ଜଟଣୀ: ପୌରପାଳିକାର ୮ନଂ ୱାର୍ଡ ବାସିନ୍ଦା ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ୱାର୍ଡରେ ପୌରପାଳିକା କାର୍ଯ୍ୟାଳୟ, ପୁଲିସ ଷ୍ଟେସନ୍, ବିଭିନ୍ନ ଶିକ୍ଷାନୁଷ୍ଠାନ, ଷ୍ଟାଡିୟମ୍ ଆଦି ରହିଛି। ୱାର୍ଡ ଅଧୀନରେ ରାମଚନ୍ଦ୍ରପୁର, ଗୋପବନ୍ଧୁନଗର, ବିଡିଏ କଲୋନି, ଶ୍ରୀହରିବିହାର, ଷଣ୍ଢପୁର (ପୂର୍ବପଟ) ଆଦି ଅଞ୍ଚଳ ରହିଛି। ତଥାପି ଅନେକ ମୌଳିକ ସୁବିଧା ସାତ ସପନ ପାଲଟିଛି। ୱାର୍ଡରେ ଅଧିକାଂଶ ସ୍ଥାନରେ ଡ୍ରେନ୍ ନାହିଁ। ଯେଉଁଠି ଅଛି, ତାହା ବ୍ୟବହାର ହୋଇପାରୁନି।

Advertisment

ଡ୍ରେନ୍ ଶେଷମୁଣ୍ଡ ବନ୍ଦ ହୋଇଯାଇଛି। ପାଣି ଯିବାକୁ ବାଟ ନାହିଁ। ଫଳରେ ଲୋକମାନେ ରାସ୍ତାକୁ ପାଣି ଛାଡୁଥିବା ବେଳେ ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅନ୍ୟ ସମସ୍ୟା ହେଉଛି ରାସ୍ତା। କେତେକ ସ୍ଥାନରେ କଂକ୍ରିଟ୍ ରାସ୍ତା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗେଟି, ଗୋଡ଼ି ରାସ୍ତାରେ ଯାତାୟାତ କରିବାକୁ ପଡୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ବିଶେଷକରି ବର୍ଷା ଦିନେ ରାସ୍ତା ପାଇଁ ଲୋକମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ସେହିପରି ଶରତ ପାଇକରାୟ ଷ୍ଟାଡିୟମ୍ ବହୁ ବର୍ଷ ହେଲା ଅବହେଳିତ ହୋଇ ପଡ଼ିରହିଛି। ମୁଖ୍ୟ ଫାଟକ ଦୁଇଟି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ରାତି ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟୁଛି। ଅଞ୍ଚଳରେ କେତେକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲାଗି ନାହିଁ। ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହୁଛି। ଠିକ୍‌ ଭାବେ ସଫେଇ ହେଉ ନଥିବା ଅଭିଯୋଗ ହୋଇଛି। ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ, କଲ୍ୟାଣମଣ୍ଡପ ପାଇଁ ଦାବି କରାଯାଇଛି।

ସ୍ଥାନୀୟ ବାସିନ୍ଦା ବସନ୍ତ ସାହୁ କହିଛନ୍ତି ଯେ, ପ୍ରଶାସନ ଘର କରିବାକୁ ଅନୁମତି ଦେବା ପୂର୍ବରୁ ଡ୍ରେନ୍ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ କରିବାର ଥିଲା। ହେଲେ ସେଭଳି ହୋଇ ନଥିବାରୁ ଅନେକ ସମୟରେ ରାସ୍ତାରେ ପାଣି ମାଡୁଛି। ସେହିପରି କଲୋନିରେ କିଛି ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ରାତିରେ ଚୋରି ବଢୁଛି। ୱାର୍ଡ କାଉନସିଲର ଇତିଶ୍ରୀ ଦାସ କହିଛନ୍ତି ଯେ, ଡ୍ରେନ୍ ସମସ୍ୟାର ସମାଧାନ ପାଇଁ ଯୋଜନା ଚାଲିଛି। ଶରତ ପାଇକରାୟ ଷ୍ଟାଡିୟମ୍‌ରେ ଜମିକୁ ନେଇ ବିବାଦ ରହିଥିବାରୁ କୋର୍ଟରେ ମାମଲା ବିଚାରାଧୀନ ଅଛି।