ଜୟଦେବ ନିର୍ବାଚନମଣ୍ଡଳୀ : ପ୍ରଚାର ମଇଦାନକୁ ଓହ୍ଲାଇଲେ ଢାଲି

ବାଲିଅନ୍ତା : ଜୟଦେବ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ସ୍ବାଧୀନ ଓ ଦଳୀୟ ପ୍ରାର୍ଥୀଙ୍କୁ ଚିହ୍ନ ମିଳି ଯାଇଥିବାରୁ ଏବେ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି। ବିଜେଡି ପ୍ରାର୍ଥୀ ଅରବିନ୍ଦ ଢାଲି ଆଜିଠୁ ପ୍ରଚାର ଆରମ୍ଭ କରିଛନ୍ତି। ଆସନ୍ତାକାଲି ବିଜେଡି ପକ୍ଷରୁ ବାଲିପାଟଣା କଲେଜ ପଡ଼ିଆରେ ହେବାକୁ ଥିବା କର୍ମୀ ସମ୍ମିଳନୀ ପାଇଁ ଆଜି ବିଶ୍ବନାଥପୁରସ୍ଥିତ ମା’ ଦକ୍ଷିଣେଶ୍ୱରୀ ପୀଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଢାଲି ଯୋଗଦେଇ ବୈଠକରେ ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ୨୦୦୯ ମସିହାରେ ଏଠାରୁ ପ୍ରାର୍ଥୀ ହୋଇ ଜୟଦେବବାସୀ ତାଙ୍କୁ ୪୩ହଜାରରୁ ଅଧିକ ଭୋଟ୍‌ରେ ଜିତାଇଥିଲେ। ତେଣୁ ଏଥର ଅଧିକ ଭୋଟ୍‌ ବ୍ୟବଧାନରେ ତାଙ୍କୁ ଜିତାଇବା ପାଇଁ ସେ କର୍ମୀମାନଙ୍କୁ କହିଥିଲେ। ଗୁରୁବାର ହେବାକୁ ଥିବା ବାଇକ୍ ରାଲିକୁ ସଫଳ କରିବାକୁ ୩୩ଟି ପଞ୍ଚାୟତର ସମର୍ଥକ ଯୋଗଦେବାକୁ ସେ କହିଥିଲେ। ସଭା ପରେ ଶ୍ରୀ ଢାଲି ଅଠାନ୍ତରସ୍ଥିତ ପାର୍ଟି କାର୍ଯ୍ୟାଳୟର ଶୁଭାରମ୍ଭ କରିଥିଲେ। ଏଠାରେ ବାଲିପାଟଣା ବ୍ଲକ ସଭାପତି ପ୍ରତାପ କେଶରୀ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭାଗୀରଥି ପାତ୍ର ଓ ବାଲିଅନ୍ତା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗତଜୀବନ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ପୂର୍ବତନ ଜନପ୍ରତିନିଧି ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।

‌‌ଅପରପକ୍ଷେ ଭୁବନେଶ୍ୱର ଲୋକସଭା ବିଜେପି ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀଙ୍କ ରୋଡ୍‌ ସୋ’ ଓ ମାରାଥନ୍‌ ପ୍ରଚାର ପରେ ବିଜେପି ଶିବିରରେ ତତ୍ପରତା ଦେଖାଦେଇଛି। ବିଧାୟକ ପ୍ରାର୍ଥୀ ନରେନ୍ଦ୍ରନାଥ ନାୟକଙ୍କ ପଞ୍ଚାୟତ ବୈଠକ କାର୍ଯ୍ୟକ୍ରମ ଜାରି ରହିଛି। ଉଭୟ ସାଂସଦ ପ୍ରାର୍ଥିନୀ ଶ୍ରୀମତୀ ଷଡ଼ଙ୍ଗୀ ଓ ଶ୍ରୀ ନାୟକଙ୍କ ସମେତ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଦିଲ୍ଲୀପ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିର୍ବାଚନମଣ୍ଡଳୀର ମାର୍ଥାପୁର, ପ୍ରତାପରୁଦ୍ରପୁର, କୁରୁଞ୍ଜିପୁର, ଭାକରସାହି, ପୂରଣପଧାନ ଓ ଟୋଲକପଡ଼ା ଆଦି ସ୍ଥାନରେ ପଞ୍ଚାୟତସ୍ତରୀୟ ବୈଠକ‌ରେ ବିଭିନ୍ନ ବୁଥ୍‌ର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ରଣନୀତି ପ୍ରସ୍ତୁତ କରିଥିଲେ। ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ଶିବ ମଲ୍ଲିକ, ଜଗନ୍ନାଥ ବେହେରା, ଜିଲ୍ଲା ପରିଷଦ ସଭ୍ୟା ରାଜଲକ୍ଷ୍ମୀ ଉପାଧ୍ୟାୟ, ସଂଜୟ ତ୍ରିପାଠୀ, ପ୍ରମୋଦ ସାହାଣିଙ୍କ ସମେତ ସନ୍ତୋଷ କୁଣ୍ଡୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

‌‌‌‌‌ତେବେ ବାଲିପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ ଆଦିତ୍ୟ ପାତ୍ର ବିଜେପିରେ ଯୋଗ ଦେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପ୍ରଶାନ୍ତ ବର୍ତ୍ତମାନର ବାଲିପାଟଣା ବ୍ଲକ ଅଧ୍ୟକ୍ଷା ମନୀଷା ଚୌଧୁରୀଙ୍କ ସ୍ୱାମୀ। ସେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ବାଲିପାଟଣା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। କିନ୍ତୁ ସଂଗଠନର ନୀତିଗତିରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିବା କହିଛନ୍ତି। ଏପଟେ ପତ୍ନୀ ଶ୍ରୀମତୀ ଚୌଧୁରୀ ଆଗାମୀ କାର୍ଯ୍ୟପନ୍ଥା ନେଇ କିଛି ନିଷ୍ପତ୍ତି ନେଇନାହାନ୍ତି।

ଅନ୍ୟପକ୍ଷରେ ‘ଆମ ସଂଗଠନ’ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ନବକିଶୋର ମଲ୍ଲିକଙ୍କ ଶିବିର ଆଜି ଦିନତମାମ ଚଳଚଞ୍ଚଳ ଥିଲା। ବାଲିଅନ୍ତା ବ୍ଲକ ଅଧୀନ ଗଡ଼ଶ୍ରୀରାମପୁରସ୍ଥିତ ସଂଗଠନର କାର୍ଯ୍ୟାଳୟରେ ଜାରି ରହିଥିବା ମିଶ୍ରଣ ପର୍ବରେ ନିର୍ବାଚନମଣ୍ଡଳୀର ୩୩ଟି ପଞ୍ଚାୟତରୁ ଆସିଥିବା ଶତାଧିକ ଲୋକ ସଂଗଠନର ଅଧ୍ୟକ୍ଷ ଚନ୍ଦନ ପାତ୍ରଙ୍କୁ ସମର୍ଥନ ଜଣାଇଥିଲେ। କଂଗ୍ରେସର ପ୍ରତାପରୁଦ୍ରପୁରର ପୂର୍ବତନ ସରପଞ୍ଚ ବାବୁଲି ନନ୍ଦ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ସଭାପତି ବିପିନ ପାତ୍ରଙ୍କ ସମେତ କଂଗ୍ରେସର ବହୁ କର୍ମୀ ନିର୍ବାଚନରେ ସହଯୋଗ କରିବେ ବୋଲି କହିଥିଲେ। ଖୋର୍ଧା ଜିଲ୍ଲା ଅଞ୍ଚଳର ନାରୀନେତ୍ରୀ ପଦ୍ମିନୀ ଦାସଙ୍କ ସହ ରାଜସର ପୂର୍ବତନ ସରପଞ୍ଚ ବିଷ୍ଣୁଚରଣ ମଲ୍ଲିକ ଓ ୩୦ଜଣ ପୂର୍ବତନ ଜନପ୍ରତିନିଧି ସଂଗଠନରେ ସାମିଲ ହୋଇଥିଲେ। ସେହିପରି ଟିକେଟ ପାଇ ନଥିବା ବିଜେପିର ଅସନ୍ତୁଷ୍ଟ ପ୍ରାର୍ଥୀ, କର୍ମୀ ଓ ସମର୍ଥକମାନେ ମଧ୍ୟ ନବଙ୍କୁ ସମର୍ଥନ ଜଣାଇଥିଲେ। କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ଦ୍ବାରିକାନାଥ ଦାଶ ଓ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ପ୍ରମୁଖ ସାମିଲ ଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡ଼ିଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବାରୁ ସ୍ବାଧୀନ ପ୍ରାର୍ଥୀ ରାଘବ ସେଠୀଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର