ରାଜଧାନୀରେ ‘ଜୱାଦ’ ପ୍ରଭାବଶୂନ୍ୟ: ଥରେଇଲା କୋହଲା ପାଗ

ଦିନରେ ମାତ୍ର ୧୯.୬ ମିମି ବର୍ଷା

ଭୁବନେଶ୍ୱର : ଶୁକ୍ରବାର ଅପରାହ୍‌ଣରୁ ରାଜଧାନୀରେ ବାତ୍ୟା ‘ଜୱାଦ’ର ପ୍ରାକ୍‌ ପ୍ରଭାବ ଅନୁଭୂତ ହୋଇଥିଲା। ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା ଓ ରାତି ସାରା ଝିପିଝିପି ବର୍ଷା ଲାଗି ରହିଥିଲା। ଶୁକ୍ରବାର ରାତିର ପାଗ ଶନିବାର ପାଇଁ ଭୟାବହତାର ବାର୍ତା ଦେଉଥିଲା। କିନ୍ତୁ ସକାଳୁ ସବୁ କିଛି ବଦଳି ଯାଇଥିଲା। ବର୍ଷା କିଛି ସମୟ ପାଇଁ ବିରତି ନେବାରୁ ଜୱାଦ ଧୀରେଧୀରେ ଦୁର୍ବଳ ହେଉଥିବା ଜଣାପଡ଼ିଥିଲା। ପାଣିପାଗ ବିଭାଗ ମଧ୍ୟ ବାତ୍ୟା ଦୁର୍ବଳ ହେଉଥିବା ଜଣାଇଥିଲା। ଆଜି ଅପରାହ୍‌ଣ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମଧରଣର ବର୍ଷିଥିଲା, ମାତ୍ର ବର୍ଷାର ପରିମାଣ ଅଧିକ ନଥିଲା। ତେବେ କୋହାଲା ପାଗ ସମସ୍ତଙ୍କୁ ଥରେଇ ଦେଇଥିଲା। ଘରେ ବାହାରେ ଶୀତର ପ୍ରକୋପ ଥିଲା।

ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ରାଜଧାନୀରେ ଶୁକ୍ରବାର ଅପରାହ୍‌ଣରୁ ଶନିବାର ସକାଳ ସାଢ଼େ ୮ଟା ମଧ୍ୟରେ ସମୁଦାୟ ୧୨.୭ମିମି ବର୍ଷା ହୋଇଥିଲା। ଶନିବାର ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ରାଜ୍ୟଧାନୀରେ ମାତ୍ର ୧୯.୬ ମିମି ବର୍ଷା ହୋଇଥିଲା। ପବନର ବେଗ ଘଣ୍ଟା ପ୍ରତି ମାତ୍ର ୨୨କିମି ରହିଥିଲା। ଜୱାଦ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ଅର୍ଥାତ ୬ ତାରିଖ ପର୍ଯ୍ୟନ୍ତ ରାଜଧାନୀର ପାଗ କୋହଲା ରହିବ ବୋଲି କୁହାଯାଉଛି। କିନ୍ତୁ ଆସନ୍ତାକାଲି ଉଭୟ ବର୍ଷା ଓ ପବନର ତୀବ୍ରତା କମିବ ବୋଲି ପାଣିପାଗ କେନ୍ଦ୍ର କହିଛି। କୋହଲା ପାଗ ଯୋଗୁଁ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୨୦.୮ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୮.୪ ଡିଗ୍ରି ରହିଛି। ଆସନ୍ତା ୨ ଦିନ ଶୀତ କମ୍ ରହିବ। ୭ ତାରିଖ ପରେ ରାତ୍ରି ତାପମାତ୍ରା ଖସିବ ଓ ଶୀତ ବଢ଼ିବ ବୋଲି ସୂଚନା ମିଳିଛି।

ଏକାମ୍ର କ୍ଷେତ୍ରରେ କମିଲେ ପର୍ଯ୍ୟଟକ
ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରକୁ ପ୍ରତିଦିନ ଶତାଧିକ ତୀର୍ଥଯାତ୍ରୀ ଆସୁଛନ୍ତି। ତେବେ ବାତ୍ୟା ଜୱାଦ ପ୍ରଭାବରେ ଥଣ୍ଡା ପବନ ଓ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ପରିମାଣରେ କମିଯାଇଛି। ପ୍ରତିଦିନ ୪୦ରୁ ୫୦ ଟୁରିଷ୍ଟ ବସ୍‌ ଆସୁଥିବା‌ ବେଳେ ଦୁଇ ଦିନ ହେଲା ୩ରୁ ୪ଟି ବସ୍‌ ଆସୁଛି। ବାତ୍ୟା ଯୋଗୁଁ ପର୍ଯ୍ୟଟକମାନେ ମଧ୍ୟ ଆସିବା ବନ୍ଦ କରି ଦେଇଛନ୍ତି। ସେହିପରି ଲିଙ୍ଗରାଜ ମନ୍ଦିର ସହ ଧଉଳି, ଖଣ୍ଡଗିରି, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର କୀର୍ତିରାଜିକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ପରିମାଣରେ କମିଯାଇଛି।

 

ସମ୍ବନ୍ଧିତ ଖବର