ଚନ୍ଦ୍ର‌ଶେଖରପୁର : ସମୟ ପ୍ରାୟ ଅପରାହଣ୍ ୪ଟା ହେବ। ରଙ୍ଗମାଟିଆ ଉଚ୍ଚ ପ୍ରାଧମିକ ବିଦ୍ୟାଳୟ ପରିସରରେ ଲାଗିଲା କମାଣ୍ଡୋ ପୁଲିସ୍ ଯବାନଙ୍କ ଏକ ଭ୍ୟାନ୍। ସେଥିରୁ ବାହାରିଥିଲେ ୨୦ରୁ ଅଧିକ ସଶସ୍ତ୍ର ଯବାନ। ହାତରେ ଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। କାନ୍ଧରେ ବନ୍ଧୁକ ପକାଇ ଆଗକୁ ବଢ଼ି ଚାଲିଥିଲେ। ସ୍ଥାନୀୟ ଲୋକେ କିଛି ବୁଝିବା ପୂର୍ବରୁ ସେମାନେ ହଠାତ୍‌ ଚାରିଆଡ଼େ ଖେଳାଇ ହୋଇଯାଇଥିଲେ। ସେମାନଙ୍କ ହାବଭାବ ଦେଖି ଲାଗୁଥିଲା, ସତେଯେପରି କେହି ଆତଙ୍କବାଦୀ ନିକଟରେ ଥିବା ରେଳ ବଗିରେ ଲୁଚିଛି, ଯାହାକୁ ଏମାନେ ଖୋଜୁଛନ୍ତି। ଯବାନଙ୍କ ଆଖିପତା ପଡ଼ୁ ନ ଥିଲା। ପାଖାପାଖି ୨୦ ମିନିଟ୍‌ ଧରି ସେମାନେ ବଗି ଚାରିପାଖରେ ଖୋଜାଖୋଜି କରିଥିଲେ। ‌ଶେଷରେ ରଙ୍ଗମାଟିଆ ଉପର ବଜାର ନିକଟ ରେଳଧାରଣାରେ ଅଟକି ରହିଥିବା ରେଳ ବଗିର ଚାରିପଟକୁ ଯବାନମାନେ ଘେରିଯାଇ ନିଜ କବ୍‌ଜାକୁ ନେଇଥିଲେ। ବଗିରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ କାବୁ କରିବାକୁ ଯବାନମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ନୂଆ ନୂଆ କୌଶଳ ବି ପ୍ରୟୋଗ କରିଥିଲେ। ଯବାନଙ୍କୁ ଦେଖି ବଗିରେ ଲୁଚି ରହିଥିବା ଆତଙ୍କୀମାନେ ଗୁଳି ଚାଳନା କରିବାରୁ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ଚାଲିଥିଲା। ଶେଷରେ ଯବାନମାନେ ଟ୍ରେନ୍‌ ବଗି ଭିତରେ ପଶି ଆତଙ୍କବାଦୀଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ସେମାନଙ୍କୁ ଗିରଫ କରି ବାହାରକୁ ଆଣିବା ସହ ବଗିରେ ପଣବନ୍ଦୀ ହୋଇଥିବା ରେଳ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

Advertisment

publive-image

ଏହା କୌଣସି ସତସତିକା ଘଟଣା ନୁହେଁ, ମକ୍‌ଡ୍ରିଲ ଥିଲା। ରେଳ ବଗିରେ ଯାତ୍ରୀଙ୍କୁ ପ୍ରାଣବନ୍ଦୀ ରଖିଥିବା ଆତଙ୍କୀଙ୍କୁ ମାରି ଯାତ୍ରୀଙ୍କୁ କିଭଳି ଉଦ୍ଧାର କରାଯିବ, ସେନେଇ ଆଜି ଯବାନଙ୍କ ପକ୍ଷରୁ ରଙ୍ଗମାଟିଆ ନିକଟରେ ମକଡ୍ରିଲ୍‌ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ କିଛି ପାଇଁ ଭୟଭୀତ ହୋଇଯାଇଥିଲେ। ତେବେ ସେନା ବାହିନୀର ମୁଖ୍ୟମାନେ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇ କହିଥିଲେ ଯେ କୌଣସି ଭୟଭୀତ ହେବାର ନାହିଁ। ଆତଙ୍କୀ ମୁକାବିଲା ପାଇଁ ଏହା ମକ୍‌ଡ୍ରିଲ୍‌। ନକ୍ସଲ୍, ଆତଙ୍କବାଦୀ କିମ୍ବା ମାଓବାଦୀଙ୍କୁ କାବୁ କରିବା, ସେମାନଙ୍କୁ ସାମ୍ନା କରି ଉଚିତ ଜବାବ ଦେବା ପାଇଁ ଏହା ଏକ ପ୍ରଶିକ୍ଷଣ ଅଭ୍ୟାସ ଥିଲା। ଏହି ମକ୍‌ଡ୍ରିଲ୍‌ ଦେଖିବା ପାଇଁ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳକୁ ଚାଲି ଆସିଥିଲେ।