ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଝାମେଲା ଏବେ ଘନେଇଛି। ରାସ୍ତା ସିଧା ନେବାକୁ ସାଲିଆସାହି ବସ୍ତିବାସିନ୍ଦା ଦାବି କରୁଥିବା ବେଳେ ପ୍ରଶାସନ କିନ୍ତୁ ରାସ୍ତାର ନକ୍ସା ନ ବଦଳା‌ଇବାକୁ ନିଷ୍ପତ୍ତି ନେଇଛି। ବରଂ ପୂର୍ବ ସରକାରଙ୍କ ସମୟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ହିଁ ରାସ୍ତା ନିର୍ମାଣ ହେବ। ଆଉ ମାତ୍ର ୬୫୦ ମିଟର ରାସ୍ତା ପାଇଁ ନକ୍ସାରେ ପରିବର୍ତ୍ତନ କରିବା ସମ୍ଭବପର ନୁହେଁ। ତେଣୁ ଯେଉଁଭଳି ନକ୍ସା ପ୍ରସ୍ତୁତ ହୋଇଛି ସେହି ଅନୁଯାୟୀ କାମ କରିବାକୁ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ‌ସାଲିଆସାହି ସମେତ ଚୁନୁକୋଳି ଗାଁ ନିକଟରେ ଉପୁଜିଥିବା ସମସ୍ୟାର ତୁରନ୍ତ ସମାଧାନ କରି ଡିସେମ୍ବର ସୁଦ୍ଧା ଏହି ୨୦୦ ଫୁଟିଆ ରାସ୍ତା କାମ ଶେଷ କରିବାକୁ ବୈଠକରେ ସ୍ଥିର ହୋଇଛି।

Advertisment

ଡିସେମ୍ବର ସୁଦ୍ଧା ସାଲିଆସାହି, ଚୁନୁକୋଳି ରାସ୍ତା ସରିବ
ସିଧା ରାସ୍ତା ନିର୍ମାଣରେ ଜଙ୍ଗଲ ଜମି ବାଧକ ସାଜିଲା
କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଲେ ୪ ବର୍ଷ ଲାଗିବ

ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସମେତ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଉଭୟ ବିଭାଗର ସଚିବ, ବିଏମ୍‌ସି କମିସନର, ବିଡିଏ ଉପାଧ୍ୟକ୍ଷ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିର୍ମାଣଧୀନ ୨୦୦ ଫୁଟିଆ ରାସ୍ତାର ସମୀକ୍ଷା କରିଥିଲେ। ବୈଠକରେ ସାଲିଆସାହିରେ ଉପୁଜିଥିବା ସମସ୍ୟା ନେଇ ଟିକିନିଖି ଆଲୋଚନା ହୋଇଥିଲା। ବସ୍ତିବାସିନ୍ଦାଙ୍କ ଦାବି ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ୨୦୧୦ରେ ଆଇଆଇଟି ଦ୍ବାରା ପ୍ରସ୍ତୁତ ହୋଇଥିବା ନକ୍ସା ଅନୁଯାୟୀ ରାସ୍ତା ନେବାକୁ ବସ୍ତିବାସିନ୍ଦା ଚାହୁଛନ୍ତି। ଏଭଳି କରିବା ଦ୍ବାରା ଏକାମ୍ରକାନନ ଭିତରେ ପ୍ରାୟ ୮ ଏକର ଜଙ୍ଗଲ ଜମିର ଆବଶ୍ୟକତା ହେବ। ଏଥିପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅନୁମତି ଲୋଡ଼ିବାକୁ ପଡ଼ିବ। ୫ ଏକର ଭିତରେ ଜଙ୍ଗଲ ଜମି ହୋଇଥିଲେ ରାଜ୍ୟ ସରକାରଙ୍କ ଅନୁମତିରେ ରାସ୍ତା ନିର୍ମାଣ ହୋଇପାରିଥାନ୍ତା। ମାତ୍ର ୮ ଏକର ଜଙ୍ଗଲ ଜମିର ଅନୁମତି ଆଣିବାକୁ ୩ରୁ ୪ ବର୍ଷ ସମୟ ଲାଗିଯିବ। ପୂର୍ବରୁ ଏହି ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଅଣାଯାଇଥିବାରୁ ପୁଣିଥରେ ଅନୁମତି ଲୋଡ଼ିବା ସମ୍ଭବପର ହେବ ନାହିଁ। ଏମିତି ଚାଲିଲେ ପ୍ରକଳ୍ପ ଆହୁରି ବିଳମ୍ବିତ ହେବ। ତେଣୁ ଯେଉଁ ନକ୍ସା ଅନୁଯାୟୀ ରାସ୍ତା ନିର୍ମାଣ ଚାଲିଛି ତାହାକୁ ବଳବତ୍ତର ରଖିବାକୁ ମତପ୍ରକାଶ ପାଇଥିଲା। ଆହୁରି ମଧ୍ୟ ନିଷ୍ପତ୍ତି ହୋଇଛି ଯେ ପ୍ରଭାବିତ ହେଉଥିବା ବସ୍ତିବାସିନ୍ଦାଙ୍କୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ।

 ସର୍ଭେରେ ଚିହ୍ନଟ ହୋଇଥିବା ପରିବାରଙ୍କୁ ଆବଶ୍ୟକ କ୍ଷତିପୂରଣ ସହ ଉପଯୁକ୍ତ ଥଇଥାନ ଦିଗରେ ପଦ‌‌କ୍ଷେପ ନେବେ। ନୀଳାଦ୍ରିବିହାରସ୍ଥିତ ବୁଦ୍ଧବିହାର ଆବାସରେ ସେମାନଙ୍କୁ ଘର ପ୍ରଦାନ କରାଯିବ। ପ୍ରଭାବିତ ବସ୍ତିବାସିନ୍ଦା କିଭଳି ସେଠାକୁ ଯିବେ ସେ‌ଦିଗରେ ବିଏମ୍‌ସି ପଦକ୍ଷେପ ନେବ। ବିଡିଏ ପକ୍ଷରୁ ଘରଗୁଡ଼ିକୁ ଭଙ୍ଗାଯିବା ପରେ ପୂର୍ତ୍ତ ବିଭାଗ କାମ ଆରମ୍ଭ କରିବ। କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ରାସ୍ତା କାମ କରିବାକୁ ପ୍ରଶାସନିକ ମୋହର ବାଜିଛି। ଲୋକସେବା ଭବନରେ ମନ୍ତ୍ରୀ ଓ ସଚିବସ୍ତରୀୟ ବୈଠକ ପରେ ଆଜି ପୂର୍ତ୍ତ ବିଭାଗ, ବିଏମ୍‌ସି ଓ ବିଡିଏ ଅଧିକାରୀମାନେ ନିଜ ନିଜ ସ୍ତରରେ ପଦକ୍ଷେପ ନେଇଛନ୍ତି। ଏକାମ୍ରକାନନରୁ ସାଲିଆସାହି ମଧ୍ୟରେ ଯେଉଁ ୨୭ଟି ଘରୋଇ ଜମି ଅଧିଗ୍ରହଣ ହୋଇଛି ସେଠାରେ କାମ ଆରମ୍ଭ ହୋଇଛି। ଡ୍ରେନ୍‌ ନିର୍ମାଣ କରିବାକୁ ଜାଗା ଚିହ୍ନଟ, କେତେ ଅଞ୍ଚଳରେ ରାସ୍ତା ଯିବ ସେନେଇ ମାପଚୁପ ସରିଛି। ପ୍ରାୟ ୨୬୦ ମିଟରର ଏହି ରାସ୍ତା ନିର୍ମାଣ ଦ୍ବାରା ୫୮ଟି ଗଛ କଟାଯିବ। ଅଧିକାଂଶ ବଡ଼ ବଡ଼ କଦମ୍ବ ଗଛ ଥିବାରୁ ତାହାକୁ ସ୍ଥାନାନ୍ତର କରିବା ସମ୍ଭବପର ନଥିବାରୁ କାଟିବାକୁ ସ୍ଥିର ହୋଇଛି। କିଛି ପଣସ ଗଛ ମଧ୍ୟ ରହିଛି। ତେଣୁ ବନ ବିଭାଗ ପକ୍ଷରୁ ଅନୁମତି ଅଣାଯିବା ସହ ତାହାକୁ କାଟିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଦିନକ ପୂର୍ବରୁ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଧାୟକ ଓ ବିଜେପି ନେତାମାନଙ୍କୁ ନେଇ ହୋଇଥିବା ବୈଠକରେ ରାସ୍ତା ସିଧା ନେବାକୁ ମତପ୍ରକାଶ ପାଇଥିଲା।