ପତ୍ନୀ ଖୋଲି ଦେଇଥିଲେ ଜାଲିଆତି ଗୁମର : ବଡ଼ଭାଇ ସାର୍ଟିଫିକେଟ୍‌ରେ ଚାକିରି କରି ଯବାନ ଗିରଫ

୬ ବର୍ଷ ତଳେ ବଡ଼ଭାଇ ବି ଗିରଫ ହୋଇଥିଲେ
ଢେଙ୍କାନାଳରେ ଚଢ଼ଉ ଜନ୍ମ ପ୍ରମାଣପତ୍ର ଜବତ

ଭୁବନେଶ୍ବର : ସେନାରେ ଚାକିରି ପାଇଁ ମନରେ ପ୍ରବଳ ଆଗ୍ରହ ଥିଲା। କିନ୍ତୁ ବାଧକ ସାଜିଥିଲା ବୟସ। ଶେଷରେ ବଡ଼ଭାଇ ନିଜ ସାନଭାଇର ସାର୍ଟିଫିକେଟ୍ ଓ ସାନଭାଇ ବଡ଼ଭାଇ ସାର୍ଟିଫିକେଟରେ ଚାକିରି କଲେ। କିନ୍ତୁ ଘରୋଇ କଳିରୁ ହଠାତ୍ ଝଟକା ଲାଗିଥିଲା ଦୁଇ ଭାଇଙ୍କୁ। ୬ ବର୍ଷ ତଳେ ବଡ଼ଭାଇ ଗିରଫ ହୋଇଥିବା ବେଳେ ଆଜି ସାନଭାଇ ଗିରଫ ହୋଇ ଜେଲ୍ ଯାଇଛି। ଗିରଫ ଅଭିଯୁକ୍ତ ହେଲେ ୧୨୦ ବାଟାଲିଅନର ନିଲମ୍ବିତ ଯବାନ ପ୍ରସନ୍ନ କୁମାର ବେହେରା। ଖାରବେଳନଗର ଥାନା ପୁଲିସ ପ୍ରସନ୍ନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି। ଏହାସହ ପୁଲିସର ଏକ ଟିମ୍ ଢେଙ୍କାନାଳରେ ଚଢ଼ଉ କରି ପ୍ରସନ୍ନଙ୍କ ଜନ୍ମ ପ୍ରମାଣପତ୍ର, ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର, ସ୍କୁଲ ସାର୍ଟିଫିକେଟ୍ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏମିତି ଘଟଣା ପୂର୍ବରୁ କେବେ ସାମ୍ନାକୁ ଆସି ନଥିବା ଜଣେ ଅଧିକାରୀ କହିଛନ୍ତି। ଜଣଙ୍କ ସାର୍ଟିଫିକେଟରେ ଅନ୍ୟ ଜଣେ ଚାକିରି କରିଥିବା ଦେଖିବାକୁ ମିଳେ। କିନ୍ତୁ ଦୁଇଭାଇ ସାର୍ଟିଫିକେଟ୍ ଅଦଳବଦଳ କରି ଚାକିରି କରିବା ଘଟଣା ରାଜ୍ୟ‌ରେ ପ୍ରଥମ ବୋଲି କୁହାଯାଉଛି।

ପୁଲିସ ସୂଚନା ଅନୁସାରେ, ପ୍ରସନ୍ନଙ୍କ ଘର ଢେଙ୍କାନା​ଳ ସଦର ଥାନା କାଇମାଟିଆ ଅଞ୍ଚଳରେ। ତାଙ୍କ ବଡ଼ଭାଇ ପ୍ରଦ୍ୟୁମ୍ନ ବେହେରା। ୨୦୦୦ ମସିହାରେ ପ୍ରଦ୍ୟୁମ୍ନ ରାଜସ୍ଥାନରେ ଅବସ୍ଥାପିତ ୧୨ ମେକାନିକାଲ ଇନ୍‌ଫାଣ୍ଟ୍ରିରେ ଯୋଗ ଦେବା ପାଇଁ ଆବେଦନ କରିଥିଲେ। ଖାଲି ଥିବା ପଦ ଅନୁସାରେ ତାଙ୍କର ବୟସ ଅଧିକ ହେଉଥିବାରୁ ସେ ତାଙ୍କ ସାନଭାଇ ପ୍ରସନ୍ନର ସାର୍ଟିଫିକେଟରେ ଆବେଦନ କରିଥିଲେ। ଚାକିରି ମଧ୍ୟ ପାଇଥିଲେ। ୨୦୧୪ରେ ପତ୍ନୀଙ୍କ ସହ ବିବାଦ ଆରମ୍ଭ ହୋଇଥିଲା। ପତ୍ନୀ ଥାନାରେ ଅଭିଯୋଗ କରିବା ସହ ସେ ତାଙ୍କ ଭାଇଙ୍କ ସାର୍ଟିଫିକେଟ୍ ବ୍ୟବହାର କରି ଚାକିରି କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ଆଣିଥିଲେ। ସେ ଯେଉଁଠି ଚାକିରି କରୁଛନ୍ତି, ସେଠାରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ସତକଥା ଜଣାପଡ଼ିବା ପରେ ‘କୋର୍ଟ ଅଫ୍ ଇନକ୍ବାରୀ’ ବସିଥିଲା। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ଜାଲିଆତି ଘଟଣାରେ ସେ ଗିରଫ ହୋଇଥିଲେ। ସେହିପରି ସେହି ସମୟରେ ପ୍ରସନ୍ନଙ୍କ ଜାଲିଆତି ମଧ୍ୟ ସାମ୍ନାକୁ ଆସିଥିଲା। ପ୍ରସନ୍ନ ୨୦୦୯ରେ ପ୍ରଦ୍ୟୁମ୍ନଙ୍କ ସାର୍ଟିଫିକେଟ୍‌ ବ୍ୟବହାର କରି ୧୨୦ ବାଟାଲିଅନରେ ଯବାନ ଭାବେ ଚାକିରି ପାଇଥିଲେ। ୨୦୧୪ରେ ଜାଲିଆତି ଜଣାପଡ଼ିବା ପରେ ପ୍ରସନ୍ନଙ୍କ ବିରୋଧରେ ମଧ୍ୟ ‘କୋର୍ଟ ଅଫ୍ ଇନକ୍ବାରୀ’ ବସିଥିଲା। ଦୋଷ ପ୍ରମାଣିତ ହେବା ପରେ ତାଙ୍କୁ ନିଲମ୍ବିତ କରାଯିବା ସହ ୧୨୦ ବାଟାଲିଅନର ଅଧିକାରୀ ବିଚିତ୍ରାନନ୍ଦ ସାମଲ ଏ ସମ୍ପର୍କରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ରୁଜୁ କରିବା ସହ ଘଟଣାର ତଦନ୍ତ କରି ପ୍ରସନ୍ନଙ୍କୁ ଗିରଫ କରିଛି। ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ବଡ଼ଭାଇ ପ୍ରଦ୍ୟୁମ୍ନ ଏକ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଢେଙ୍କାନାଳ ଜେଲ୍‌ରେ ଦଣ୍ଡ ଭୋଗୁଛି।

ସମ୍ବନ୍ଧିତ ଖବର