ଜଟଣୀ: କୁଦିଆରୀ ଅଞ୍ଚଳ ଜଟଣୀ ପୌରପାଳିକାର ଏକ ପ୍ରମୁଖ ଅଞ୍ଚଳ ଭାବେ ଜଣାଶୁଣା। ୨୨ ନମ୍ବର ୱାର୍ଡ ଅଧୀନରେ କୁଦିଆରୀ ବଜାର (ପାର୍ଟ), କୁଦିଆରୀ ମେଳଣ ପଡ଼ିଆ, ନୀଳକଣ୍ଠସାହି, ମହାରଣାସାହି, ଦଳବେହେରାସାହି, ପାଇକସାହି, ଧୋବାସାହି, ବାପୁଜି କଲୋନି, ଧାରାବତୀ କଲୋନି ଆଦି ଅଞ୍ଚଳ ରହିଛି। ସହରର ଏହି ଅଞ୍ଚଳରେ ଆଜି ବି ନିପଟ ଗ୍ରାମାଞ୍ଚଳର ଚିତ୍ର ଦେଖିବାକୁ ମିଳେ। ପିଚୁ ସଡ଼କ ଏଠି ସାତ ସପନ ବୋଲି କିଛି ଅଞ୍ଚଳର ଲୋକେ କହନ୍ତି। ସେହିଭଳି ଡ୍ରେନ୍ ସମସ୍ୟାଠୁ ଆରମ୍ଭ କରି ପିଇବା ପାଣି ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଆସୁଛି।
ଏହି ୱାର୍ଡରେ ରାସ୍ତା ସମସ୍ୟା ସବୁଠୁ ଅଧିକ। ଅଳ୍ପ କେତେକ ସ୍ଥାନରେ କଂକ୍ରିଟ୍ ରାସ୍ତା ଥିବା ବେଳେ ବହୁ ରାସ୍ତା ଅବସ୍ଥା ଶୋଚନୀୟ।
ଅନେକ ରାସ୍ତା ସେମିତି କଚ୍ଚା ଅବସ୍ଥାରେ ରହିଛି। ବର୍ଷା ଦିନେ ଲୋକେ କାଦୁଅ ପଙ୍କ ରାସ୍ତାରେ ଯାତାୟାତ କରୁଛନ୍ତି। ମାଲଗୋଦାମ ଛକରେ ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ। ବର୍ଷା ଦିନେ ଆଣ୍ଠୁଏ ଖାଲରେ ପାଣିରେ ପଶି ଲୋକମାନେ ଯିବା ଆସିବା କରୁଥିବା ଦେଖିବାକୁ ମିଳେ। ଉକ୍ତ ଛକରୁ ଦୀର୍ଘ ଦିନ ଧରି ପିଚୁ ଉଠିଗଲାଣି। ରଥୀପୁର ରାସ୍ତା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ପିଚୁ ଉଠି ରାସ୍ତାସାରା ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ରାତିରେ ବଡ଼ ବିପଜ୍ଜନକ ଭାବେ ଲୋକେ ଏହି ରାସ୍ତାରେ ଯା’ଆସ କରୁଛନ୍ତି। ସେହିପରି ୱାର୍ଡର ଅନ୍ୟତମ ମୁଖ୍ୟ ସମସ୍ୟା ହେଉଛି ଡ୍ରେନ୍। ଅଧିକାଂଶ ସ୍ଥାନରେ ଡ୍ରେନ୍ ହିଁ ନାହିଁ। ଯେଉଁଠି ଡ୍ରେନ୍ ଅଛି, ନର୍ଦ୍ଦମା ଆବର୍ଜନାରେ ପୋତି ହୋଇଗଲାଣି। ତେଣୁ ଡ୍ରେନ୍ ଥାଇ ନଥିଲା ଭଳି। ଏହି ୱାର୍ଡକୁ ପାଇପ୍ ଯୋଗେ ୨୪ଘଣ୍ଟିଆ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରାୟ ୨୦ ପ୍ରତିଶତ ଘରକୁ ପାଇପ୍ ସଂଯୋଗ ହୋଇପାରି ନ ଥିବା ବେଳେ ଅନ୍ୟ ପ୍ରାୟ ୨୦ ପ୍ରତିଶତ ଘରକୁ ପାଇପ୍ ସଂଯୋଗ ହୋଇଥିଲେ ହେଁ ପାଣି ଆସିପାରୁନାହିଁ। ଅନ୍ୟତମ ସମସ୍ୟା ହେଉଛି ଏଠାରେ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳୁନି। ଏହି ୱାର୍ଡର ଅଧିକାଂଶ ଅଞ୍ଚଳ ଜଗନ୍ନାଥଙ୍କ ଜମିରେ ଥିବାରୁ ବହୁ ଗରିବ ଶ୍ରେଣୀର ଲୋକେ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଛୋଟ ପିଲାଙ୍କ ସମସ୍ୟା ବି କିଛି କମ ନୁହେଁ। ବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ର କାମ ୬ ବର୍ଷ ହେଲା ସରୁନି। ପିଲାମାନେ ସ୍କୁଲ ବିଲ୍ଡିଂରେ ପଢ଼ୁଛନ୍ତି ଏବଂ ଏଥିପାଇଁ ବିଭିନ୍ନ ଅସୁବିଧା ହେଉଛି। ଅଧିକାଂଶ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲାଗିନାହିଁ। ଏବେ ବି ଏଠାରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଇନାହାନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ ଓ ଏକ କଲ୍ୟାଣ ମଣ୍ଡପ ପାଇଁ ବହୁ ଦିନ ହେଲା ଦାବି ହୋଇଆସୁଛି।
ମୁକ୍ତା ଯୋଜନାରେ ମିଳିଛି ୭୫ ଲକ୍ଷ
ଗତ ବର୍ଷକ ମଧ୍ୟରେ ମୋର ଏହି ୱାର୍ଡରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ବିଶେଷକରି ଡ୍ରେନ୍ ଓ ରାସ୍ତା ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ମଙ୍ଗରାଜସାହି, ମଦିନା ବସ୍ତି ଓ ଦଳବେହେରାସାହିରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନ୍ ଓ ରାସ୍ତା ନିର୍ମାଣ ହୋଇଛି। କାମ ଚାଲିଛି। କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ୮ଲକ୍ଷ ଟଙ୍କାର ଅନୁଦାନ ମିଳିଛି ଏବଂ କାମ ଚାଲିଛି। ରେଳବାଇ ଡ୍ରେନ୍ର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଯାଇଛି। ମୁକ୍ତା ଯୋଜନାରେ ଏହି ୱାର୍ଡ ପାଇଁ ୭୫ଲକ୍ଷ ଟଙ୍କା ଆସିଛି। ଏଥିରେ ସୌନ୍ଦର୍ଯ୍ୟୀକରଣ, ପାଦଚଲା ରାସ୍ତା, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ ପାର୍କ, ଲୁ’ ଆଦି ପ୍ରକଳ୍ପ ନିର୍ମାଣ କରାଯିବ। ତେଣୁ ଆଗାମୀ ଦିନରେ ଏହି ୱାର୍ଡ ଜଟଣୀର ଏକ ବିକଶିତ ଅଞ୍ଚଳ ହୋଇପାରିବ ବୋଲି ମୋର ଉଦ୍ୟମ ଜାରି ରହିଛି। ଅନ୍ୟ ୱାର୍ଡ ଭଳି ମୋ ୱାର୍ଡକୁ ମୁକ୍ତା ଯୋଜନାରେ ଅଧିକ ଅନୁଦାନ ଯୋଗାଇ ଦେବାକୁ ମୁଁ ଦାବି କରିଛି।
ସୁନିତା ରାୟ, କାଉନ୍ସିଲର