ଭୁବନେଶ୍ବରରେ ଜାୱେଦ୍‌ ହବିବ୍‌, ଖୋଲିବେ ହେୟାର ତାଲିମ ଅନୁଷ୍ଠାନ

ଭୁବନେଶ୍ବର: ସମଗ୍ର ଦେଶରେ ହେୟାର ଏକ୍ସପର୍ଟ ଭାବେ ସୁନାମ ଅର୍ଜନ କରିଥିବା ଜାୱେଦ୍‌ ହବିବ୍‌ ଆଜି ଓଡ଼ିଶା ଆସିବା ସହ ଏକ ସମ୍ମିଳନୀରେ ନିଜର ସଫଳ ଯାତ୍ରା ସମ୍ବନ୍ଧରେ କହିଥିଲେ। ହୋଟେଲ୍‌ ସ୍ୟାଣ୍ଡି ଟାୱାରରେ ଅନୁଷ୍ଠିତ ଏକ ବିଶେଷ ସମ୍ମିଳନୀରେ ଉପସ୍ଥିତ ହୋଇ ସେଲୁନ୍‌, ସ୍ପା ଓ ବିଉଟି କେୟାର ବୃତ୍ତିରେ ଥିବା ସୁଯୋଗ ବାବଦରେ ମତ ରଖିଥିଲେ। ସେ କହିଥିଲେ, ଓଡ଼ିଶାରେ ବହୁ ଦକ୍ଷ ହେୟାର ଡ୍ରେସର ରହିଛନ୍ତି। କେବଳ ସେମାନଙ୍କୁ ଉପଯୁକ୍ତ ତାଲମ ଓ ଭିତ୍ତିଭୂମି ଯୋଗାଇଦେଲେ ସେମାନେ ବି ଜଣେ ଜଣେ ଜାୱେଦ ହବିବ୍‌ ହୋଇପାରିବେ।

ଏହି ଅବସରରେ ସେ ହେୟାର ଷ୍ଟାଇଲ୍‌ର ଏକ ଡେମୋ ଦେଖାଇବା ସହ ଚୁଟି ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। କହିଥିଲେ, ମୁଁ ଚୁଟି ସଜେଇବା ବେଳେ ମତେ ଆଉ କିଛି ଦେଖାଯାଏ ନାହିଁ। ଏହି ବୃତ୍ତିରେ ଜଣେ ମାସକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଆୟ କରିପାରିବ। ଜୀବନଚର୍ଯ୍ୟା ବଦଳୁଥିବା ବେଳେ ଲୋକଙ୍କ ରୁଚି ବି ବଦଳୁଛି। ସୁନ୍ଦର ଦେଖାଯିବା ପାଇଁ ଦକ୍ଷ ହେୟାର ଏକ୍ସପର୍ଟଙ୍କ ଆବଶ୍ୟକ କରୁଛନ୍ତି। ଏହି ଚାହିଦା ମେଣ୍ଟାଇବା ପାଇଁ ସେ ନିକଟରେ ଓଡ଼ିଶାରେ ଏକ ତାଲିମ୍‌ ଅନୁଷ୍ଠାନ ଖୋଲିବେ ବୋଲି କହିଛନ୍ତି। ଆଜି ଏହି ସମ୍ମିଳନୀରେ ଜାୱେଦ ହବିବ୍‌ କାର୍ଯ୍ୟାଳୟ ଭୁବନେଶ୍ବର ଶାଖାର ମୁଖ୍ୟ ୟୁ.ଜେ ସିଂହ ଏବଂ ପ୍ରବନ୍ଧକ ଚିରଞ୍ଜିତ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର