ଘୁଞ୍ଚିଲା ଜୟଦେବ ଭବନ ନୂଆ ଅଡିଟୋରିୟମ ଉଦ୍‌ଘାଟନ

ଭୁବନେଶ୍ୱର : ଜୟଦେବ ଭବନ ପଛ ପାର୍ଶ୍ୱରେ ନିର୍ମାଣ ହୋଇଥିବା ନୂଆ ଅଡିଟୋରିୟମ ଉଦ୍‌ଘାଟନ କରିବାକୁ ମୁଖ୍ୟମନ୍ତ୍ରୀ ୨୯ତାରିଖ (ବୁଧବାର ପାଇଁ) ସମୟ ଦେଇଥିଲେ ହେଁ ଶେଷ ମୁହୂର୍ତ୍ତରେ ମନା କରିଦେଇଛନ୍ତି। ତେଣୁ ନୂଆ ଅଡିଟୋରିୟମ ଉଦ୍‌ଘାଟନୀ ଉତ୍ସବ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

ଜୟଦେବ ଭବନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ୍‌ କରାଯାଇଛି। ଡିସେମ୍ବର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏହି ଅଡିଟୋରିୟମ ଉଦ୍‌ଘାଟନ କରିବେ ବୋଲି ଆପତତଃ ସ୍ଥିର ହୋଇଛି। ଅପରପକ୍ଷେ ପୂର୍ତ୍ତ ବିଭାଗ ପକ୍ଷରୁ ଅଡିଟୋରିୟମ୍‌ ସିଟ୍‌ ପକାଇବା କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ।

ଆଜି ନିର୍ମଳାକୃତୀ ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ୱର : ନିର୍ମଳାକୃତି ଟ୍ରଷ୍ଟ ପକ୍ଷରୁ ୨୯ ତାରିଖ ବୁଧବାର ଦିନ ଜୟଦେବ ଭବନଠାରେ ନିର୍ମଳାକୃତି ସମ୍ମାନ ପ୍ରଦାନ ସମାରୋହ ସନ୍ଧ୍ୟା ୬ଟା ୩୦ରେ ଅନୁଷ୍ଠିତ ହେବ। ଏହି ଅବସରରେ ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ମାଆ’ ପ୍ରଦର୍ଶିତ ହେବ। ଦ୍ୱିତୀୟ ନିର୍ମଳା କୃତୀ ସମ୍ମାନରେ ଅଶ୍ୱିନୀ ହସ୍ପିଟାଲର ଚେୟାରମ୍ୟାନ ସୁବ୍ରତ କୁମାର ଜେନା, ଶିଳ୍ପଦ୍ୟୋଗୀ ପାରମିତା ମହାପାତ୍ର, ସମାଜସେବୀ ଅଭୟ ମହାନ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଉତ୍ସବରେ ଅତିଥି ଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଆୟକର ବିଭାଗ ଆୟୁକ୍ତ ଶରତ ଦାଶ, ପୂର୍ବତନ ଆୟକର ବିଭାଗ ମହାନିର୍ଦେଶକ ନୃସିଂହ ପ୍ରସାଦ ତ୍ରିପାଠୀ, ନିର୍ଦେଶକ ଆର୍ତବନ୍ଧୁ ପାତ୍ର ଓ ଅଶ୍ୱିନୀ ହସ୍ପିଟାଲ ଚେୟାରମ୍ୟାନ ସୁବ୍ରତ କୁମାର ଜେନା ପ୍ରମୁଖ ଯୋଗ ଦେବେ ।

ବାଣୀବିହାରରେ ହେବ ପଠାଣୀ ସାମନ୍ତ ସୁପରକମ୍ପ୍ୟୁଟିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହେବ ପଠାଣୀ ସାମନ୍ତ ସୁପରକମ୍ପ୍ୟୁଟିଂ କାର୍ଯ୍ୟକ୍ରମ। ରାଜ୍ୟ ବିଶ୍ୱବିିଦ୍ୟାଳୟଗୁଡ଼ିକରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଇନ୍‌ ହାଇ ପର୍ଫମାନ୍ସ କମ୍ପ୍ୟୁଟିଂ ଆଣ୍ଡ ଡିପ୍‌ ଲର୍ଣ୍ଣିଂ ପ୍ରତିଷ୍ଠା କରିବାକୁ ପୁନେସ୍ଥିତ ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଅଫ୍‌ ଆଡଭାନ୍ସ କମ୍ପ୍ୟୁଟିଂ ପ୍ରସ୍ତାବ ଦେଇଥିଲା। ତାହାକୁ ରାଜ୍ୟ ସରକାର ଗ୍ର୍ରହଣ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏହାକୁ ଲାଗୁ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକ୍ରମ ଲାଗି ରାଜ୍ୟ ପକ୍ଷରୁ ୩୦ ଲକ୍ଷ ଟଙ୍କା ଦିଆଯିବ। ବିଶ୍ୱବିଦ୍ୟାଳୟର ଆଇଟି ବିଭାଗ ଅଧୀନରେ ଏହି କାର୍ଯ୍ୟକ୍ରମ ଚାଲିବ। ଏଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ଓଏସ୍‌ଡି ବିନୋଦ କୁମାର ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି।

ନାରୀ ସଶକ୍ତୀକରଣ ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟରେ ଏକ ରାଜ୍ୟସ୍ତରୀୟ ନାରୀ ସଶକ୍ତିକରଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଜାତା ନାୟକ, ଓଡ଼ିଶା ରାଜ୍ୟ ମହିଳା କମିଶନର ସଦସ୍ୟା ମମତା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରଟିକୁ ଅର୍ନ୍ତଯ୍ୟାମୀ ସେଠୀ ସଂଯୋଜନା କରିଥିଲେ। ନାରୀ ପୁରୁଷ ସମାନତା, ସମାଜରେ ନାରୀମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ, ଯୌତୁକ ପ୍ରଥା, ସାମାଜିକ କୁସଂସ୍କାର, ନାରୀ ସ୍ୱାଧୀନତା ଓ ସଶକ୍ତିକରଣ ଉପରେ ଉପସ୍ଥିତ ବକ୍ତାମାନେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକମଣ୍ଡଳୀ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୨୧ତମ ଅଧିବେଶନ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୨୧ତମ ଅଧିବେଶନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପକ ପବିତ୍ର ମୋହନ ବାରିକଙ୍କ ପ୍ରଥମ କବିତା ସଂକଳନ ‘ଦୂର ଆକାଶର ପକ୍ଷୀ’ ଓ ସଂସଦର ମାସିକ କବିତା ସଂକଳନ ଉନ୍ମୋଚିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଆୟୋଜିତ କବି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କବିମାନେ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ। କବି ଘନବିହାରୀ ମହାରଣା ଓ ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। କବି ପ୍ରଶାନ୍ତ କୁମାର ବିଶ୍ୱାଳ, ରଘୁନାଥ ଜେନାମଣି, ବସନ୍ତ ମାଝି, ଡ. ଦିଗରାଜ ବ୍ରହ୍ମା, ବିଜୟଲକ୍ଷ୍ମୀ (ମହାନ୍ତି) ପଟ୍ଟନାୟକ, ଶଶାଙ୍କ ଶେଖର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର