ମାଳି କଲୋନିରେ ଜଣ୍ଡିସ୍‌ ଆତଙ୍କ

ଭୁବନେଶ୍ୱର : କିଛି ମାସ ବ୍ୟବଧାନ ପରେ ରାଜଧାନୀରେ ପୁଣିଥରେ ଜଣ୍ଡିସ୍‌ ଆତଙ୍କ ଦେଖାଦେଇଛି। ୟୁନିଟ୍‌-୩ ଅଞ୍ଚଳରେ ଥିବା ମାଳି କଲୋନିରେ ଜଣ୍ଡିସ୍‌ ଦେଖାଦେଇଛି। ଏ ପର୍ଯ୍ୟନ୍ତ କଲୋନିର ୧୯ଜଣ ଜଣ୍ଡିସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସ୍ଥାନୀୟ ପାଣି ନୁହେଁ, ବାହାର ଖାଦ୍ୟ ଖାଇଁ କଲୋନିରେ ଜଣ୍ଡିସ୍‌ ଦେଖା ଦେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ୟୁନିଟ-୩ ଅଞ୍ଚଳରେ ଥିବା ରାଷ୍ଟ୍ରୀୟ ଲଳିତକଳା ଏକାଡେମିରୁ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ଏହି କଲୋନି। କିଛିଦିନ ହେଲା ଏହି ବସ୍ତିରେ ଜଣ୍ଡିସ୍‌ ବ୍ୟାପିବାରେ ଲାଗିଛି। ଗତ ୧୦ଦିନ ମଧ୍ୟରେ ସେଠାରେ ୧୯ଜଣ ଜଣ୍ଡିସ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ପ୍ରତ୍ୟେକ ଦିନ ୧/୨ଜଣ ଜଣ୍ଡିସ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଜଣ୍ଡିସ୍‌ ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୫୦ଘର ଥିବା ଏହି କଲୋନିରେ ୬ଶହରୁ ୭ଶହ ଲୋକ ରହୁଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ୪ଟି ପାଣି ଟାଙ୍କି ଓ ଗୋଟିଏ ନୂଳକୂପ ରହିଛି। ତେବେ ଦୀର୍ଘଦିନ ହେବ ନଳକୂପଟି ବନ୍ଦ ରହିଛି। ତେଣୁ ସ୍ଥାନୀୟ ଲୋକମାନେ ପାଇପ ପାଣି ଉପରେ ନିର୍ଭର କରୁଛନ୍ତି। ଡ୍ରେନ୍‌ର ଅତି ନିକଟରେ ପାଣି ଟାଙ୍କିଗୁଡ଼ିକ ରହିଛି।

ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ କହିବାନୁଯାୟୀ, ପାଣି ଟାଙ୍କିଗୁଡ଼ିକୁ ନିୟମିତ ବ୍ୟବଧାନରେ ସଫା କରାଯାଉନାହିଁ। ଡ୍ରେନ୍‌ ନିକଟ ଦେଇ ପାଇପ୍‌ ପାଣି ଯାଇଥିବାରୁ ଏଥିରୁ ପାଣି ଲିକ୍‌ କରୁଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି। ତେବେ ବସ୍ତିରେ ଜଣ୍ଡିସ୍‌ ବ୍ୟାପିବା ଖବର ପଦାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ପାଣି ଟାଙ୍କି ସଫା କରାଯିବା ସହିତ କେତେକ ଅଞ୍ଚଳରେ ବ୍ଲିଚିଂ ପାଉଡର ପକାଯାଇଛି। ପୂର୍ବରୁ ଏଥିପାଇଁ ବହୁବାର ଦାବି କରାଯାଉଥିଲେ ହେଁ କେହି ଶୁଣୁ ନ ଥିଲେ। ବସ୍ତିର ଛୋଟ ପିଲା ଜଣ୍ଡିସର ଅଧିକ ଶିକାର ହୋଇଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି।

ଏଡିଏମ୍‌ଓ (ଜନସ୍ୱାସ୍ଥ୍ୟ) ଆର.ଜେନାଙ୍କ କହିବାନୁଯାୟୀ, ଚଳିତମାସ ୧ତାରିଖରୁ ମାଳି କଲୋନି ବସ୍ତିରେ ଜଣ୍ଡିସ୍‌ ଚିହ୍ନଟ ହୋଇଥିଲା। ଏ ପର୍ଯ୍ୟନ୍ତ ସେଠାରେ ୧୯ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଅଧିକାଂଶ ଆକ୍ରାନ୍ତ ଶିଶୁ ରହିଛନ୍ତି। ଗତକାଲି ୨ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୨ଜଣ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ରକ୍ତ ନମୁନା ସହିତ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଥିଲା। ତେବେ ସ୍ଥାନୀୟ ପାଣିରେ କୌଣସି ପ୍ରକାର ସମସ୍ୟା ନ ଥିବା ରିପୋର୍ଟରୁ ଜଣାପଡ଼ିଛି। କ୍ଲୋରିନ୍‌ର ମାତ୍ରା ଯେତିକି ରହିବା କଥା ତାହା ରହିଛି। ଏହା ସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବସ୍ତିରେ ଥିବା ପାଣି ଟାଙ୍କି ସଫା କରାଯିବା ସହିତ ବ୍ଲିଚିଂ ପାଉଡର ସିଞ୍ଚନ ହୋଇଛି। ସ୍ଥାନୀୟ ଲୋକଙ୍କୁ ଓଆରଏସ୍‌ ବଣ୍ଟନ କରାଯାଇଛି। ବିଏମ୍‌ସିର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଛି। ରକ୍ତ ନମୁନାରୁ ଏହା ହେପାଟାଇଟିସ୍‌-ଏ ବୋଲି ସ୍ପଷ୍ଟ ହୋଇଛି। ନିକଟରେ ଯାଇଥିବା ପୂଜା ସମୟରେ ବାହାରର ବିଷାକ୍ତ ଖାଦ୍ୟ କିମ୍ବା ପାଣି ପିଇବା ଯୋଗୁଁ ଏଭଳି ଜଣ୍ଡିସ୍‌ ବ୍ୟାପିଥିବା ଆଶଙ୍କା କରାଯାଉଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର