ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାକାମ ପୁଣି ଝୁଣ୍ଟିଛି। ପାଖାପାଖି ମାସେ ତଳେ ସର୍ଭେ ସରିଥିଲେ ମଧ୍ୟ ସାଲିଆସାହି ଭିତରେ କାମ କରିବାକୁ ପ୍ରଶାସନକୁ ଝାଳନାଳ ବୁହାଇବାକୁ ପଡ଼ିଲାଣି। ବାରମ୍ବାର ବିରୋଧ ହେବାରୁ ଏବେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ନାକେଦମ ହେବାକୁ ପଡ଼ିଛି। ଚିହ୍ନଟ ହୋଇଥିବା ୫୨୭ ପରିବାରକୁ ନୀଳାଦ୍ରିବିହାରସ୍ଥିତ ବୁଦ୍ଧବିହାରକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି। ସେହି ଅନୁଯାୟୀ ବିଏମ୍‌ସି ପକ୍ଷରୁ ଆଜି ବସ୍ତିବାସିନ୍ଦାଙ୍କୁ ଋଣରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବସ୍ତି ନିକଟରେ କ୍ୟାମ୍ପ୍‌ ଖୋଲାଯାଇଥିଲା। ଏଥିପାଇଁ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ଘରକୁ ଘର ବୁଲି ଲୋକଙ୍କୁ ଡାକିଥିଲେ ମଧ୍ୟ ବସ୍ତିବାସିନ୍ଦା ତାହାକୁ ପ୍ରତ୍ୟାଖ୍ୟା‌ନ କରିଥିଲେ। ଜଣେ ବି କେହି କ୍ୟାମ୍ପ ଅଫିସ୍‌କୁ ଆସି ନଥିଲେ। ବରଂ ବିଏମ୍‌ସି ଟିମ୍‌କୁ ବିରୋଧ କରିଥିଲେ। ଶତାଧିକ ବସ୍ତିବାସିନ୍ଦା ହାତରେ ଠେଙ୍ଗା ଧରି ବିଏମ୍‌ସି କର୍ମଚାରୀଙ୍କୁ ଘଉଡ଼ାଇବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ପୁଲିସ ସୁରକ୍ଷାରେ ବିଏମ୍‌ସି ଟିମ୍‌ ଫେରିଥିଲା।
ସନ୍ଧ୍ୟାରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ତଥା ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ପୂର୍ତ୍ତ ବିଭାଗ ଓ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୦ ଫୁଟିଆ ରାସ୍ତାକୁ ବଙ୍କା ନେବା ଅପେକ୍ଷା ସିଧା ନେବା ଉପରେ ଆଉ ଥରେ ବିଚାରବିମର୍ଶ କରିବାକୁ ମତପ୍ରକାଶ ପାଇଥିଲା। ସିଧା ରାସ୍ତା ଯିବା ଦ୍ବାରା ଏକାମ୍ରକାନନର ଜଙ୍ଗଲ ଜମି ପ୍ରଭାବିତ ହେବ। ଏଥିପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ଅନୁମତି ଆଣିବାକୁ ପଡ଼ିବ। ସିଧା ରାସ୍ତା ଦ୍ବାରା ଅଧିକ ଲୋକ ପ୍ରଭାବିତ ହେବେ ନାହିଁ। ଏହା ଉପରେ ଅଧିକ ସମୀକ୍ଷା କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ଧାର୍ଯ୍ୟ ସମୟ ସକାଳ ୮ଟାରେ ବିଏମ୍‌ସି ଟିମ୍‌ ସହ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ସାଲିଆସାହି ନିକଟ ହାତିଆଶୁଣି ପଡ଼ିଆ ନିକଟରେ ପହଞ୍ଚିଥିଲେ। କର୍ମଚାରୀମାନେ ଏକାଧିକ ଟିମ୍‌ରେ ବିଭକ୍ତ ହୋଇ ଘରକୁ ଘର ବୁଲି ଲୋକଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ରାଜୀବ ଆବାସ ଯୋଜନା ଓ ପ୍ରକଳ୍ପ ପ୍ରଭାବିତ ଯୋଜନାରେ ବୁଦ୍ଧବିହାରରେ ଥଇଥାନ କରିବାକୁ ହିତାଧିକାରୀଙ୍କୁ ପ୍ରିମିୟମ୍‌ ବାବଦରେ ୧.୫ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ। ସେହି ଅନୁଯାୟୀ ଯେଉଁ ବସ୍ତିବାସିନ୍ଦା ଏହି ପ୍ରିମିୟମ୍‌ ଅର୍ଥ ଦେବାରେ ଅକ୍ଷମ ସେମାନଙ୍କୁ ଋଣ ପ୍ରଦାନ ଦିଗରେ ବିଏମ୍‌ସି ସହାୟତାର ହାତ ବଢ଼ାଇଛି। ବିଏମ୍‌ସି କ୍ୟାମ୍ପ ଅଫିସ୍‌କୁ ଆସି ଆବଶ୍ୟକ କାଗଜପତ୍ର ଦାଖଲ କରି ଋଣ ନେବାକୁ ବିଏମ୍‌ସି କର୍ମଚାରୀମାନେ ଅନୁରୋଧ କରିଥିଲେ। ତେବେ ବସ୍ତିବାସିନ୍ଦା ଏହାକୁ ବିରୋଧ କରିବା ସହ କେହି ଆର୍ଥିକ ସହାୟତା ନ ନେବାକୁ ନିଷ୍ପତ୍ତି ନେଇଥିଲେ। ପରିଣାମ ସ୍ବରୂପ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଏମ୍‌ସି କର୍ମଚାରୀମାନେ ବସିବସି ନିରାଶ ହୋଇ ଫେରିଥିଲେ।
ବସ୍ତିବାସିନ୍ଦା କହିଛନ୍ତି ଯେ ଆଇଆଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ନକ୍ସା ଅନୁଯାୟୀ ୨୦୦ ଫୁଟିଆ ରାସ୍ତାକୁ ସିଧାସଳଖ ନିଆଯାଉ। ଫଳରେ ବହୁ କମ୍‌ ବସ୍ତିବାସିନ୍ଦାଙ୍କ ଘର ପ୍ରଭାବିତ ହେବ। ତାହା ନ କରି ଜୋର୍‌ ଜବରଦସ୍ତ ରାସ୍ତା ବଙ୍କେଇ ନେବାକୁ ଉଦ୍ୟମ ହେଉଛି। ରାସ୍ତା ସିଧା ଯିବା ନେଇ ପୂର୍ତ୍ତ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ ବିଏମ୍‌ସି ଅଧିକାରୀମାନେ ଗ୍ରହଣ ନ କରିବା‌ ଚିନ୍ତାର ବିଷୟ। ଏଥିରୁ ଜଣାପଡ଼ୁଛି ଯେ ମନ୍ତ୍ରୀଙ୍କ ଆଦେଶକୁ ବିଏମ୍‌ସି ମାନୁ ନାହିଁ। ଯେପର୍ଯ୍ୟନ୍ତ ନିଷ୍ପତ୍ତି ପରିବର୍ତ୍ତନ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସେମାନେ କହିଛନ୍ତି।