ଭୁବନେଶ୍ବର: ଜୟଦେବ ଜୟନ୍ତୀ ଉପଲକ୍ଷେ କଳ୍ପତରୁ ପ୍ରତିଭା ସମ୍ମାନ ଓ ଶିଳ୍ପୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ‘ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌’ ଓ ‘କଳ୍ପତରୁ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଆସୋସିଏସନ୍‌’ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ କହିଲେ, ପୃଥିବୀର ଶ୍ରେଷ୍ଠ କବି ହେଉଛନ୍ତି ଜୟଦେବ। ତାଙ୍କ ରଚିତ ଗୀତଗୋବିନ୍ଦ ୭୨ଟି ଭାଷାରେ ଅନୁବାଦ ହୋଇସାରିଲାଣି। ତାଙ୍କୁ ବିଶ୍ବ ମାନବ ସଭ୍ୟତାର ପ୍ରତିଭା କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment

ଅନ୍ୟତମ ଅତିଥି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ କହିଲେ, ମଣିଷ ଜନ୍ମ ଦୁର୍ଲଭ। ସେହି ମଣିଷ ଭିତରେ କବିଟିଏ ଜନ୍ମ ‌ନେବା ଏକ କଷ୍ଟକର ପର୍ଯ୍ୟାୟ। ହେଲେ ଆମ ରାଜ୍ୟର ଅଦ୍ବିତୀୟ ତଥା ଶ୍ରେଷ୍ଠ କବି ଜୟଦେବ ସବୁଠୁ ବଡ଼ ଓ ବଳିଷ୍ଠ କାବ୍ୟ ଗୀତଗୋବିନ୍ଦ ଲେଖି ଓଡ଼ିଶାକୁ ସାରା ବିଶ୍ବରେ ଗୌରବାମଣ୍ଡିତ କରିଛନ୍ତି। ସମ୍ମାନିତ ଅତିଥି ପୂର୍ବତନ ପ୍ରଶାସକ ସୁକାନ୍ତ ପ୍ରଧାନ କହିଲେ, ଆମେ ଓଡ଼ିଆ ଜାତି ସମ୍ବେଦନଶୀଳ। ତେଣୁ ଆମେ ସବୁବେଳେ ଭୋଗୀ, ତ୍ୟାଗୀ ହୋଇ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବା। ସମ୍ମାନିତ ଅତିଥି କବିତା ମଞ୍ଜରୀ ପରିଡ଼ା କହିଲେ, ପ୍ରତିଯୋଗିତା ମାଧ୍ୟମ‌ରେ ପିଲାଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବା ଆବଶ୍ୟକ। ବରେଣ୍ୟ ଅତିଥି ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ। ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ବାଳ ଓ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ଚିତ୍ରଶିଳ୍ପୀ ଜନାର୍ଦ୍ଦନ ପରମଗୁରୁ, ଶ୍ବେତପଦ୍ମା ମିଶ୍ର, କଣ୍ଠଶିଳ୍ପୀ ବିଦ୍ୟାଧର ଶତପଥୀ, ଫଟୋ ସମ୍ବାଦିକ ଗଣେଶ ସାହୁ, ମୋହନ ସାହୁ, ରଞ୍ଜନ କୁମାର ମହାନ୍ତି, ସସ୍ମିତା କାମ୍‌ଲେଙ୍କୁ ଚଳିତବର୍ଷର ‘କଳ୍ପତରୁ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ନୃତ୍ୟଶିଳ୍ପୀ ଟ୍ବିଙ୍କିଲ୍‌ ମିଶ୍ରଙ୍କୁ ‘କଳ୍ପତରୁ ଶିଶୁ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସ୍କୁଲ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ କୁନି କୁନି କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।