ଜଟଣୀ: ଜଟଣୀ-କପିଳପ୍ରସାଦ ରାସ୍ତାକୁ ୪ ଲେନ୍ କରିବା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୂର୍ବରୁ ଥିବା ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ଗମନାଗମନରେ ଘୋର ଅସୁବିଧା ଉପୁଜୁଛି। ଦାୟିତ୍ୱ ନେଇଥିବା ଠିକାଦାର ଓ ପ୍ରଶାସନିକ ଅବହେଳା ପାଇଁ ୩ ବର୍ଷ ହେଲାଣି ମାତ୍ର ୧୩ କିମି କାମ ସରି ପାରୁ ନଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ସମ୍ପ୍ରସାରଣରେ ବିଳମ୍ବକୁ ନେଇ ଅସନ୍ତୋଷ ତେଜୁଥବୋବେଳେ ଆଜି ଅପରାହ୍ଣରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ରାସ୍ତାର ସମୀକ୍ଷା କରିଛନ୍ତି।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୁନ୍ଦରପଦାଠାରୁ ହରିରାଜପୁର ପର୍ଯ୍ୟନ୍ତ ପରିଦର୍ଶନ କରିବା ପରେ ପ୍ରଧାନସାହି ପଞ୍ଚାୟତ ହାଇଟେକ୍ ଛକ ନିକଟରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ବିଶ୍ୱରଞ୍ଜନ ବଡ଼ଜେନା, କଂଗ୍ରେସ ନେତା ସୁର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସ ଶେଷ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ଏହି ରାସ୍ତାକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଜଟଣୀଠାରୁ କପିଳପ୍ରସାଦ (ସୁନ୍ଦରପଦା) ପର୍ଯ୍ୟନ୍ତ ନିର୍ମାଣଧୀନ ୪ ଲେନ୍ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ୧୩ କିଲୋମିଟରର ଏହି ରାସ୍ତା ସଂପ୍ରସାରଣ କାର୍ଯ୍ୟ ପୂର୍ବ ସରକାର ଅମଳରୁ ୨୦୨୨ରେ ଆରମ୍ଭ ହୋଇଥିଲା। ୨୦୨୪ ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲା। ସଂପ୍ରସାରଣ ଚାଲିଥିବାରୁ ପୂର୍ବରୁ ଥିବା ରାସ୍ତା ଅବସ୍ଥା ଖରାପ ହୋଇଛି। ରାତିରେ ଯିବାଆସିବାରେ ଲୋକେ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/06/sfhsfhfhxvbvb-2025-09-06-03-01-47.jpg)