ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟ ମଣ୍ଡନକାରୀ ଓଡ଼ିଶା ମଧ୍ୟ ନିଜ ମଧ୍ୟରେ ସାମୟିତ କରି ରଖିଛି ଅନେକ ଅମୁଲ୍ୟ ବନୌଷଧି। ଏଗୁଡ଼ିକର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଏହା ସବୁବେଳେ ଚାହିଦାରେ ରହିଥାଏ। ବିଶେଷ କରି କରୋନା ମହାମାରୀ ପରଠାରୁ ଆର୍ୟୁବେଦିକ ଔଷଧ, ଚମନପ୍ରାସ, ପାରମ୍ପରିକ କାଢା, ସଞ୍ଜୀବନୀ ବଟୀ ଆଦିର ଚାହିଦା କ୍ରମାଗତ ବୃଦ୍ଧି ହେବାରେ ଲାଗିଛି। ହେଲେ ଗବେଷଣା ଅଭାବରୁ ଏବଂ ଦ୍ରୁତ ସହରୀକରଣ ଯୋଗୁ ବହୁ ଉପକାରୀ ଔଷଧୀୟ ଗୁଲ୍ମ ବର୍ତ୍ତମାନ ଲୁପ୍ତ ହେବାକୁ ବସିଲାଣି। ଏପରିକି ବହୁ ଔଷଧୀୟ ଗୁଳ୍ମ ଯେପରିକି ଅଜଗନ୍ଧା, ଅନନ୍ତମୂଳ, ଆମ୍ୱିଳିତି, ଗୁଡ଼ମାରି, ଗୁଡ଼ୁଚିଲତା, ବାସଙ୍ଗ, ପୁରୁଣି ପରି ବହୁ ଉଦ୍ଭିଦ କିଭଳି ଦେଖାଯାଏ ତାହା ମଧ୍ୟ ବର୍ତ୍ତମାନ ଯୁବପିଢ଼ି ଜାଣିନାହାନ୍ତି। ତେଣୁ ଏହି ଔଷଧୀୟ ବୃକ୍ଷ ଉପରେ ଲୋକମାନଙ୍କୁ ସୂଚନା ଦେବା ସହିତ ବୃକ୍ଷରୋପଣକୁ ପ୍ରୋତ୍ସାହନ କରିବା ପାଇଁ ସାମାଜିକ ଅନୁଷ୍ଠାନ ‘ଦିବ୍ୟଦିଗନ୍ତ’ ପକ୍ଷରୁ ଜୟଦେବ ଭବନରେ ତିନିଦିନିଆ ‘ଔଷଧୀୟ ବୃକ୍ଷ ପ୍ରଦର୍ଶନୀ’ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତ୍ତିକ ଭି, ସମ୍ମାନିତ ଅତିଥି ବନ ଉପସଂରକ୍ଷକ ଦେବପ୍ରିୟ କାମ୍ପା, କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ବୈଜ୍ଞାନିକ ପେଟିକାମ ଶ୍ରୀନିବାସ, ‘ରୋଟାରି ପ୍ରାନ୍ତପାଳ ମନୋଜ ତ୍ରିପାଠୀ, ଅନୁଷ୍ଠାନର ଅଧ୍ୟକ୍ଷା ମମତା ବିଶ୍ୱାଳ ଓ ସହପ୍ରତିଷ୍ଠାତା ଜୟ ପ୍ରକାଶ ମିଶ୍ର ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ସାଧାରଣ ସଂପାଦକ ଅଶ୍ୱିନୀ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିରେ ୨୬୨ ପ୍ରଜାତିର ବୃକ୍ଷ ସ୍ଥାନ ପାଇଛି। ଏଥିସହିତ ଏହି ବୃକ୍ଷର ଉପକାରିତା ମଧ୍ୟ ଲେଖାଯାଇଛି। ବିଶେଷ କରି ୨୪ ଘଣ୍ଟା ଅମ୍ଲଜାନ ଦେଉଥିବା ବୃକ୍ଷ ଏଥିରେ ପ୍ରଦର୍ଶିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/sfhhfshfsxbvbbxv-2025-11-11-01-37-18.jpg)