ଜିଏ ବିଭାଗର  ପାତରଅନ୍ତର ନୀତି : ୨ ଯାତ୍ରା ପେଣ୍ଡାଲକୁ ମିଳୁନି ଅନୁମତି

ଖଣ୍ଡଗିରି : ଖଣ୍ଡଗିରି ମେଳା ପାଖେଇ ଆସୁଛି। ଆରମ୍ଭ ହେବ ଓଡ଼ିଶା ଯାତ୍ରାଜଗତର ମହାସମର। ତେଣୁ ସ୍ଥାନୀୟ ଲୋକ ତଥା ରାଜଧାନୀବାସୀଙ୍କ ଭିତରେ ପ୍ରବଳ ଉଦ୍ଦୀପନା ସୃଷ୍ଟି ହେବା ଆରମ୍ଭ କରିଛି। ମାତ୍ର ଏଥିରେ କେଁ ପୂରାଇଛି ସାଧାରଣ ପ୍ରଶାସନ (ଜିଏ) ବିଭାଗ। ୫ଟି ପେଣ୍ଡାଲକୁ ଅନୁମତି ଦିଆଯାଇଥିବା ବେଳେ ୨ଟି ପେଣ୍ଡାଲକୁ ବିଭାଗୀୟ ଅନୁମତି ମିଳିନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁ ୨ ପେଣ୍ଡାଲ ସବୁ ଦୃଷ୍ଟିରୁ ନିରାପଦ ସେମାନଙ୍କୁ ବିଭିନ୍ନ ଆଳରେ ଅନୁମତି ନ ଦେବା ପଛରେ ବିଭାଗୀୟ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଅଭିଯୋଗ ହେଉଛି।

ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ଓ ଜୟଦୁର୍ଗା ସାଂସ୍କୃତିକ ପରିଷଦକୁ ଚଳିତ ବର୍ଷ ଜିଏ ବିଭାଗ ଯାତ୍ରା ପେଣ୍ଡାଲ ପାଇଁ ଅନୁମତି ଦେଉନାହିଁ ବୋଲି ଦୁଇ ପେଣ୍ଡାଲର କର୍ମକର୍ତାମାନେ ଅଭିଯୋଗ କରିଛନ୍ତି। ଜାଗମରା ଖେଳ ପଡ଼ିଆରେ ଏହି ଦୁଇ ପେଣ୍ଡାଲ ଯାତ୍ରା ପରିବେଷଣ ପାଇଁ ଅନୁମତି ମାଗିଛନ୍ତି। କିନ୍ତୁ ଏକ ଜନସ୍ୱାର୍ଥ ମାମଲା ହୋଇଥିବା ଆଳ କରି ଜିଏ ବିଭାଗ ଏହି ଦୁଇ ପେଣ୍ଡାଲକୁ ବାରଣ କରୁଥିବା ଜଣାପଡ଼ିଛି। ପଡ଼ିଆଟି ସ୍କୁଲ ପଡ଼ିଆ ବୋଲି ଦର୍ଶାଇ କେହି ଜଣେ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଜିଏ ବିଭାଗ ପକ୍ଷରୁ କୁହାଯାଇ ଯାତ୍ରା ପେଣ୍ଡାଲ ପାଇଁ ଅନୁମତି ଦେବାକୁ ମନା କରାଯାଇଛି।  କିନ୍ତୁ ମା’ ମଙ୍ଗଳା ପରିଷଦର ଅଭିଯୋଗ ଯେ ଗତ ୯ ବର୍ଷ ହେଲା ପରିଷଦ ଏହି ପଡ଼ିଆରେ ସୁରୁଖୁରୁରେ ଯାତ୍ରା ପରିବେଷଣ କରି ଆସିଛି। ଏହା ସ୍କୁଲ ପଡ଼ିଆ ନୁହେଁ। ଏହି ପଡ଼ିଆରୁ ବିଦ୍ୟୁତ୍‌ ବିଭାଗକୁ ଜମି ଦିଆଯାଇଛି ଓ ଏକ ଗ୍ରିଡ୍‌ ପ୍ରତିଷ୍ଠା କରାଯାଇଛି।

ଏହା ବାଦ୍‌ ମାନ୍ୟବର ଅଦାଲତଙ୍କ ରାୟ ପ୍ରକାଶ ପାଇବା ପୂର୍ବରୁ ଏକ ମାମଲା ବାହାନାରେ ଯାତ୍ରା ପାଇଁ ଅନୁମତି ନ ଦେବା ଜିଏ ବିଭାଗର ପାତରଅନ୍ତର ନୀତି। ଏହି ପଡ଼ିଆରେ ଅନ୍ୟ ସବୁ ପ୍ରକାର ମେଳା ମହୋତ୍ସବ ତଥା ବାଣିଜିକ୍ୟ ଅନୁଷ୍ଠାନ କରାଯାଉଛି, ଅଥଚ ଯାତ୍ରା ପେଣ୍ଡାଲ ପାଇଁ ବିଭାଗୀୟ କଟକଣା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହେଉଛି। ଏହି ପଡ଼ିଆ ଯାତ୍ରା ପେଣ୍ଡାଲ ପାଇଁ ବେଶ୍‌ ନିରାପଦ। ଫାୟାର୍‌ ସେଫ୍ଟି ପାଇଁ ସବୁଠାରୁ ଅନୁକୂଳ। ତେଣୁ ଜିଏ ବିଭାଗ ଅନୁମତି ଦେବାକୁ ପୁର୍ନବିଚାର କରୁ ବୋଲି ଲୋକେ ଦାବି କରିଛନ୍ତି। ନଚେତ୍‌ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଦୁଇ ପରିଷଦର କର୍ମକର୍ତାମାନେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର