ଜୟଦେବ ରାଷ୍ଟ୍ରୀୟ ସମାରୋହ ଉଦ୍‌ଘାଟିତ

ଭୁବନେଶ୍ବର: ‘ରାଷ୍ଟ୍ରୀୟ ସଂସ୍କୃତି ମିସନ’ ପକ୍ଷରୁ ଆୟୋଜିତ ତିନି ଦିନିଆ ‘ଜୟଦେବ ରାଷ୍ଟ୍ରୀୟ ସମାରୋହ’ ଭଞ୍ଜ କଳାମଣ୍ଡପରେ ଆଜି ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ସମାରୋହର ପ୍ରଥମ ଅଧିବେଶନରେ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଭା ଚୟନ କ‌ାର୍ଯ୍ୟକ୍ରମ ‘ନବୀନ କଳାକାର’ ଆୟୋଜିତ ହୋଇଥିଲା। ଏଥିରେ ଭାରତର ବିଭିନ୍ନ ସହରରୁ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ, ଭାରତନାଟ୍ୟମ୍‌, କଥକ ଓ କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। କୃତୀ କଳାକାରମାନଙ୍କୁ ବରିଷ୍ଠ ବର୍ଗରେ ‘ଭାରତ ନୃତ୍ୟ ତିଳକମ୍‌’ କନିଷ୍ଠ ବର୍ଗରେ ‘ନୃତ୍ୟ ବିସ୍ମୟ ଉପାଧି’ ପ୍ରଦାନ କରାଯାଇଥିଲା। ଏଥିସହ ‘ନୃତ୍ୟ କୌମୁଦୀ’, ‘ନୃତ୍ୟ ପାରିଜାତମ୍‌’, ‘ନୃତ୍ୟଶ୍ରୀ’ ଓ ‘ନୃତ୍ୟଜ୍ୟୋତି’ ପୁରସ୍କାର ପ୍ରଦାନ କରାଯାଇଥିଲା।

ସନ୍ଧ୍ୟା ଅଧିବେଶନରେ ‘ଭାରତୀ ନୃତ୍ୟ ମନ୍ଦିର’ର କଳାକାରମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ପୁରୀର ଦେବରୂପା ଦାସଗୁପ୍ତା ମାହାରୀ ନୃତ୍ୟ ପରିବେଷଣ କରିଥିଲେ। କୋଲକାତା କଥକ ନୃତ୍ୟଶିଳ୍ପୀ ଦର୍ଶନୀ ଲାଲୀ ଚାଟାର୍ଜୀ ଓ ଭାରତ ନାଟ୍ୟମ୍‌ ନୃତ୍ୟଶିଳ୍ପୀ ତନୁଶ୍ରୀ ସାହା ଗୀତ ଗୋବିନ୍ଦ ଉପରେ ଅଭିନୟ କରିଥିଲେ। ସନ୍ଧ୍ୟାରେ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ପଣ୍ଡିତ ଗଦାଧର ମହାପାତ୍ର, ମାହାରୀ ନୃତ୍ୟଗୁରୁ ରୂପଶ୍ରୀ ମହାପାତ୍ର, ବିଶାଖାପାଟଣାର ବିଶିଷ୍ଟ କଳା ପୃଷ୍ଠପୋଷକ ବିକ୍ରମ ଗୌର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଜୟଦେବ, ପଦ୍ମାବତୀ ଓ ଚାରୁଶ୍ରୀଦେବ ରାଷ୍ଟ୍ରୀୟ ପୁରସ୍କାର ପ୍ରାଦନ କରାଯାଇଥିଲା। ଆୟୋଜକ ଜଗବନ୍ଧୁ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଓଡ଼ିଶୀ ନୃତ୍ୟଶିଳ୍ପୀ ଦେବମିତା ସାହୁ, ନାୟିକା ନୀଳପଦ୍ମା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର