ଜୟଦେବ ବିହାର-ନନ୍ଦନକାନନ ବିକଳ୍ପ ରାସ୍ତାରେ ପୁଣି କେଁ : ସୈନିକ ସ୍କୁଲ କ୍ୟାମ୍ପସରେ ଜାଗା ଛାଡ଼ିବାକୁ କର୍ତ୍ତୃପକ୍ଷ ମନା କଲେ
ଭୁବନେଶ୍ୱର : ବର୍ତ୍ତମାନ ଥିବା ଜୟଦେବ ବିହାର – ନନ୍ଦନକାନନ ରାସ୍ତାରେ ଭିଡ଼ ଜମୁଥିବାରୁ ଏହାର ସମାନ୍ତରାଳରେ ଦୁଇଟି ବିକଳ୍ପ ରାସ୍ତା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଯାଇଛି। ଯେଉଁଠି ପ୍ରତିବନ୍ଧକ ରହିଛି ତାହାର ସମାଧାନ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କିନ୍ତୁ ଏଥିରେ ଏବେ କେଁ ପୂରାଇଛନ୍ତି ସୈନିକ ସ୍କୁଲ କର୍ତ୍ତୃପକ୍ଷ। ସୈନିକ ସ୍କୁଲ କ୍ୟାମ୍ପସ ଦେଇ ଯିବାକୁ ଥିବା ସମାନ୍ତରାଳ ରାସ୍ତାକୁ ପ୍ରେସ୍ ଛକରେ ଥିବା ରାସ୍ତାକୁ ସ୍ଥାନାନ୍ତର କରିବାକୁ କହିଛନ୍ତିି। ଏହାପରେ ରାସ୍ତା ଡିଜାଇନ୍ ବଦଳିବ କି କ’ଣ ପଦକ୍ଷେପ ନିଆଯିବ ସେନେଇ କର୍ତ୍ତୃପକ୍ଷ ଅଡୁଆରେ ପଡ଼ିଯାଇଛନ୍ତି। ସୈନିକ ସ୍କୁଲର ଲୋକାଲ ବୋର୍ଡ ଅଫ୍ ଆଡମିନିଷ୍ଟ୍ରେସନ୍ର ଅଧ୍ୟକ୍ଷ ଭାଇସ୍ ଆଡମିରାଲ୍ କରମବୀର ସିଂହ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଏହି ପ୍ରସ୍ତାବିତ ରାସ୍ତା ସ୍କୁଲ କ୍ୟାମ୍ପସ ଦେଇ ଗଲେ ଏହା ସ୍କୁଲକୁ ଦୁଇ ଭାଗ କରିଦେବ। ଖେଳ ପଡ଼ିଆ, ସୁଇମିଂ ପୁଲ୍, ଆବାସିକ କ୍ୱାର୍ଟର୍ସ ଗୋଟିଏ ପାର୍ଶ୍ୱରେ ରହିବ। ଅନ୍ୟ ପାର୍ଶ୍ୱରେ ଏକାଡେମିକ ଏବଂ ପ୍ରଶାସନିକ ବ୍ଲକ୍ ରହିବ। ଏହାବାଦ୍ ଓଭରହେଡ୍ ପାଣି ଟାଙ୍କି, ଟ୍ରାନ୍ସଫର୍ମର ଏବଂ ବାଲ୍ ସୈନିକ ସ୍କୁଲକୁ ବି ସ୍ଥାନାନ୍ତର କରିବାକୁ ପଡ଼ିବ। ଏହାଦ୍ୱାରା ସ୍କୁଲ ପରିଚାଳନା କାର୍ଯ୍ୟ ପ୍ରଭାବିତ ହେବ।
ତେଣୁ ଏହି ସମାନ୍ତରାଳ ରାସ୍ତାକୁ ସ୍କୁଲ ଭିତରେ ନନେଇ ସୈନିକ ସ୍କୁଲ ରାସ୍ତାର ସମାନ୍ତରାଳ ଭାବେ ଥିବା ପ୍ରେସ୍ ଛକ ରାସ୍ତାରେ ନିଆଯାଉ। ଏହି ଦୁଇ ଥାକିଆ ରାସ୍ତାଟି ବିକଳ୍ପ ନନ୍ଦନକାନନ- ଜୟଦେବ ବିହାର ରାସ୍ତାକୁ ରେଲେଓ୍ଵ ଷ୍ଟାଡିୟମ ନିକଟରେ ସଂଯୋଗ କରିବ। ସ୍କୁଲ ଅଞ୍ଚଳକୁ ବିଚାରକୁ ନେଇ ପ୍ରସ୍ତାବିତ ରାସ୍ତାଟିକୁ ପ୍ରେସ୍ ଛକ ଦେଇ ନିଆଯାଉ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।