୨୯ରେ ଖୋଲିବ ଜୟଦେବ ଭବନର ନୂଆ ଅଡିଟୋରିୟମ

ଭୁବନେଶ୍ୱର : ନଭେମ୍ବର ୧୪, ୨୦୧୩। ଜୟଦେବ ଭବନର ନୂଆ ଅଡିଟୋରିୟମ୍‌ର ଶିଳାନ୍ୟାସ ହୋଇଥିଲା। ଶିଳାନ୍ୟାସ କରିଥିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାର ବହାସ୍ଫୋଟ ମାରିଲେ, ୧୫ ମାସ ମଧ୍ୟରେ ନୂଆ ଅଡିଟୋରିୟମ୍‌ ଠିଆ କରିଦେବୁ। କିନ୍ତୁ ଅଡିଟୋରିୟମ ଉଦ୍‌ଘାଟନ କରିବାକୁ ଲାଗିଗଲା ୪ବର୍ଷ। ଆଉ ଆସନ୍ତା ୨୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହୁ ପ୍ରତୀକ୍ଷିତ ଅଡିଟୋରିୟମକୁ ଉଦ୍‌ଘାଟନ କରିବାକୁ ସ୍ଥିର ହୋଇଛି।

ଏହି ଅଡିଟୋରିୟମ ପାଇଁ ୫କୋଟି ୨୫ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ହୋଇଥିବାବେଳେ ଏହି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ଦିଆଯାଇଥିଲା। ହେଲେ ଏତିକିରେ କାର୍ଯ୍ୟ ସରିଲାନି। ପୂର୍ତ୍ତ ବିଭାଗର ଇଞ୍ଜିନିୟରଙ୍କ ଠିକାଦାର ପ୍ରୀତି ପାଇଁ ଏହି ଅଡିଟୋରିୟମ ପାଇଁ ସରକାରୀ ତହବିଲ୍‌ରୁ ଆହୁରି ୩କୋଟିରୁ ଅଧିକ ଖର୍ଚ୍ଚ କରାଯାଇଛି। ଯାହା ଟେଣ୍ଡର ମାଧ୍ୟମରେ ନୁହେଁ ଚିଠାରେ ଦିଆଯାଇଛି। ଏପରିକି ଚିଠାରେ କାର୍ଯ୍ୟଦେବା ପାଇଁ ବିଭାଗୀୟ ଅଧିକାରୀମାନେ ଜାଣିଶୁଣି ଏହି ପ୍ରକଳ୍ପକୁ ୪ବର୍ଷ ଲଗାଇ ଦେଲେ ବୋଲି ଅଭିଯୋଗ ହୋଇଛି।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜୟଦେବ ଭବନର ଏହି ନୂଆ ଅଡିଟୋରିୟମ ପାଇଁ ୧୫ମାସ ଅବଧି ରଖାଯାଇଥିଲେ ହେଁ ୨ବର୍ଷରେ ବିଲଡିଂ ନିର୍ମାଣ କାର୍ଯ୍ୟ ସରିଥିଲା। କିନ୍ତୁ ଏଥିରେ ଅଡିଟୋରିୟକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିଲାନି। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ ହେବାରୁ ୩କୋଟିରୁ ଅଧିକ ଟଙ୍କା ଆହୁରି ଖର୍ଚ୍ଚ କରିବାକୁ ପଡ଼ିଲା। ଏପରିକି ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ କିଛି ନିର୍ଦ୍ଦିଷ୍ଟ ଉତ୍ତର ମିଳିନଥିଲା। କେଉଁଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେଲା, ଟେଣ୍ଡରରେ ହୋଇଥିବା କାର୍ଯ୍ୟରେ ଯେତିକି ସର୍ତ୍ତ ଥିଲା ସେହି ଅନୁଯାୟୀ କାହିଁକି କାମ ହେଲାନି ବୋଲି ପଚାରିବାରୁ ବିଭାଗୀୟ ଯନ୍ତ୍ରୀ କିଛି ଉତ୍ତର ଦେଇନଥିଲେ।

ପୂର୍ତ୍ତ ବିଭାଗର ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ ନୂଆ ଅଡିଟୋରିୟମରେ କେଉଁ ପ୍ରକାରର ସିଟ୍‌ ପଡ଼ିବ ତାହା ସ୍ଥିର ହୋଇପାରିନଥିଲା। ଏଥିପାଇଁ ପ୍ରାୟ ଦେଢ଼ ବର୍ଷ ଲାଗିଗଲା। ସିଟ୍‌ ଓ ମଞ୍ଚ କିପରି ହେବ ଚୂଡ଼ାନ୍ତ ହେବା ପରେ ୧୫ଦିନ ହେଲା କାର୍ଯ୍ୟ ଜୋରଦାର୍‌ ଆରମ୍ଭ ହୋଇଛି। ଉଦ୍‌ଘାଟନ ପୂର୍ବରୁ ସବୁ ସରିଯିବ ବୋଲି କହିଛନ୍ତି।

ନୂଆ ଅଡିଟୋରିୟମରେ ବେସ୍‌ମେଣ୍ଟ୍‌ରେ ପ୍ରାୟ ୧୨ ହଜାର ବର୍ଗଫୁଟର ପାର୍କିଂ ବ୍ୟବସ୍ଥା, ତଳ ମହଲାରେ ୭,୨୦୦ ବର୍ଗଫୁଟର ଡାଇନିଂ ହଲ୍‌, ପ୍ରଥମ ମହଲାରେ ୭,୮୦୦ ବର୍ଗଫୁଟର ସଭାଗୃହ ଏବଂ ଦ୍ୱିତୀୟ ମହଲାରେ ୮,୧୦୨ ବର୍ଗଫୁଟର ଇ-ପାଠାଗାର ନିର୍ମାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି।

ପ୍ରଥମ ମହଲା ଅଡିଟୋରିୟମରେ ୧୬୪ଟି ସିଟ୍‌ ପଡ଼ିବାକୁ ଥିବାବେଳେ ଏଠାରେ ୨୦ରେ ୩୦ଫୁଟର ମଞ୍ଚ ରହିବ। ଏହାସହିତ ଏହି ମହଲାରେ ୫୧ଜଣ ବସିବା ଭଳି ସମ୍ମିଳନୀ କକ୍ଷ, ତଳ ମହଲାରେ ରୋଷେଇ ବ୍ୟବସ୍ଥା ଏବଂ ଡାଇନିଂ ରହିବ। ଏଠାରେ ୧୦୯ଜଣ ଏକାଠି ଖାଇବା ବ୍ୟବସ୍ଥା ରହିବ। ଦ୍ୱିତୀୟ ମହଲାରେ ୧୧୦ଜଣ ଏକାଠି ବସି ପଢ଼ିବା ଭଳି ପାଠାଗାର ରହିବ।
ବର୍ତ୍ତମାନ ଯେଉଁ ଅଡିଟୋରିୟମ ହୋଇଛି ସେଥିରେ କେବଳ ବିଭିନ୍ନ ସଭା ସମିତି ହୋଇପାରିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଲୋକ ଓ ଶବ୍ଦର ବ୍ୟବସ୍ଥା ହୋଇନି। ପରବର୍ତ୍ତୀ ସମୟରେ ଏହା ଲାଗିପାରେ ବୋଲି କୁହାଯାଇଛି। ଏହି ଅଡିଟୋରିୟମ ପାଇଁ ଅନଲାଇନ୍‌ରେ ବୁକିଂ କରିବା ବ୍ୟବସ୍ଥା ହେଉଛି।

ସୂଚନାଯୋଗ୍ୟ ଯେ, ୧୯୭୬ ମସିହାରେ ଜୟଦେବ ଭବନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ରାଜଧାନୀର ଏମିତି ଏକ ପ୍ରେକ୍ଷାଳୟ ଯେଉଁଠି ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିରେ ୩୭୭ଟି ସିଟ୍‌ ରହିଛି। ହେଲେ ପ୍ରେକ୍ଷାଳୟର ଚାହିଦାକୁ ଦେଖି ଆବଶ୍ୟକ ସିଟ୍‌ ନ ଥିବାରୁ ଦର୍ଶକ ବସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆୟୋଜକ ଖାଦ୍ୟପାନୀୟର ବ୍ୟବସ୍ଥା କରିବାକୁ ଚାହିଁଲେ ବି ଲୋକ ଖାଇବାକୁ ଡାଇନିଂ ହଲ୍‌ଟିଏ ନାହିଁ। ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ବି ନାହିଁ। ଏସବୁକୁ ଦୃଷ୍ଟିରେ ରଖି ସରକାର ଜୟଦେବ ଭବନର ନୂଆ ଅଡିଟୋରିୟମ୍‌ ଯୋଜନା କରିଥିଲେ। ହେଲେ ଏହା ବର୍ତ୍ତମାନର ଅଡିଟୋରିୟମଠାରୁ ଛୋଟ ଅଛି।

ସମ୍ବନ୍ଧିତ ଖବର