ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ୱ ସମାନ୍ତରାଳ ରାସ୍ତା ପାଇଁ ସାଲିଆସାହିରୁ ଜମି ଅଧିଗ୍ରହଣ ଚାଲିଛି। ଏହିକ୍ରମରେ ବୁଦ୍ଧବିହାର ଆଫଡେବଲ୍ ହାଉସିଂ ଯୋଜନାରେ ଘର ପାଇଥିବା ୫୩ ବସ୍ତିବାସିନ୍ଦାଙ୍କ ଘର ଭାଙ୍ଗିବା ଦିଗରେ ବିଡିଏ ଓ ବିଏମ୍ସି ଟିମ୍ ମିଳିତ ଭାବେ ପଦକ୍ଷେପ ନେଇଛନ୍ତି। ପ୍ରଥମ ଦିନ ୨୯ଟି ଘର ଭାଙ୍ଗିଥିବା ବେଳେ ଶନିବାର ବାକି ୨୨ଟି ଘରଗୁଡ଼ିକ ଭଙ୍ଗାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
ପୂର୍ବ ନିଷ୍ପତ୍ତି ନିଆଯାୟୀ ବିଡିଏ ଓ ବିଏମ୍ସିର ମିଳିତ ଉଚ୍ଛେଦକାରୀ ଦଳ ସାଲିଆସାହି ଅନ୍ତର୍ଗତ ଆଦିବାସୀ ଗାଁରେ ପହଞ୍ଚିଥିଲେ। ଯେଉଁ ପରିବାର ବୁଦ୍ଧବିହାର ଆବାସରେ ଘର ପାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବା ସହ ଘର ଖାଲି କରିବାକୁ କୁହାଯାଇଥିଲା। ଏହାପରେ ନିୟୋଜିତ ଜେସିବି ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଘର ଭଙ୍ଗାଯାଇଥିଲା। ବିଏମ୍ସି ଉତ୍ତର ଜୋନ୍ ଡେପୁଟି କମିସନର ମନମୋହନ ନାୟକଙ୍କ ତତ୍ତ୍ବାବଧାନରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଅନୁଷ୍ଠିତ ଏହି ଉଚ୍ଛେଦରେ ମୋଟ୍ ୨୯ଟି ଘର ଭଙ୍ଗା ଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୁଲିସ ମୁତୟନ ହୋଇଥିଲେ। ଉଚ୍ଛେଦ ସମୟରେ ବିଏମ୍ସିର ୩ ଜଣ ସହକାରୀ କମିସନର, ବିଡିଏ ଜେଇ ସିଦ୍ଧାର୍ଥ ବେହେରା, ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର ହରିହର ରାଉତ, ରଘୁନାଥ ବିଶ୍ୱାଳ, ରମେଶ ଚନ୍ଦ୍ର ବଳିଆରସିଂ, ରମେଶ ଚନ୍ଦ୍ର ମହାପାତ୍ର, ସୁକାନ୍ତ ବେହେରା, ଭାଗୀରଥି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଠିକ୍ ଭାବେ ସର୍ଭେ କରା ନଯାଇ ବସ୍ତିବାସିନ୍ଦାଙ୍କ ଘର ଜୋରଜବରଦସ୍ତ ଭଙ୍ଗାଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବସ୍ତିବାସିନ୍ଦା କହିଛନ୍ତି। ୨୦୦ ଫୁଟିଆ ରାସ୍ତା ଦ୍ବାରା ପ୍ରାୟ ୬୦୦ ପରିବାର ପ୍ରଭାବିତ ହେବାକୁ ଯାଉଛନ୍ତି। ହେଲେ ସେମାନଙ୍କୁ ଠିକ୍ ଭାବେ ଚିହ୍ନଟ କରାଯାଇ ନାହିଁ। ଯେଉଁମାନଙ୍କ ଘର ଏଠାରେ ନାହିଁ ସେମାନଙ୍କୁ ଚୟନ କରାଯାଇଛି। ଗୋଟିଏ ଗୋଟିଏ ପରିବାରର ୪ରୁ ୫ଜଣଙ୍କ ନାଁରେ ବୁଦ୍ଧବିହାର ଆବାସରେ ଘର ଆବଣ୍ଟିତ ହୋଇଛି। ବସ୍ତି ଭିତରେ ଘର ନ ଥିଲେ ମଧ୍ୟ କିଛି ଅଫିସର ଓ ନେତା ନିଜ ନିଜ ସମ୍ପର୍କୀୟଙ୍କ ନାଁରେ ଘର କରି ନେଇଛନ୍ତି। ଏହାର ତଦନ୍ତ ହେବା ଆବଶ୍ୟକ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ବର ସାଂସଦ ଏଠାରେ ଘୋଷଣା କରିଥିଲେ ଯେ ବସ୍ତିବାସିନ୍ଦାଙ୍କୁ ୬୦୦ ବର୍ଗଫୁଟ୍ର ଜାଗା ଯୋଗାଇ ଦିଆଯିବ। ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ତାହାକୁ ପାଳନ କରାଯାଇ ନାହିଁ। ଜାଗା ଦେବା ବଦଳରେ ଜୋରଜବରଦସ୍ତ ଉଠାଯାଉଛି। ଏମିତିକି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଜେପି ନେତାମାନେ ୨୦୦ ଫୁଟିଆ ରାସ୍ତା ସିଧା ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ପୂର୍ବ ସରକାରଙ୍କ ପଦାଙ୍କ ଅନୁସରଣ କରି ରାସ୍ତା ବଙ୍କା ନେବାକୁ ଯୋଜନା କରୁଛନ୍ତି। ଏହାକୁ ଆଦୌ ଗ୍ରହଣ କରାଯିବ ନାହିଁ ଏବଂ ଆଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/18/shffhxb-2025-10-18-02-32-21.jpg)