ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେବା ମନୋବୃତ୍ତିରେ ଅନୁପ୍ରାଣିତ ହୋଇ ସ୍ବେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା "ଶେଷ ସାଥୀ" ଭଳି ଏକ ମହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟ ନିମନ୍ତେ ଆମଲଗମ୍ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ ଏକ ଗାଡ଼ି ପ୍ରଦାନ କରିଛି । ଜୟ ଓଡ଼ିଶା ଦ୍ଵାରା ଏହି ଗାଡ଼ିଟି ଏକ ସ୍ୱର୍ଗରଥ ରୂପେ କାର୍ଯ୍ୟ କରିବ, ଯାହା ଭୁବନେଶ୍ଵରର ଯେକୌଣସି ସ୍ଥାନରୁ ମୃତ ଶରୀରକୁ ସତ୍ୟ ନଗର ମଶାଣି ପର୍ଯ୍ୟନ୍ତ ମାଗଣାରେ ପହଞ୍ଚାଇବ। ଅର୍ଥାଭାବ କିମ୍ବା ଅନ୍ୟ ଯେକୌଣସି କାରଣ ଯୋଗୁ ଏହି ସେବାରୁ ବଞ୍ଚିତ ହେଉଥିବା ସମସ୍ତ ପରିବାର ନିମନ୍ତେ ଏହି ସ୍ବର୍ଗରଥ ନିୟୋଜିତ ରହିବ । ଏହି ସେବାକୁ ଉପଲବ୍ଧ କରିବା ନିମନ୍ତେ ଜୟ ଓଡ଼ିଶାର ଫୋନ ନମ୍ବର ୯୮୫୩୨୨୦୦୨୩ରେ ଯୋଗାଯୋଗ କରିବାକୁ ହେବ । ଆଜି ଶେଷ ସାଥୀ ଗାଡ଼ିର ଉଦ୍ଘାଟନୀ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ସତ୍ୟନଗର ମଶାଣି ନିକଟରେ ଅନୁଷ୍ଠିତ ହୋଇଛି। ଏଥିରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ।

Advertisment

ସମଗ୍ର ଓଡ଼ିଶାବାସୀ ଏକ ପରିବାର ହୋଇଥିବାରୁ, ପରିବାରର ସଦସ୍ୟଙ୍କ ଶେଷ ଯାତ୍ରାରେ କିଛି ସେବା ଯୋଗାଇବା ପାଇଁ ଏହା ଜୟ ଓଡ଼ିଶାର ଏକ ଛୋଟ ପ୍ରୟାସ ଅଟେ । ଏଣୁ ଯଦି କୌଣସି ସ୍ଥାନରେ ଯେକୌଣସି ଅଚିହ୍ନା ମୃତଦେହ ଉଦ୍ଧାର ହୁଏ ତେବେ ସେହି ଶରୀରକୁ ସତ୍ୟ ନଗର ମଶାଣିରେ ପହଞ୍ଚାଇବା ସହିତ ଅନ୍ତିମ ସଂସ୍କାରର ସମସ୍ତ କାର୍ଯ୍ୟ ଜୟ ଓଡ଼ିଶା ଦ୍ଵାରା ସମ୍ପାଦିତ ହେବ । ତେଣୁ ଯେକୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସହାୟତାର ଆବଶ୍ୟକତା  ଅନୁଭବ କଲେ ଯଥାଶୀଘ୍ର ୯୮୫୩୨୨୦୦୨୩ ରେ ଯୋଗାଯୋଗ କରିବା ପାଇଁ ସଂଗଠନର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ ଅନୁରୋଧ କରିଛନ୍ତି ।