ଯାତ୍ରାକୁ ଲୋକକଳାର ମାନ୍ୟତା ଦିଅ

ପୁରୀ, କଟକ, ବ୍ରହ୍ମପୁର ସହରରେ ଯାତ୍ରା ପରିବେଷଣ ଅନୁମତି ଦିଅ

ଭୁବନେଶ୍ବର : ଓଡ଼ିଶାର ଯାତ୍ରା ପରମ୍ପରା ବହୁ ପୁରୁଣା। ରାଜ୍ୟରେ ଯାତ୍ରା ରସିକ ଦର୍ଶକଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ। ମାତ୍ର ସରକାରୀ ସ୍ତରରେ ଯାତ୍ରା କଳାକାରଙ୍କୁ ଯେତିକି ମାନ୍ୟତା ଦେବାକଥା ଦିଆଯାଇ ନାହିଁ। ଆବଶ୍ୟକୀୟ ସରକାରୀ ସୁବିଧା ଯୋଗାଇ ଦିଆଯାଇ ନାହିଁ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ଯାତ୍ରା କଳାକାର ସଂଘର ସମସ୍ତ କର୍ମକର୍ତାଙ୍କୁ ନେଇ ଏକ ବୈଠକ ହୋଇଛି। ସରକାରଙ୍କୁ ୧୨ ଦଫା ଦାବି ପ୍ରଦାନ କରିବା ପାଇଁ ମଧ୍ୟ ଦିନ ନିର୍ଧାରିତ ହୋଇଛି।

ଆଜି ହୋଇଥିବା ବୈଠକରେ ସରକାରଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ରଖାଯାଇଛି। ଯାତ୍ରାକୁ ଲୋକକଳାର ମାନ୍ୟତା ଦେବାକୁ ଦାବି ହୋଇଛି। ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡ଼ିଶାର ସଭାପତି ଦୈତାରୀ ପଣ୍ଡା ୩୦ ହଜାରରୁ ଅଧିକ କଳାକାରଙ୍କ ପ୍ରତିନିଧି ଭାବେ କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ସହଯୋଗରେ ଯାତ୍ରା ପରିବେଷଣ ପାଇଁ ସୁଯୋଗ ସୃଷ୍ଟି ହେଉ। କଳାକାର ଭତ୍ତା ମାସକୁ ୧୨୦୦ ଟଙ୍କା ପରିବର୍ତେ ୩ହଜାର ଟଙ୍କାକୁ ବୃଦ୍ଧି କରାଯାଉ। ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଏବଂ ଯାତ୍ରା ମାଲିକଙ୍କଠୁ ପାଇଥିବା ପ୍ରମାଣପତ୍ରକୁ ଅଗ୍ରାଧିକାର ଦେଇ କଳାକାରଙ୍କ ପାଇଁ ଭତ୍ତା ନିମନ୍ତେ ବିଚାର ପ୍ରକ୍ରିୟାରେ ସାମିଲ୍ କରାଯାଉ। ଯାତ୍ରାନୁଷ୍ଠାନରେ କଳାକାର ଓ କର୍ମଚାରୀମାନଙ୍କୁ ବାର୍ଷିକ ୫ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ କରାଯାଉ। ଯାତ୍ରା ନାଟ୍ୟକାରଙ୍କୁ ଓଡ଼ିଶା ସାହିତ୍ୟ ଏକ‌ାଡେମି ପୁରସ୍କାର ପ୍ରକ୍ରିୟାରେ ସାମିଲ୍‌ କରାଯାଉ। ଯାତ୍ରା ନାଟକ ପୁସ୍ତିକାଗୁଡ଼ିକ ରାଜା ରାମ‌େମ‌ାହନ ରାୟ ପାଠାଗାର ଅଧୀନ ଯୋଜନାରେ ବିକ୍ରୟ ନିମନ୍ତେ ସାମିଲ୍‌ ହେଉ। ବେସରକାରୀ ଶ୍ରମିକଙ୍କ ପାଇଁ ସରକାରୀ ସୂତ୍ରରୁ ଯେପରି ସୁବିଧା ଓ ସହାୟତା ରହିଛି ଯାତ୍ରାନୁଷ୍ଠାନର ଶ୍ରମିକ କର୍ମଚାରୀଙ୍କୁ ମଧ୍ୟ ସେଇ ସୁବିଧା ଓ ସହାୟତା ଯୋଗାଇ ଦିଆଯାଉ। ରାଜ୍ୟସ୍ତରୀୟ ନାଟକ ଉତ୍ସବ ଆୟୋଜନ କରି କଳାକାରମାନଙ୍କୁ ପୁରସ୍କୃତ କରି ପ୍ରୋତ୍ସାହିତ କରାଯାଉ। ପୁରୀ, କଟକ ଓ ବ୍ରହ୍ମପୁର ସହର ସମେତ ବରଗଡ଼ ଜିଲ୍ଲାରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦିଆଯାଉ। ସଂଘ ପାଇଁ ଭୁବନେଶ୍ବରରେ ମାଗଣାରେ ଘର ଯୋଗାଇ ଦିଆଯାଉ। ଯାତ୍ରାନୁଷ୍ଠାନ ଗଢ଼ିବା ପାଇଁ ଆଗ୍ରହୀ ବ୍ୟକ୍ତିମାନଙ୍କୁ ରିହାତି ଦରରେ ଋଣ ଯୋଗାଇ ଦିଆଯାଉ। ରାଜ୍ୟରେ ୩୦ ହଜାରରୁ ଅଧିକ କଳାକାର ଥିବାରୁ ସେମାନଙ୍କୁ ଦୃଷ୍ଟିରେ ରଖି ସରକାର ଦାବିଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ବୋଲି ସଂଘର ସମ୍ପାଦକ ରମେଶ ଚନ୍ଦ୍ର ନାୟକ କହିଛନ୍ତି। ଆଜି ଖଣ୍ଡଗିରି ଧର୍ମବିହାରରେ ସଂଘର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦ ତାରିଖରେ ସଂଘ ପକ୍ଷରୁ ସରକାରଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର