ଜଟଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ଗୁଡ଼ିକର ସଦର ମହକୁମାକୁ ସବୁଜ ସୁନ୍ଦର କରିବା ପାଇଁ ବିଭିନ୍ନ ସ୍ଥାନର ମୁଖ୍ୟ ରାସ୍ତା ଘାଟ ଆଦିରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ପ୍ରତିବର୍ଷ ବିଭିନ୍ନ ପ୍ରକାରର ଫୁଲ, ଫଳ ଚାରା ସହ ଔଷଧୀୟ ଆଦି ଗଛ ରୋପଣ କରାଯାଉଛି। ଚାରାରୋପଣ ସହ ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ବିଭାଗୀୟ ଅଧିକାରୀ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଖାମ୍‌ଖିଆଲ ନୀତି ପାଇଁ ଚାରାରୋପଣ ପରେ ଉଭାନ ହୋଇଯାଉଛି ଗଛ। ଅଧିକାରୀମାନେ ଗଛ ଲଗାଇବା ବେଳେ କେବଳ ଫଟୋ ଉଠାଇ ନାଁ ନେଉଥିବା ବେଳେ ପରେ ଆଉ ଦାୟିତ୍ୱ ନେଉ ନାହାଁନ୍ତି। ଫଳରେ ଗଛ ସବୁ ଉଭାନ ହେବା ସହ ପ୍ରତି ଗଛ ପିଛା ଖର୍ଚ୍ଚ ହୋଇଥିବା ଟଙ୍କା ପାଣିରେ ପଡ଼ୁଛି ବୋଲି ଅଭିଯୋଗ ହୋଇଛି। ଜଟଣୀ ପୌରପାଳିକାର ମୁଖ୍ୟ ରାସ୍ତା ଡିଭାଇଡର୍‌ରେ ସୌନ୍ଦର୍ଯ୍ୟକରଣ ପାଇଁ ଶତାଧିକ ଗଛ ଲଗାଯାଇଥିଲା। ହେଲେ ମାସେ ଦୁଇ ମାସ ଭିତରେ ଲଗାଯାଇଥିବା ଗଛ ବଞ୍ଚିଲା ନାହିଁ। ଡିଭାଇଡର୍ ଏବେ ବୃକ୍ଷ ଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ୨୦୨୩ରେ ୩ଟି ପର୍ଯ୍ୟାୟରେ ମୁଖ୍ୟ ରାସ୍ତା ଡିଭାଇଡର୍ ରେ ଶହେରୁ ଅଧିକ ଚାରା ଲଗାଯାଇଥିଲା। ପୋଷ୍ଟ ଅଫିସ୍ ଛକଠାରୁ ବିକାଶ ନଗର ଛକ ପର୍ଯ୍ୟନ୍ତ ଡିଭାଇଡର୍‌ରେ କୃଷ୍ଣଚୂଡ଼ା, ବିଭିନ୍ନ ଔଷଧିୟ, ଫୁଲ ଗଛ ଆଦି ଲଗାଯାଇଥିଲା। ଏଥିସହ ଚାରାରୋପଣ ପରେ ରକ୍ଷଣାବେକ୍ଷଣା ଦାୟିତ୍ୱ ପୌରପାଳିକା କରିବ ବୋଲି କୁହାଯାଇଥିଲା। ହେଲେ ଗଛ ଲାଗିବାର କିଛି ମାସ ପରେ ଆଉ ପାଣି ଦିଆଗଲା ନାହିଁ କି ଚାରା ଚାରିପଟେ ପାଇଁ ବାଡ଼ା ଘେରାଗଲା ନାହିଁ। ଫଳରେ ବୁଲା ଗୋରୁଗାଈ ଆଦି ଗଛଗୁଡ଼ିକୁ ଖାଇ ଲଣ୍ଡା କରିଦେଲେ। ଅନ୍ୟପଟେ ଗଣେଶ ପୂଜା ଉତ୍ସବ ସମୟରେ ମୁଖ୍ୟ ରାସ୍ତାରେ ଲଗାଯାଇଥିବା ଲାଇଟ୍ ଗେଟ୍ ପାଇଁ ଗଛ ଚାରା ମଧ୍ୟ ଭାଙ୍ଗି ନଷ୍ଟ ହୋଇଗଲା। ଏଥିପାଇଁ କର୍ତୃପକ୍ଷ କାହାକୁ ତାଗିଦ୍ କରି ନଥିବା ଅଭିଯୋଗ ହୋଇଛି। 

Advertisment

ବାସିନ୍ଦା ନିତ୍ୟାନନ୍ଦ ସାହୁ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଟିକସ ପଇସାରେ ହଜାର ହଜାର ଟଙ୍କା ବ୍ୟୟରେ ଚାରାରୋପଣ କରାଯାଉଛି। ଯଦି ପୌରପାଳିକା ରକ୍ଷଣାବେକ୍ଷଣ କରିବାକୁ ସକ୍ଷମ ନୁହଁ, ତାହେଲେ ପ୍ରତିବର୍ଷ ଏ ପ୍ରହସନ କାହିଁକି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରତିବର୍ଷ ଏହି ସ୍ଥାନରେ ବୃକ୍ଷରୋପଣ କରି ଅଧିକାରୀମାନେ ନାଁ ନେଉଛନ୍ତି। ପୁଣି କିଛି ଦିନ ପରେ ଗଛ ସବୁ ଉଭାନ ହେଇଯାଉଛି। ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି ଯେ, ରକ୍ଷଣାବେକ୍ଷଣ ପାଇଁ ସେଭଳି କର୍ମଚାରୀ ଆମର ନାହାଁନ୍ତି। ଆମେ ଖରାଦିନେ ଟ୍ୟାଙ୍କର ମାଧ୍ୟମରେ ପାଣି ଦେଉ। ତେବେ ଯେଉଁ ଗଛକୁ ବୁଲା ଗାଈଗୋରୁ ନ ଖାଇପାରିବେ ସେହିଭଳି ଗଛ ଲଗାଯାଇଛି। ଯଦି ସେଭଳି କିଛି ହୋଇଛି ତାହେଲେ ଆଗକୁ ପାଣି ଦିଆଯିବ ଏବଂ କର୍ମଚାରୀ ଆବଶ୍ୟକତା ପାଇଁ ସରକାରଙ୍କୁ ଲେଖିବୁ ବୋଲି କହିଛନ୍ତି।