାନଙ୍କ ପିଲାମାନେ ଆମ ସହିତ ରେଲୱେ ସ୍କୁଲରେ ପାଠ ପଢ଼ୁଥିଲେ, ମିଶୁଥିଲେ ଓ ସାଙ୍ଗରେ ଖେଳୁଥିଲେ ମଧ୍ୟ। କିନ୍ତୁ ୧୯୬୦ ମସିହା ପରେ ପରେ ସେମାନେ ଜଟଣୀ ଛାଡ଼ିବା ଆରମ୍ଭ କରିଥିଲେ। ସେମାନେ ନିଜ ଦେଶ ଅଷ୍ଟ୍ରେଲିଆ ଓ କାନାଡ଼ା ଆଦିକୁ ଫେରି ଯାଇଥିଲେ।
ସେ ସମୟରେ ଜଟଣୀ ବ୍ଲକ ଅଞ୍ଚଳରେ ପ୍ରାୟ ୩ଟି ହାଇସ୍କୁଲ ଥିଲା- ଆମ ରେଲୱେ ହାଇସ୍କୁଲ, ଜଟଣୀ ହାଇସ୍କୁଲ ଓ ଏକ ବାଳିକା ଉଚ୍ଚବିଦ୍ୟାଳୟ। ୧୯୬୦ ମସିହା ପରେ ସ୍କୁଲ୍ ସଂଖ୍ୟା ବଢ଼ିଥିଲା। ସେ ସମୟରେ ସହରରେ ଷ୍ଟ୍ରିଟ୍ ଲାଇଟ୍ର କିଛି ସୁବିଧା ନଥିଲା। ରାସ୍ତାକଡ଼ରେ ପୋତା ଯାଇଥିବା ଖୁଣ୍ଟି ଉପରେ ପ୍ରତିଦିନ ସନ୍ଧ୍ୟାରେ କାଚଫ୍ରେମ୍ ଲାଗିଥିବା ଡିବିସବୁ ଟଙ୍ଗା ଯାଉଥିଲା। ସେ ଆଲୁଅ ସକାଳ ପର୍ଯ୍ୟନ୍ତ ରହୁଥିଲା ଅବଶ୍ୟ। ଆମ ସମୟରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିବାର ଦିନେ ପରେ ଖବରକାଗଜ ମାଧ୍ୟମରେ ଆମେ ଜାଣିବାକୁ ପାଉଥିଲୁ, ଯାହା ଆଜିକାଲିକା ପିଲାମାନେ ବିଶ୍ବାସ କରିବେନି।
ପ୍ରାୟ ୧୯୭୨ ମସିହା ପର୍ଯ୍ୟନ୍ତ ଟ୍ରେନ୍ଗୁଡ଼ିକ କୋଇଲା ଓ କାଠଦ୍ୱାରା ଚାଲୁଥିବା ଦେଖିବାକୁ ପାଉଥିଲୁ। ସେତେବେଳେ କାର୍ଡବୋର୍ଡ ବାଲା ଟ୍ରେନ୍ ଟିକଟ ମିଳୁଥିଲା। ଖୋର୍ଦ୍ଧାରୋଡ୍ ଷ୍ଟେସନରୁ ଯାତ୍ରୀମାନେ ଚେନ୍ନାଇ ଓ କୋଲକାତା ଆଦି ସହରକୁ ଯାଉଥିଲେ। ସୀତାରାମ ଛକରେ ଏକ ବଡ଼ ମାର୍କେଟ ବସୁଥିଲା। ସେଠାକୁ ନୟାଗଡ଼, ଦଶପଲ୍ଲା ଓ ବାଙ୍କୀ ଅଞ୍ଚଳରୁ ବେପାରୀମାନେ ପରିବା, ବିରି, ମୁଗ, ଡାଲି ଆଦି ଆଣି ବିକ୍ରି କରୁଥିଲେ। ୧୯୫୫-୫୮ ମସିହା ମଧ୍ୟରେ ଜଟଣୀରେ ଖାସିମାଂସକୁ ନେଇ ଏକ ନିଆରା ଅନୁଭୂତି ରହିଛି। ସେ ସମୟରେ ଏଠାରେ ଖାସିମାଂସ ଦୁଇ ପ୍ରକାର ସେରରେ ବିକ୍ରି ହେଉଥିଲା। ଗୋଟିଏ ହେଲା କଟକୀ ସେର, ଅନ୍ୟଟି ବାଲେଶ୍ୱରୀ ସେର। କଟକୀ ସେର ବର୍ତ୍ତମାନର ପ୍ରାୟ ଦେଢ଼କିଲୋ ସହିତ ସମାନ ହେବ। ସେହି ଏକ ସେର ବା ଦେଢ଼କିଲୋ ଖାସିମାଂସର ଦାମ୍ ଥିଲା ଅଢେ଼ଇ ଟଙ୍କା। ଜଟଣୀରେ ଥିବା ହୋଟେଲରେ ଗୋଟିଏ ସାଧାମିଲ୍ର ଦାମ୍ ୧୦ ଅଣା ଥିଲା। ୧୯୬୦ ମସିହାରେ ଜଟଣୀରେ ହିଁ ପ୍ରଥମେ ଷ୍ଟେଜ୍ ମେଲୋଡ଼ି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ କଟକ ଏବଂ ତା’ପରେ ଅନ୍ୟସବୁ ସ୍ଥାନରେ ସେ ମେଲୋଡ଼ି ଆରମ୍ଭ ହୋଇଥିଲା ବୋଲି କୁହାଯାଏ।
ଜଟଣୀର ପ୍ରଥମ ସିନେମା ହଲ୍ ଥିଲା - ମୋହନ ଟକିଜ୍। ପରବର୍ତ୍ତୀ ସମୟରେ ତା’ ନାମ ପରିବର୍ତ୍ତନ ହୋଇ 'ଜୟ ଦୁର୍ଗା' ସିନେମା ହୋଇଥିଲା। ଟିକଟର ଦାମ୍ ଥିଲା ୬ଅଣା, ୧୦ଅଣା ଓ ୧୨ଅଣା। ବାଲକୋନି ଟିକଟର ଦାମ୍ ଥିଲା ୧ଟଙ୍କା ୪ଅଣା। ପିଲାଦିନେ ଆମେ ପାଦରେ ପ୍ରାୟତଃ ଚପଲ ପିନ୍ଧୁ ନଥିଲୁ। ଧୋତି ଓ ଗାମୁଛା ଥିଲା ଆମର ପୋଷାକ। ଅନେକ ଲୋକ ଓଳିଏ ଖାଇଲେ ଆରଓଳି ଓପାସ ରହୁଥିଲେ। ଲୋକେ ସାଇକେଲରେ ମାଇଲ ମାଇଲ ବାଟ ଯାଉଥିଲେ, ଏପରିକି ଆଖପାଖ ଜିଲ୍ଲାକୁ ଯାଉଥିଲେ। ସେତେବେଳେ ସାଇକେଲର ମଧ୍ୟ ଲାଇସେନ୍ସ କରିବାକୁ ପଡୁଥିଲା। ସାଇକେଲ ସହ ଶଗଡ଼ଗାଡ଼ି ଓ ରିକ୍ସାର ଲାଇସେନ୍ସ ପାଇଁ ବାର୍ଷିକ ୩ଟଙ୍କା ଦେବାକୁ ପଡୁଥିଲା। ଲାଇସେନ୍ସ ନକଲେ ଜରିମାନା ଦେବାକୁ ପଡୁଥିଲା। ଅନେକ ଲୋକ ଶଗଡ଼ଗାଡ଼ିରେ ଯା’ଆସ କରୁଥିଲେ। ଆମ ପିଲାଦିନେ ସ୍ୱାଧୀନତା ଦିବସ ରେଳ ଷ୍ଟେସନ୍ରେ ବଡ଼ ଧୁମ୍ଧାମ୍ରେ ପାଳନ କରାଯାଉଥିଲା। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳ ସହ ଭୁବନେଶ୍ବର, କଟକ ଓ ନୟାଗଡ଼ ଜିଲ୍ଲାରୁ ମଧ୍ୟ ଲୋକେ ଆସୁଥିଲେ।