ଦୁଇଜଣ ଯୁବକ କରୋନା ସଂକ୍ରମିତ ବୋଲି ରିପୋର୍ଟ ମିଳିବା ପରେ ଜୟଦେବ ପଞ୍ଚାୟତର ଦୁଇୱାର୍ଡ ସିଲ୍

ବାଲିଅନ୍ତା : ଗତକାଲି ବାଲିଅନ୍ତା ବ୍ଲକ ଅଞ୍ଚଳରୁ ଦୁଇଜଣ ଯୁବକ କରୋନା ସଂକ୍ରମିତ ବୋଲି ରିପୋର୍ଟ ମିଳିବା ପରେ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟଦେବ ପଞ୍ଚାୟତର ୨ଟି ୱାର୍ଡକୁ ଏକ ସପ୍ତାହ ପାଇଁ ସିଲ୍‌ କରାଯାଇଛି। ଏହି ପଞ୍ଚାୟତ ଅଧୀନ କେନ୍ଦୁବିଲ୍ବ ଗ୍ରାମର ଉପରସାହି, ରାଉଳା, ନାନାକାର, ପେଟବଜାର ଏବଂ ଜୟଦେବ ବଜାରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ଭାବେ ଘୋଷଣା କରାଯାଇଛି। ତେଣୁ ଏହି ସମୟ ମଧ୍ୟରେ କୌଣସି ଗ୍ରାମବାସୀ ବାହାରକୁ ଯାଇ ପାରିବେ ନାହିଁ କିମ୍ବା ବାହାର ଅଞ୍ଚଳର କୌଣସି ବ୍ୟକ୍ତି ବିଶେଷ ଗ୍ରାମ ଭିତରକୁ ପଶିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ପୂରଣ ପାଇଁ ଲୋକମାନେ ପଞ୍ଚାୟତ ଜନପ୍ରତିନିଧି ଅଥବା ପ୍ରଶାସନ ସହ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି।

ସୂଚନାନୁସାରେ ଜଣେ ତେଲେଙ୍ଗାନା ଫେରନ୍ତା ଯୁବକ ପଞ୍ଚାୟତ ସଂଗରୋଧରୁ ଫେରି ଗୃହ ସଂଗରୋଧରେ ଥିବା ବେଳେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ। ତେଣୁ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସମେତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ଆଜି ତଥ୍ୟ ସଂଗ୍ରହ କରାଯାଇଛି ଓ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଇଥିବା ନେଇ ସୂଚନା ମିଳିଛି। ଜୟଦେବ ପଞ୍ଚାୟତର ୱାର୍ଡ଼ ନଂ -୨ ଏବଂ ୱାର୍ଡ ନଂ -୩ କୁ ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ବାଲିଅନ୍ତା ବ୍ଲକ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଭିଙ୍ଗାରପୁର ପଞ୍ଚାୟତ ଅଧୀନ ଅକ୍ସଫୋର୍ଡ ସଂଗରୋଧ କେନ୍ଦ୍ର ଏବଂ ଏହାର ପରିସରକୁ ସାନିଟାଇଜ୍‌ କରାଯାଇଛି । ସେହିପରି ଜୟଦେବ ପଞ୍ଚାୟତର ଉପରୋକ୍ତ ଦୁଇଟି ଯାକ ୱାର୍ଡରେ ମଧ୍ୟ ଅନୁରୂପ ଭାବେ ବାଲିଅନ୍ତା ଦମକଳ କେନ୍ଦ୍ର ସେବା କର୍ମଚାରୀମାନେ ପହଞ୍ଚି ସାନିଟାଇଜ୍‌ କରିଥିବା ସୂଚନା ମିଳିଛି। ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରାଙ୍କ ସମେତ ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ , ସ୍ଥାନୀୟ ସରପଞ୍ଚ ପ୍ରଜ୍ଞ‌ା ପାରମିତା ଜେନାମଣି ଏବଂ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ପ୍ରମୁଖ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର