ବାଲିଅନ୍ତା: ୨୦୧୯ ମସିହା ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଜୟଦେବ ପୀଠର ନବକଳେବର ହେବ। ରାତିରେ ଅନ୍ଧାର ରାଜୁତି କରୁଥିବା ପୀଠ ପରିସରରେ ଏଣିକି ଝଲମଲ କରିବ ହାଇମାଷ୍ଟ ଲାଇଟ୍। ପ୍ରମୋଦ ଉଦ୍ୟାନସ୍ଥିତ ଯମୁନା ନଦୀରେ ଜୁଆର ଉଠିବ ଏବଂ ପୁଣି ପଦ୍ମାବତୀ ପୁଷ୍କରିଣୀର ଜଳରାଶିରେ କମଳ ହସିଉଠିବ। ସକାଳେ ଓ ସଂଜେ ପୀଠ ପରିସରରୁ ଭାସି ଆସିବ ଗୀତଗୋବିନ୍ଦର ସୁମଧୁର ମୂର୍ଚ୍ଛନା ‘ଜୟ ଜଗଦୀଶ ହରେ’। ଆଜି ପୀଠ ପରିସରରେ ଅନୁଷ୍ଠିତ ସମନ୍ବୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ଏବଂ ଏଥିପାଇଁ ବିଭିନ୍ନ ଉତ୍ସରୁ ୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଏହି ପର୍ଯ୍ୟଟନସ୍ଥଳର ବିକାଶ ଲାଗି ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ତୁରନ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣାଧୀନ ପ୍ରେକ୍ଷାଳୟ ବା ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ନେଇ ଆଲୋଚନା କରାଯାଇଥିଲା। ୨୦୨୩ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପୀଠର ବିକାଶ ପାଇଁ ଆଲୋଚନା କରାଯାଇଥିଲା। ପୀଠର ପ୍ରବେଶ ପଥଠାରୁ ଆରମ୍ଭ କରି ପ୍ରଚ୍ଛଦପଟ୍ଟ ପ୍ରସ୍ଥାନ ଗେଟ୍ ଏବଂ ଏହାର ଚତୁଃପାର୍ଶ୍ବର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ସ୍ଥିର କରାଯାଇଥିଲା। ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ, ବନ ବିଭାଗ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ମନରେଗା ଯୋଜନା ପାଣ୍ଠିରେ ଏହି ପୀଠର ବିକାଶ କରାଯିବ। ପ୍ରଥମତଃ ୮ ଏକର ପରିମିତ ଔଷଧୀୟ ବଗିଚାର ସୁରକ୍ଷା ପାଇଁ ଏହାର ଚାରିପାଖରେ ପ୍ରାଚେରି ନିର୍ମାଣ କରାଯିବ ଏବଂ ଏଥିପାଇଁ ଦେଢ଼ କୋଟି ଟଙ୍କା ବ୍ୟୟ କରାଯିବ। ପଦ୍ମାବତୀ ମନ୍ଦିର ଓ ନୃସିଂହନାଥ ମନ୍ଦିରର ବିକାଶ ଲାଗି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଆବଶ୍ୟକ ଅନୁଦାନ ଯୋଗାଇଦେବ। ପୀଠରେ ଥିବା ସଂଗ୍ରହାଳୟର ସୌନ୍ଦର୍ଯ୍ୟୀକରଣ ଓ ନିର୍ମାଣାଧୀନ ଗ୍ରାମୀଣ ଗ୍ରନ୍ଥାଗାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ପ୍ରମୋଦ ଉଦ୍ୟାନରେ ଥିବା ଯମୁନା ନଦୀ ଓ ପଦ୍ମାବତୀ ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ମଧ୍ୟ ହେବ। ପାର୍କ, ଅତିଥି ଭବନ ଓ ଟଏଲେଟ୍ କଂପ୍ଲେକ୍ସର ନବୀକରଣ କରାଯିବ। ବଡ଼ କଥା ହେଉଛି ପୀଠ ପରିସରରେ ଥିବା ୧୨ଟି କୁଞ୍ଜକୁ ମରାମତି କରାଯାଇ ନୂଆ ରୂପ ଦିଆଯିବ। ସେହିଭଳି ନିର୍ମାଣାଧୀନ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଟେଣ୍ଡର ଉପରେ ଆଲୋଚନା ହୋଇଥିଲା। ଖୁବ୍ଶୀଘ୍ର ଏହିସବୁ କାମ ଆରମ୍ଭ କରାଯିବ ଏବଂ ଆସନ୍ତାବର୍ଷ ପର୍ଯ୍ୟଟନ ଋତୁ ବେଳକୁ କାମ ସରିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅରବିନ୍ଦ ଦାସ, ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା, ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ବାଲିଅନ୍ତା ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଜିଲ୍ଲା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ୍, ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ, ସମିତି ସଭ୍ୟ ଭାବଗ୍ରାହୀ ଗୋଚ୍ଛାୟତ ଏବଂ ପୂର୍ବତନ ସରପଞ୍ଚ ଅର୍ଜୁନ ଜେନାମଣି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାତିରେ ପୀଠ ପରିସର ଅନ୍ଧାରରେ ରହୁଥିବାରୁ ଖୁବ୍ଶୀଘ୍ର ଆଲୋକୀକରଣ ପାଇଁ ସ୍ଥାନୀୟ ଜନପ୍ରତିନିଧିମାନେ କହିଥିଲେ। ତେଣୁ ହାଇମାଷ୍ଟ ଲାଇଟ୍ ଲଗାଇବା ସହ ସାଉଣ୍ଡ ବକ୍ସରେ ସକାଳେ ଓ ସନ୍ଧ୍ୟାରେ ଗୀତଗୋବିନ୍ଦ ଗୀତ ବଜାଇବାକୁ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଛି।