ଚିରହରିତ୍ ଜୟଦେବ ବାଟିକା ଛାର୍ଖାର ହୋଇଯାଇଛି। ୧୨୦ ଏକର ପରିମିତ ଅଞ୍ଚଳରେ ଛିଡ଼ା ହୋଇଥିବା ସର୍ବବୃହତ୍ ଉଦ୍ୟାନରେ ଥିବା ୧୬୨ ପ୍ରଜାତିର ପ୍ରାୟ ୫୦ ହଜାରରୁ ଅଧିକ ବଡ଼ ଗଛ ଅଧାରୁ ଭାଙ୍ଗି ପଡ଼ିଛି। ସେହିପରି ବଣଭୋଜି ପାଇଁ ଉଦ୍ଦିଷ୍ଟ ଏହି ପରିସରରେ ୩୦ଟି ଟାଇଲ୍ ଓ ଚାଳ ଘର ପିଣ୍ଡି ରହିଥିବା ବେଳେ ୩ଟି ଟାଇଲ୍ ଘର ପିଣ୍ଡି ଓ ସମସ୍ତ ଚାଳ ଘର ପିଣ୍ଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗଛ ପଡ଼ି କୃତ୍ରିମ ଝରଣା ଓ ଫାଉଣ୍ଟେନ୍ ନଷ୍ଟ ହୋଇଯାଇଛି। ଔଷଧୀୟ ଉଦ୍ୟାନ ମଧ୍ୟରେ ଗଛ ପଡ଼ି ନଷ୍ଟ ହୋଇଯାଇଛି। ଟ୍ରାନ୍ସଫର୍ମର ସମେତ ଜଳପ୍ରପାତ ବି ନଷ୍ଟ ହୋଇଯାଇଛି। ଏତେ ବ୍ୟାପକ ଜାଗାରେ ଯେପରି କ୍ଷୟକ୍ଷତି ହୋଇଛି, ତାକୁ ସଜାଡ଼ିବା ପାଇଁ ମାସେରୁ ଅଧିକ ସମୟ ଲାଗିଯିବ ବୋଲି କର୍ତୃପକ୍ଷ କହିଛନ୍ତି। ପାତ୍ରପଡ଼ା ନିକଟରେ ଥିବା ଔଷଧୀୟ ଉଦ୍ୟାନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଉଁଶ ବୃକ୍ଷ ସମେତ ହଜାର ହଜାର ଔଷଧୀୟ ବୃକ୍ଷ ଭୂମିରେ ଲୋଟି ପଡ଼ିଛି। ଗଛ ପଡ଼ି ଏହା ମଧ୍ୟକୁ ପ୍ରବେଶ କରିବା ବାଟ ବନ୍ଦ ହୋଇଯାଇଛି। ପୁରୁଣା ଭୁବନେଶ୍ବରରେ ଥିବା ଏକାମ୍ର ଔଷଧୀୟ ବନର ଅବସ୍ଥା ବି ଶୋଚନୀୟ। ଏଥିସହ ପାତ୍ରପଡ଼ାରେ ଥିବା ସ୍ମୃତିବନରେ ସ୍ମୃତି ଉଦ୍ଦେଶ୍ୟରେ ଶତାଧିକ ଗଛ ଲାଗିଥିବା ବେଳେ ସ୍ମୃତିର ସ୍ମାରକୀ ବୃକ୍ଷ ସବୁ ଭାଙ୍ଗି ପଡ଼ିଛି। ସେଥିମଧ୍ୟରୁ ଅନେକ ବୃକ୍ଷ ମୂଳରୁ ଉପୁଡ଼ି ଲାଖି ରହିଥିବାରୁ ପୁନଃ ପୋତା ଯାଇପାରିବା ଅବସ୍ଥାରେ ରହିଛି।
ଶିଖରଚଣ୍ଡି ପାହାଡ଼ ଛିନ୍ଛତର୍
ଭୁବନେଶ୍ବର : ହଜାର ହଜାର ଗଛ ଭିତରେ ଶୋଭା ପାଉଥିବା ଶିଖରଚଣ୍ଡି ପାହାଡ଼ ଏବେ ବୃକ୍ଷହୀନ ହୋଇଯାଇଛି। ପାହାଡ଼ରୁ ସବୁଜିମା ପରିବେଶ ନଷ୍ଟ ହୋଇଛି। ପ୍ରଳୟଙ୍କରୀ ବାତ୍ୟାରେ ଅଧିକାଂଶ ଗଛ ଭାଙ୍ଗି ଯାଇଥିବା ବେଳେ କେତେକ ଉପୁଡ଼ି ପଡ଼ିଛି। ଦିଏ ପର୍ଯ୍ୟଟକଙ୍କ ଆକର୍ଷଣ ତଥା ରାଜଧାନୀରେ ବଣଭୋଜି ଲାଗି ଉପଯୁକ୍ତ ସ୍ଥାନ ପାଲଟିଥିବା ଏହି ପାହାଡ଼ରେ ଆଉ ଆଗଭଳି ଦୃଶ୍ୟ ଦେଖିବାକୁ ମିଳୁନି। ସବୁ କିଛି ଛିନଛତ୍ର ହୋଇଯାଇଛି। ପାହାଡ଼ ଉପରକୁ ଚଢ଼ିବା ଏବେ ସମ୍ଭବପର ହେଉନାହିଁ। ତଳେ ଛିଡ଼ା ହୋଇ ଲୋକେ ଶିଖରଚଣ୍ଡି ପାହାଡ଼କୁ ଦେଖି ଆହା ପଦେ କହି ଚାଲି ଯାଉଛନ୍ତି। ତେବେ ପାହାଡ଼ର ପାଦଦେଶରେ ଥିବା ଗଛଗୁଡ଼ିକ ଛିଡ଼ା ହୋଇ ରହିଥିଲେ ମଧ୍ୟ ଡାଳ ନାହିଁ କି ପତ୍ର ନାହିଁ। ଏକପ୍ରକାର ଥୁଣ୍ଟା ପାହାଡ଼ରେ ପରିଣତ ହୋଇଛି ଶିଖରଚଣ୍ଡି।
ଭାଙ୍ଗିଲା ମୋବାଇଲ୍ ଟାୱାର୍, ଗଛ ପଡ଼ି ରାସ୍ତା ଅବରୋଧ
ଭୁବନେଶ୍ବର : ପ୍ରବଳ ବାତ୍ୟାରେ ଗଛ ପଡ଼ି ବରମୁଣ୍ଡା ଗାଁ’କୁ ସବୁଆଡ଼ୁ ବାଟ ବନ୍ଦ ହୋଇଯାଇଛି। ବରମୁଣ୍ଡା ଗାଁ’ର ବାରିକଘର ଛକ ପାଖରେ ଏକ ନଡ଼ିଆ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବରମୁଣ୍ଡା ଗ୍ରାମ ନୀଳକଣ୍ଠ ମନ୍ଦିର ନିକଟରେ ମଧ୍ୟ ଏକ ମୋବାଇଲ୍ ଟାୱାର୍ ଉପୁଡ଼ି ତଳେ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।