ଚନ୍ଦ୍ରଶେଖରପୁର: ବିବାଦ ମଧ୍ୟରେ ଆଗେଇ ଚାଲିଛି ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାକାମ। ୨୦୦ ଫୁଟିଆ ରାସ୍ତା ସିଧା ନେବାକୁ ସାଲିଆସାହି ବସ୍ତିବାସିନ୍ଦା ଅଡ଼ି ବସିଛନ୍ତି। ଆଉ ଅନ୍ୟପଟେ ପ୍ରଶାସନ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ୁଛି। ସାଲିଆସାହି ଭିତରେ ରାସ୍ତା ନେବାକୁ ରାଜ୍ୟ ସରକାର ଏକପ୍ରକାର ନିଷ୍ପତ୍ତି ନେଇ ସାରିଛନ୍ତି। ସେହି ଅନୁଯାୟୀ ‌ସର୍ଭେ ହେବା ସହ କାମ ଆଗେଇଛି। ପ୍ରଭାବିତ ହେବାକୁ ଥିବା ୨୭ ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯିବା ସହ ଜମି ଅଧିଗ୍ରହଣ ମଧ୍ୟ ଶେଷ ହୋଇଛି। ୭ ଦିନ ମଧ୍ୟରେ ସମସ୍ତ ୨୭ଟି ଘରକୁ ମାଟିରେ ମିଶାଇ ପ୍ରଶାସନ ଆଶ୍ବସ୍ତ ହୋଇଛି। ଘରୋଇ ଜମିମାଲିକ କୌଣସି ପ୍ରତିବାଦ କରିନାହାନ୍ତି କିମ୍ବା ସ୍ବର ଉଠାଇ ନାହାନ୍ତି। ବରଂ ପ୍ରଶାସନକୁ ସହଯୋଗ କରି ଘର ଛାଡ଼ିଛନ୍ତି। ଏହାପରେ ପୂର୍ତ୍ତ ବିଭାଗ ଓ ବିଡିଏ ମିଳିତ ଭାବେ ଘରଗୁଡ଼ିକ ଭାଙ୍ଗିବା ସହ ୨୦୦ ଫୁଟିଆ ରାସ୍ତା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରିଛି।

Advertisment

ଥଇଥାନ କରିବାକୁ ବିଏମ୍‌ସିକୁ ନିର୍ଦ୍ଦେଶ

ରାସ୍ତା ନିର୍ମାଣ ଦ୍ବାରା ସହରବାସୀ ଉପକୃତ ହେବେ ସତ। ମାତ୍ର ପ୍ରକୃତି ଉପରେ ଏବେ ବଡ଼ ପାହାର ପଡ଼ିବାକୁ ଯାଉଛି। ଭଙ୍ଗା ଯାଇଥିବା ୨୭ଟି ଘର ଥିବା ଅଞ୍ଚଳରେ ୫୪ଟି ଗଛ ରହିଥିବା ସର୍ଭେ ସମୟରେ ଜଣାପଡ଼ିଛି। ରାସ୍ତା କାମ ପାଇଁ ଏହି ଗଛଗୁଡ଼ିକୁ ଏବେ କାଟିବାକୁ ପଡ଼ିବ। ଯେଉଁଥିରେ ପିଜୁଳି, ନଡ଼ିଆ, ଆତ, ବେଲ ପରି ଫଳନ୍ତି ବୃକ୍ଷ ରହିଛି। ଏକାମ୍ରକାନନ ନିକଟକୁ ଲାଗି ରହିଥିବା ଏହି ଅଞ୍ଚଳ ପରିବେଶ ଦୃଷ୍ଟିରୁ ବେଶ ସମ୍ବେଦନଶୀଳ ହୋଇଥିବାରୁ ଗଛଗୁଡ଼ିକର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ବିଶେଷକରି ସ୍ଥାନାନ୍ତର ହୋଇପାରୁଥିବା ଗଛଗୁଡ଼ିକୁ ଅନ୍ୟତ୍ର ଲଗାଇବା ଦିଗରେ ପଦକ୍ଷେପ ନେବାକୁ ସେମାନେ କହିଛନ୍ତି। ସାଲିଆସାହିରେ ପ୍ରଭାବିତ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ କ୍ଷତିପୂରଣ ସହ ଥଇଥାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି। ବିଡିଏ, ବିଏମ୍‌ସି ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ସର୍ଭେ କରି ୫୩୬ ଘରରେ ଚୂଡ଼ାନ୍ତ ମୋହର ଲଗାଇଛନ୍ତି। ପ୍ରଥମେ ବସ୍ତିବାସିନ୍ଦାଙ୍କୁ କିଭଳି ଥଇଥାନ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ବିଏମ୍‌ସିକୁ ଦାୟିତ୍ବ ଦିଆଯାଇଛି। କାରଣ ନିଷ୍ପତ୍ତି ଅନୁଯାୟୀ ସାଲିଆସାହି ଜମି ହା‌ତେଇବା ପୂର୍ବରୁ ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ରାସ୍ତା ଯିବାକୁ ଥିବା ଅଞ୍ଚଳରେ ପ୍ରଭାବିତ ହେବାକୁ ଥିବା ପରିବାରଙ୍କୁ ବୁଦ୍ଧବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ। ତାହାକୁ ନଜରରେ ରଖି ପଦକ୍ଷେପ ନିଆଯାଉଥିବା ବିଏମ୍‌ସିର ଜଣେ ଅଧିକାରୀ କରିଛନ୍ତି। ଅନ୍ୟପଟେ ବସ୍ତିବାସିନ୍ଦା ନିଜ ଜିଦିରେ ଅଟଳ ରହିଛନ୍ତି। କୌଣସି ପରିସ୍ଥିତିରେ ବସ୍ତି ଭିତରେ ଅଙ୍କାବଙ୍କା କରି ରାସ୍ତା କରିବାକୁ ଦେବେ ନାହିଁ। ୨୦୧୦ରେ ଖଗଡ଼ପୁର ଆଇଆଇଟି ଦ୍ବାରା କରାଯାଇଥିବା ନକ୍ସା ଅନୁଯାୟୀ ରାସ୍ତା ସିଧା ନିର୍ମାଣ ପାଇଁ ଅଡ଼ି ବସିଛନ୍ତି। ସୂଚନାଯୋଗ୍ୟ ଯେ ଏକାମ୍ରକାନନ ଛକରୁ ହତିଆସୁଣୀ ପଡ଼ିଆ ମଧ୍ୟ‌ରେ ସାଲିଆସାହି ଭିତରେ ୮୭୭ ମିଟର କାମ ବାକି ରହିଛି। ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁ ତିନି ବର୍ଷ ହେଲା ଏହି କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି।