ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍ପ ଲାଇନର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍ପ ଲାଇନ୍‌ର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଆଜି ଜୟଦେବ ଭବନଠାରେ ଏହାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସମସ୍ତଙ୍କୁ ସେବା ମନୋବୃତ୍ତି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଆସନ୍ତା ମାସରେ ରାଜ୍ୟରେ ୯୩ଟି ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ ହେଉଥିବା ନେଇ ସେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମ୍‌ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଜଗନ୍ନାଥ ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ମୁନାଲାଲ୍‌ ଅଗ୍ରଓ୍ଵାଲ ଓ ସମ୍ପାଦକ ରଙ୍କନିଧି ସାମଲ ଉପସ୍ଥିତ ଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କର ଦୁର୍ଘଟଣା ଘଟିଲେ ତାଙ୍କୁ କିପରି ସାହାଯ୍ୟ କରାଯାଇ ପାରିବ, ସେ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ଏହି ଅବସରରେ ଡି. ପ୍ରକାଶ ରାଓ, ବିରଜା ଲକ୍ଷ୍ମୀ ଏବଂ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଜୀବନ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ହରିହର ଡ୍ୟାନ୍ସ ଗ୍ରୁପ ଦ୍ୱାରା ସଚେତନତା ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା। ମୀନତି ରାଉତ ଅତିଥି ମାନଙ୍କ ପରିଚୟ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା, ଉପଦେଷ୍ଟା ପ୍ରଫୁଲ କୁମାର ମିଶ୍ର, ଗୋବିନ୍ଦ ଚନ୍ଦ୍ର ଲାଲ ଏବଂ ଭରତ ଚରଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର