ଭୁବନେଶ୍ୱର: ଜୟ ଶ୍ରୀରାମ ଧ୍ବନି ସହିତ ହୁଳହୁଳି ଓ ଘଣ୍ଟ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ୟୁନିଟ୍‌-୩ ରାମମନ୍ଦିର। ମନ୍ଦିର ପରିସରରେ ଭାବ, ଭକ୍ତି ଓ ସମର୍ପଣର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଥିଲା। କପାଳରେ ରାମ ନାମର ତିଲକ ସହିତ ତୁଣ୍ଡରେ ରାମ ନାମ ଜପି ଉଦୁଉଦିଆ ଖରାରେ ଧାଡ଼ି ଜମାଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ହାତରେ ଭୋଗ ଥାଳି ସହ ଛତା ଧରି ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିଲେ।

Advertisment

ଶ୍ରୀରାମଚିରତ ମାନସ, ହନୁମାନ ଚାଳିଶାରେ ପ୍ରଭୁଙ୍କ ଆରାଧନା
ମନ୍ଦିରରେ ପ୍ରାତଃ ସାଢ଼େ ୫ଟାରେ ମଙ୍ଗଳଆଳତି, ସକାଳ ୭ଟାରେ ଶୃଙ୍ଗାରଆଳତି, ପୂର୍ବାହ୍ନ ସାଢ଼େ ୧୧ଟାରେ ଭୋଗ ଲାଗି ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଜନ୍ମ ଆଳତି ବା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ସକାଳ ୭ଟାରୁ ଶ୍ରୀରାମ ଚରିତ ମାନସ, ୧୦୮ ହନୁମାନ ଚାଳିଶା, ରାମ ସହସ୍ରନାମ ପାଠ କରିବା ସହିତ ଜଣାଣ, କୀର୍ତ୍ତନ କରି ପ୍ରଭୁଙ୍କ ଆରାଧନା କରିଥିଲେ। କିଛି ଭକ୍ତ ପ୍ରଭୁ ଶ୍ରୀହନୁମାନ ବେଶ ଧାରଣ କରି ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ।

ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି
ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଧାଡ଼ି କରାଯିବ ସହିତ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିଲା। ଖରାକୁ ଦୃଷ୍ଟିରେ ରଖି ଛାମୁଣ୍ଡିଆ ବ୍ୟବସ୍ଥା କରାଯିବ ସହିତ ଦମକଳ, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟକେନ୍ଦ୍ର, ସୂଚନା କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳ ଗୋପାଳ ସମାଜ, ଜୟ ଶ୍ରୀରାମ, ଶ୍ରୀପର୍ଶୁରାମ ମିତ୍ର ମଣ୍ଡଳ, ପ୍ରେଷ୍ଟିଜ୍ ରେସିଡେନ୍ସି ସମେତ ବହୁ ସଂଗଠନ ଭକ୍ତମାନଙ୍କୁ ଖେଚୁଡ଼ି, ପଣା, ଖାଦ୍ୟ ପଦାର୍ଥ ଆଦି ବାଣ୍ଟିଥିଲେ। ଅପରାହ୍ନ ପ୍ରାୟ ୪ଟା ୧୫ରେ ପହଡ଼ ଖୋଲିବା ପରେ ଶ୍ରୀରାମ ନାମ, ହୁଳହୁଳି ଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା।

ଜୟଦେବବିହାର ଶ୍ରୀରାମେଶ୍ୱର ମନ୍ଦିର
ଜୟଦେବବିହାରସ୍ଥିତ ଶ୍ରୀରାମେଶ୍ୱର ମନ୍ଦିରରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଶ୍ରୀରାମ ସହସ୍ର ନାମ ପାଠ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ରାମ ନବମୀ ଉତ୍ସବ ସହିତ ଶ୍ରୀରାମ ଚରିତ ମାନସ ପାଠ କରାଯାଇଥିଲା। ସନ୍ଧ୍ୟାରେ ଶ୍ରୀରାମ ମହିମା, ସତୀଙ୍କ ମୋହ, ଶିବ ପାର୍ବତୀ ଉପାଖ୍ୟାନ ପ୍ରଦର୍ଶିତ ହୋଇଥିଲା। ପ୍ରବକ୍ତା ଭାବେ ପଦ୍ମନାଭ ମହାପାତ୍ର ଯୋଗ ଦେଇଥିଲେ। ଜୟଦେବବିହାର ସାଂସ୍କୃତିକ ଉନ୍ନୟନ ପରିଷଦର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶ୍ରୀରାମ ମହୋତ୍ସବ ଶୋଭାଯାତ୍ରା
ବିଶ୍ୱ ହିନ୍ଦୁ ପରିଷଦର ଯୁବା ସଙ୍ଗଠନ ବଜରଙ୍ଗ ଦଳ ପକ୍ଷରୁ ଶ୍ରୀରାମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ହାତରେ ଗେରୁଆ ପତାକା ଧରି ଜୟ ଶ୍ରୀରାମ ଧ୍ୱନି ଉଚ୍ଚାରଣ ସହିତ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ହନୁମାନଙ୍କ ବେଶ ଧାରଣ କରି ଶ୍ରୀରାମ ମନ୍ଦିରରୁ ରାଜମହଲ ଛକ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ ଯାଇଥିଲେ। ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ପ୍ରଦୀପ ମହାନ୍ତି, ଶିବାଶିଷ ମହାପାତ୍ର, ଶୁଭ୍ରାଂଶୁ ଶତପଥୀ, ଶୁଭେନ୍ଦୁ ରାଉତ, ପ୍ରତ୍ୟୁଷ ରାଉତରାୟ, ଅଭିମନ୍ୟୁ ପାଇକରାୟ, ଚିନ୍ମୟ ସାମଲ, ଜ୍ୟୋତି ପ୍ରକାଶ ସ୍ୱାଇଁ ଓ ଦିନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ।