ଜଟଣୀ-ତଳଖେତା ରାସ୍ତାରୁ ଅନ୍ଧାର ହଟିବ କେବେ?

ଜଟଣୀ: ଗତ କିଛି ବର୍ଷ ହେଲା ଜଟଣୀ-ତଳଖେତା ରାସ୍ତା ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ମାତ୍ର ଏହି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ୧୬ ନମ୍ବର ଜାତୀୟ ରାଜପଥର ଜଟଣୀ ଗେଟ୍‌(ତଳଖେତା ଛକ) ପାଖରୁ ହରିଭାଇନା ଛକ ପର୍ଯ୍ୟନ୍ତ ପ୍ରାୟ ୭ କିମି ରାସ୍ତା ମଧ୍ୟରୁ ୫ କିମି ରାସ୍ତା ଅନ୍ଧାରରେ ରହିଛି। ଜଟଣୀ ଗେଟ୍‌ ନିକଟରୁ ଜଟଣୀ କଲେଜ ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ରାତିରେ ରାସ୍ତାର ଏହି ଅଂଶ ମରଣଯନ୍ତା ପାଲଟିଯାଉଛି। ଏନେଇ ବର୍ଷ ବର୍ଷ ଧରି ଜଟଣୀ ମ୍ୟୁନିସିପାଲିଟି ଓ ବ୍ଲକ୍‌ ଅଞ୍ଚଳର ଅଧିବାସୀମାନେ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏଣୁ ଧୀରେ ଧୀରେ ଜନଅସନ୍ତୋଷ ବଢ଼ୁଛି। ଦିନେ ପୁଞ୍ଜିଭୂତ ଜନଅସନ୍ତୋଷ ଏକ ଗଣଆନ୍ଦୋଳନର ରୂପ ନେବ‌ ବୋଲି ଚର୍ଚ୍ଚା ହେଉଛି।

ଗୋଟେ ସମୟରେ ଏହି ରାସ୍ତାଟି ଏକ ଗ୍ରାମାଞ୍ଚଳ ରାସ୍ତା ଭାବେ ପରିଗଣିତ ହେଉଥିଲା, ଯଦିଓ ଖୋର୍ଦ୍ଧାରୋଡ୍‌ ରେଳ ଜଙ୍କସନ୍‌, ଏଫ୍‌ସିଆଇ ମାଲଗୋଦାମ ଓ ଜଟଣୀସ୍ଥିତ ବିଭିନ୍ନ ଶସ୍ୟ ପ୍ରକ୍ରିୟାକରଣ କ୍ଷୁଦ୍ର ଶିଳ୍ପର ଭାରୀଯାନ ଏହି ରାସ୍ତାରେ କାଁ ଭାଁ ଯାତାୟାତ କରୁଥିଲା। ସଂଜ ବୁଡ଼ୁବୁଡ଼ୁ ଏହି ରାସ୍ତା ନିଛାଟିଆ ହୋଇପଡ଼ୁଥିଲା। କିନ୍ତୁ ଗତ ପ୍ରାୟ ୧୦ ବର୍ଷ ହେଲା ସ୍ଥିତି ପୂରା ବଦଳିଯାଇଛି। ଦିନରାତି ସବୁବେଳେ ଏହି ରାସ୍ତାରେ ଶହଶହ ଯାନବାହାନ ଚଳାଚଳ କରୁଛି। ରାଜଧାନୀର ପରିସୀମା ଜଟଣୀ ଟାଉନ୍‌କୁ ଛୁଇଁବା ପରଠୁ ଏହି ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ଏକ ନିତିଦିନିଆ ଘଟଣା ପାଲଟିଛି। ନାଇଜର୍‌, ଭୁବନେଶ୍ବର ଆଇଆଇଟି, ଫାଟୁଆ ଗବେଷଣା କେନ୍ଦ୍ର, ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ କିସ୍ଟ ଇଂଜିନିୟରିଂ କଲେଜ ଭଳି ବଡ଼ବଡ଼ ସରକାରୀ ଅନୁଷ୍ଠାନ ପ୍ରତିଷ୍ଠା ହେବା ପରଠୁ ଜଟଣୀ ଓ ଭୁବନେଶ୍ବର ପ୍ରାୟ ଏକାକାର ହୋଇଯାଇଛି।

ଜଟଣୀ, ଯାଁଳା, ଗଙ୍ଗପଡ଼ା, ପିତାପଲ୍ଲୀ, ତଳ‌ଖେତା ଆଦି ଅଞ୍ଚଳରେ ବହୁ ଆପାର୍ଟମେଣ୍ଟ ଗଢ଼ି ଉଠିଛି। ତେଣୁ ଜଟଣୀ ଟାଉନ୍‌ ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଚାଲିଛି। ସ୍ବାଭାବିକ ଭାବେ ଜଟଣୀ-ତଳଖେତା ରାସ୍ତାରେ ଗାଡ଼ି ଚଳାଚଳ ବଢ଼ିଛି। ‌ମାତ୍ର ଏହି ରାସ୍ତାର ପ୍ରଶସ୍ତୀକରଣ ହୋଇପାରିନାହିଁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ନବୀକରଣ ହେଉଛି ସିନା ପ୍ରଶସ୍ତ ହେଉନାହିଁ। ଫଳରେ ଦିନବେଳା ଲୋକେ ଟ୍ରାଫିକ୍‌ ଜାମ୍‌ରେ ଫସି ଲୋକେ ବେଶ୍ ହନ୍ତସନ୍ତ ହେଉଛନ୍ତି। କିନ୍ତୁ ରାତି ହେଲେ ରାସ୍ତାଟି ପାଲଟିଯାଉଛି ମରଣଯନ୍ତା। ଅଙ୍କାବଙ୍କା, ଅଣଓସାରିଆ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ବାଇକ୍‌ ଆରୋହୀ ଓ ସାଇକେଲ ଚାଳକମାନେ ବିପଦରେ ପଡ଼ୁଛନ୍ତି। ପ୍ରାୟ ସବୁଦିନ କିଛି ନା କିଛି ଛୋଟମୋଟ ଦୁର୍ଘଟଣା ଘଟୁଛି।

ସମ୍ମୁଖରୁ ବା ପଛରୁ ଭାରୀଯାନ ଆସିବା ବେଳେ ଦୁଇ ଚକିଆ ଗାଡ଼ି ଚାଳକ ସମସ୍ୟାରେ ପଡ଼ୁଛନ୍ତି। କେହି ରାସ୍ତା କଡ଼ ଖାଲରେ ପଡ଼ି ଆହତ ହେଉଛନ୍ତି ତ କେ‌ହି ବଡ଼ ଗାଡ଼ିରେ ପିଟି ହୋଇ ମରଣମୁହଁକୁ ଠେଲି ହୋଇଯାଉଛନ୍ତି। ସେହିଭଳି ଗୋବିନ୍ଦପୁର, ତଳଖେତା ଓ ଷଣ୍ଢପୁର ଆଦି ଗାଁର ଗାଈଗୋରୁମାନେ ରାସ୍ତା ଉପରେ ଚଳପ୍ରଚଳ ହେଉଥିବାରୁ ରାତିରେ ସେମାନଙ୍କୁ ଭଲରେ ଦେଖିନପାରି ବାଇକ୍‌ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ସବୁଠୁ ବିପଦପୂର୍ଣ୍ଣ ଅଂଶ ହେଉଛି କିସ୍ଟ କଲେଜ ନିକଟ ନାଳର ବ୍ରିଜ୍‌। ଜଟଣୀ ଗଣେଷ ଘାଟ ଥିବା ଏହି ବ୍ରିଜ୍‌ ବହୁ ପୁରୁଣା ଏବଂ ବେଶ୍ ଅଣଓସାରିଆ। ତେଣୁ ବହୁ ସମୟରେ ବାଇକ୍‌ ଆରୋହୀ ଓ ସାଇକେଲ ଚାଳକମାନେ ଅନ୍ଧାରରେ ବାଟ ନପାଇ ନାଳ ଭିତରକୁ ଗଳିପଡ଼ୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର