ମାଳି କଲୋନିରେ ଜଣ୍ଡିସ୍‌ : ସତ୍ୟସାଇ ସ୍କୁଲ ନିକଟରେ ଖାଦ୍ୟ ବିକ୍ରି ବନ୍ଦ

ଭୁବନେଶ୍ୱର : ୟୁନିଟ-୩ ମାଳି କଲୋନିରେ ଜଣ୍ଡିସ୍‌ ବ୍ୟାପିବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି। କଲୋନିରେ ପ୍ରାୟ ୨୦ଜଣ ଜଣ୍ଡିସ୍‌ ଆକ୍ରାନ୍ତ ହୋଇଥିବାବେଳେ ଏଥିରୁ ୭ଜଣ ସ୍ଥାନୀୟ ସତ୍ୟସାଇ ହାଇସ୍କୁଲର ଛାତ୍ରଛାତ୍ରୀ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଣ୍ଡିସ୍‌ ବ୍ୟାପିବା ଖବର ପ୍ରଚାର ହେବା ପରେ ଏହା ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ସ୍କୁଲ ନିକଟରେ ବିଭିନ୍ନ ପ୍ରକାରର ଜଙ୍କ୍‌ ଫୁଡ୍‌, ଗୁପଚୁପ୍‌, ଦହିବରା ଆଦି ବିକ୍ରି ଉପରେ ରୋକ୍‌ ଲାଗିଛି। ସ୍କୁଲ ପାଖାପାଖି ପ୍ରାୟ ୨୦୦ମିଟର ପରିଧି ମଧ୍ୟରେ ଖୋଲାରେ ଖାଦ୍ୟ ବିକ୍ରି ହୋଇପାରିବନି ବୋଲି କଟକଣା ଜାରି କରାଯାଇଛି।

ମାଳି କଲୋନିରେ ଜଣ୍ଡିସ୍‌ ପିଇବା ପାଣି ଜନିତ ନୁହେଁ ବରଂ ବାହାର ଖାଦ୍ୟ ଖାଇ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେବା ପରେ ବିଏମ୍‌ସି ପକ୍ଷରୁ ସତ୍ୟ ସାଇ ହାଇସ୍କୁଲରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଣ୍ଡିସର କାରଣ ଓ ନିରାକରଣ ଉପରେ ସଚେତନ କରାଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ, ଏଏନ୍‌ଏମ୍‌, ଜନସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସିର ଅଧିକାରୀମାନେ ଯୋଗଦେଇ ସଚେତନତା କରିଥିଲେ। ଠେଲାଗାଡ଼ିରେ ବିକ୍ରି ହେଉଥିବା ଦହିବରା, ଗୁପ୍‌ଚୁପ୍‌ କି ଅନ୍ୟାନ୍ୟ ସାମଗ୍ରୀ ନଖାଇବାକୁ କହିଥିଲେ। ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଥିଲେ। ସ୍କୁଲ ପରିସରରେ ସ୍ୱଚ୍ଛତା ସନ୍ତୋଷଜନକ ଥିବାବେଳେ ପିଲାମାନେ ଆକ୍ୱାଗାର୍ଡ ପାଣି ପିଉଥିବା ଦେଖିବାକୁ ମିଳିଥିଲା। ଏହି ପାଣି ମଧ୍ୟ ସଂପୂର୍ଣ୍ଣ ବିଶୁଦ୍ଧ ବୋଲି ଜଣାପଡ଼ିଥିଲା। ତେଣୁ ସ୍ଥାନୀୟ ଅଞ୍ଚଳରେ ଖୋଲାରେ ଖାଦ୍ୟ ବିକ୍ରି ଉପରେ ରୋକ୍‌ ଲଗାଯାଇଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳରେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।

ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆମେ ବର୍ଷତମାମ୍‌ ଯେପରି ବିଶୁଦ୍ଧ ପାଣି ଯୋଗାଉଛୁ ଏବେ ସେହିପରି ପାଣି ଯୋଗାଣ ହେଉଛି। ଯେଉଁଠି ସନ୍ଦେହ ହେଉଛି ସେଠାରେ ବ୍ଲିଂଚି ପକାଉଛୁ। ସମସ୍ତ ଟାଙ୍କି ନିୟମିତ ସଫା ହେଉଛି, କେହି ଅଭିଯୋଗ କଲେ ତୁରନ୍ତ ସମାଧାନ କରାଯାଉଛି। ଯେପରି କୌଣସି ସ୍ଥାନରେ ପାଣି ପାଇପ୍‌ ଲିକ୍‌ ନ ରହିବ ସେଥିପାଇଁ ଆମର ଟିମ୍‌ ସଜାଗ ଅଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗର ୟୁନିଟ-୩ ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ବି.କେ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର