ଆଜି ବି ମନେପଡ଼େ ‘ମୋ ପେଁକାଳି ବଜେଇ ଦେ’…

ଭୁବନେଶ୍ବର: ତୋ ହାତୀ ନେ… ତୋ ଘୋଡ଼ା ନେ… ମୋ ପେଁକାଳି ବଜେଇଦେ..। ଯାତ୍ରା ପ୍ରେମୀଙ୍କର ଆଉ କିଛି ମନେ ଥାଉ କି ନଥାଉ କିନ୍ତୁ ସେତେବେଳର ଶିବାନୀ ଗଣନାଟ୍ୟର ଏ ଗୀତ ପଦକ କିନ୍ତୁ ନିଶ୍ଚୟ ମନେ ଥିବ। ଆଜକୁ ଠିକ୍‌ ୨୭ ବର୍ଷ ତଳେ ଏ ନାଟକ ଯାତ୍ରା ଦୁନିଆରେ ଏକ ମାଇଲ୍‌ଖୁଣ୍ଟ ଛିଡ଼ା କରାଇଥିଲା। ଆଜି ଯେବେ ଖଣ୍ଡଗିରି ଯାତ୍ରା ମୈଦାନରେ ଯାତ୍ରା କଳାକାରଙ୍କ ସମାଗମ ହେଉଛି, ଆମେ ଖୋଜିଥିଲୁ ସେତେବେଳର ସେଇ ଚର୍ଚ୍ଚିତ ନାଟକର ଚର୍ଚ୍ଚିତ ଚେହେରାଙ୍କୁ। ଭେଟ ହୋଇଥିଲେ ‘ମୋ ପେଁକାଳି ବଜେଇ ଦେ’ ନାଟକର ରାଜା ସାହେବ ଓରଫ୍‌ ରାଜା ବିକ୍ରମ କେଶରୀ ଜଗଦ୍ଦେବ।

ନାଁ ତାଙ୍କର ବୈକୁଣ୍ଠ ବାରେକ୍‌। କିନ୍ତୁ ଯାତ୍ରା ଜଗତରେ ସେ ଆଜି ବି ରାଜା ସାହେବ। ଖାଲି ଯାତ୍ରା ପ୍ରେମୀଙ୍କର ହୃଦୟ ସେଇ ଯାତ୍ରା ସହ ଯୋଡ଼ି ହୋଇ ରହିନାହିଁ ଆଜି ବି ବୈକୁଣ୍ଠ ସେଇ ପୁରୁଣା ଦିନର ରାଜା ସାହେବ ଚରିତ୍ରକୁ ଖୋଜୁଛନ୍ତି। ତାଙ୍କ କହିବା ମୁତାବକ ଜୀବନରେ ମୁଁ ଅନେକ ସଫଳ ନାଟକରେ ଅଭିନୟ କରିଛି କିନ୍ତୁ ‘ମୋ ପେଁକାଳି ବଜେଇ ଦେ’ ନାଟକକୁ ଆଜି ବି ମୁଁ ଝୁରେ। କାରଣ ସେଇ ନାଟକ ମତେ ଏମିତି ଶୀର୍ଷକୁ ନେଇ ଯାଇଥିଲା ତାହା ମୁଁ କେବେ ପରିକଳ୍ପନା କରିନଥିଲି। ସେଇ ନାଟକର ଅଭିଜ୍ଞତାକୁ ମନେ ପକେଇ ସେ କୁହନ୍ତି, ଯେବେ ସେଇ ନାଟକଟି ମଂଚସ୍ଥ ହେବା ପାଇଁ ରିହର୍ସଲ ଆରମ୍ଭ ପାଇଁ ଚିନ୍ତା କରାଗଲା ସେତେବେଳ ଯାଏ ମୁଁ ଖଳନାୟକ ଭୂମିକାରେ ଅଭିନୟ କରୁଥିଲି। ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ଏହି ନାଟକର ନିର୍ଦେଶନା ଦେଉଥିବା ଇଂ ରମେଶ ମହାନ୍ତି ରାଜା ସାହେବ ଚରିତ୍ର ପାଇଁ ମୁହଁ ଖୋଜିଲେ। ସେତେ‌ବେଳେ ବାପା ଚରିତ୍ର କରୁଥିବା କଳାକାରମାନେ ସମ୍ଭବତଃ ସାହସ କଲେ ନାହିଁ। ତେଣୁ ରମେଶ ସାର୍‌ ମତେ ଏଇ ଭୂମିକାଟି ଧରେଇଦେଲେ। ମୁଁ ବି ମନ ପ୍ରାଣ ଦେଇ ଅଭିନୟ କରିଥିଲି। ଆଉ ତା’ପରେ ଯାହା ହେଲା ତାହା ଯାତ୍ରା ଜଗତରେ ଏକ ଇତିହାସ ପାଲଟିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

ବୈକୁଣ୍ଠ କୁହନ୍ତି, ଦିନେ ପୁରୀରେ ଏଇ ନାଟକ ଚାଲିଥିଲା। ବିଶିଷ୍ଟ ଅଭିନେତା ବ୍ୟୋମକେଶ ତ୍ରିପାଠୀ ମୋ ଅଭିନୟ ଦେଖି ପେଣ୍ଟିଂ ରୁମ୍‌କୁ ଆସି କହିଲେ, ବୈକୁଣ୍ଠ କି ପାର୍ଟ କଲୁ କିରେ.. । ମୋ ଆଖିରେ ବି ଲୁହ ଆଣିଦେଲୁ। ସେତେ‌ବେଳେ ତାଙ୍କର ଏହି ଶ୍ରଦ୍ଧାର କେଇପଦ କଥା ସହ ସେ ମତେ ଆହୁରି ମାର୍ଜିତ କଲେ। ରାଜା ସାହେବ ନାଁ’ଟି ମୋ ତୁଣ୍ଡରେ ଉଚ୍ଚାରଣ ବେଳେ ରାଜା ଠାଣି ମୁହଁରେ ଆଣିବାକୁ ସେ ମତେ ଉପଦେଶ ଦେଲେ। ପରବର୍ତୀ ସମୟରେ ନାଟକରେ ଅଭିନୟ ବେଳେ ସେଇ କଥାଟିକୁ ଗୁରୁତ୍ବ ଦେଲି। ବାସ୍ତବରେ ସେ ନାଟକ ସହ କେମିତି ଗୋଟେ ଆତ୍ମା ଯୋଡ଼ା ହୋଇଯାଇଥିଲା। ଏବେ ମୁଁ ‘ମାୟାନଗରୀ’ରେ ‘କଥାଦିଅ ମତେ କରିବନି ପର’ରେ ଅଭିନୟ କରୁଛି। ସେଥିରେ ମୁଁ ମନ ପସନ୍ଦର ଚରିତ୍ର କରୁଛି। କିନ୍ତୁ ସାର୍ବଜନିକ ଭାବେ ଦେଖିଲେ ଏବେ ଚରିତ୍ର ଅଭିନେତାଙ୍କ ଭୂମିକାକୁ ଗୌଣ କରିଦିଆଯାଇଛି। ତେଣୁ ବେଳେବେଳେ କଷ୍ଟ ଲାଗିଲେ ମଧ୍ୟ ବାଟ ଚାଲିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର