ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ ଏଡ଼ାଇବାକୁ ବାମପାର୍ଶ୍ବରେ ତିଆରି ହେଉଥିବା ସମାନ୍ତରାଳ ରାସ୍ତା ଆଉ ପାଦେ ଆଗକୁ ବଢ଼ିଛି। ହାତିଆଶୁଣି ପଡ଼ିଆ ପୂର୍ବରୁ ଅଟକି ରହିଥିବା ଏହି ୨୦୦ ଫୁଟିଆ ରାସ୍ତା କାମ ପୁଣିଥରେ ଆରମ୍ଭ ହୋଇଛି। ପଡ଼ିଆରେ ଥିବା ଖାଲଖମାଗୁଡ଼ିକରେ ଅବର୍ଜନା ପକାଯାଇ ପୂରଣ କରାଯାଉଛି। ରାସ୍ତା ନିର୍ମାଣ ଲାଗି ବିଭିନ୍ନ ସାମଗ୍ରୀ ପକାଯାଇ ଅଞ୍ଚଳକୁ ସମତୁଳ କରାଯାଇଛି। ପ୍ରତିଦିନ ୪ରୁ ୫ଟି ଜେସିବି, ଟ୍ରାକ୍ଟର ଦିନରାତି କାମରେ ଲାଗିଥିବାରୁ ଖୁବ୍ଶୀଘ୍ର ଏକାମ୍ରକାନନ ପର୍ଯ୍ୟନ୍ତ ରାସ୍ତା ଖୋଲିବା ନେଇ ରାଜଧାନୀବାସୀ ଆଶାବାଦୀ ହୋଇପଡ଼ିଛନ୍ତି।
ଗୋଟିଏ ପଟେ ସମାନ୍ତରାଳ ରାସ୍ତା ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ସାଲିଆସାହି ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ଜାରି ରହିଛି। ପ୍ରଥମେ ଥଇଥାନ, ତା’ପରେ ଉଚ୍ଛେଦ ଦାବିରେ ବସ୍ତିବାସିନ୍ଦାମାନେ ସାଲିଆସାହି ପ୍ରବେଶ ପଥରେ ଟେଣ୍ଟ ପକାଇ ଧାରଣା ଦେଇଛନ୍ତି। ବସ୍ତି ଭିତରକୁ ଯେପରି ୨୦୦ ଫୁଟିଆ ରାସ୍ତା ପ୍ରବେଶ କରି ନ ପାରିବ, ସେଥିପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଆଗରେ ରଖି ବସି ରହିଛନ୍ତି। ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସେମାନେ ରୋକଠୋକ୍ ଶୁଣାଇ ଦେଇଛନ୍ତି। ତାହା ସତ୍ତ୍ବେ ବି ପ୍ରଶାସନ ପକ୍ଷରୁ ଏକାମ୍ର କାନନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ରୂପରେଖ ପ୍ରସ୍ତୁତ ହୋଇଛି। ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ। ତା’ପରେ ରାସ୍ତା କାମ ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଛି।
୨୦୦ ଫୁଟିଆ ରାସ୍ତାକୁ ନେଇ ବସ୍ତିବାସିନ୍ଦା ଓ ପ୍ରଶାସନ ଛକାପଞ୍ଝା ମଝିରେ ଘାଣ୍ଟି ହେଉଛନ୍ତି ରାଜଧାନୀବାସୀ। ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଭିଡ଼ ଭିତରେ ଫସି ରହୁଛନ୍ତି। ଏକାମ୍ରକାନନରୁ ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ୨୦୦ ଫୁଟିଆ ରାସ୍ତାକୁ ସଂଯୋଗ କରୁଥିବା ସାଲିଆସାହି ଭିତର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଦୈନିକ ୫ରୁ ଅଧିକ ଦୁର୍ଘଟଣା ଘଟୁଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜୟଦେବବିହାର-ନନ୍ଦନକାନନ ରାସ୍ତା ଭିଡ଼ ଏଡ଼ାଇବାକୁ ଯଦି କିଏ ଥରେ ଏହି ରାସ୍ତାରେ ପଶିଯାଉଛି ତେବେ ନାକରେ କାନରେ କାନ୍ଦିବା ଥୟ। ଫେରିବାକୁ ବାଟ ପାଉନାହାନ୍ତି କି ଆଗକୁ ବଢ଼ିବାକୁ ରାସ୍ତା ମିଳୁନି। ଭୁଲ୍ବଶତଃ କୌଣସି ଆମ୍ବୁଲାନ୍ସ ରୋଗୀ ନେଇ ଯଦି ଏହି ରାସ୍ତାରେ ପଶିଯାଉଛି ତେବେ କଥା ସରିଲା। ମେଡିକାଲରେ ପହଞ୍ଚିଲା ବେଳକୁ ରୋଗୀଙ୍କ ଅବସ୍ଥା କ’ଣ ହୋଇଥିବ, ତାହା ଆଖିରେ ନ ଦେଖିଲେ କେହି ବିଶ୍ବାସ କରିବେ ନାହିଁ। ସାଲିଆସାହି ଭିତରେ ଅଣଓସାରିଆ ରାସ୍ତା ହୋଇଥିବାରୁ ଗୋଟିଏ ଦିଗରୁ ଯାଉଥିବା ଗାଡ଼ିକୁ ପାସ୍ କରିବାକୁ ଅନ୍ୟ ଦିଗରୁ ଆସୁଥିବା ଗାଡ଼ି ପାସ୍ କରିବା କଷ୍ଟକର ହୋଇପଡ଼ୁଛି। ଲୋକଙ୍କ ଘର ପାଚେରି ଭାଙ୍ଗିବା ଭଳି ପରିସ୍ଥିତି ଉପୁଜିଲାଣି। ପୂର୍ବାହ୍ଣ ଓ ସନ୍ଧ୍ୟାରେ ଭିଡ଼ ହେଉଥିଲେ ମଧ୍ୟ ଏଥିପ୍ରତି ନା ପ୍ରଶାସନ ଗୁରୁତ୍ବ ଦେଉଛି ନା ସାଲିଆସାହି ବାସିନ୍ଦା ବାଟ ଛାଡ଼ୁଛନ୍ତି। ସମସ୍ତେ ଏକପ୍ରକାର ଚୁପ୍। ଆଉ ପରିଣାମ ଭୋଗୁଛନ୍ତି ସହରବାସୀ।
ସାଲିଆସାହି ପ୍ରବେଶ ପଥରେ ବସ୍ତିବାସିନ୍ଦାଙ୍କ ଡେରା
ସହରବାସୀ ଭୋଗୁଛନ୍ତି ହୀନସ୍ତା, କେବେ ସରିବ ରାସ୍ତା?
ଲୋକଙ୍କ ଅଭିଯୋଗ ହେଉଛି ଯେ ରାସ୍ତା ନିର୍ମାଣ ଲାଗି ବହୁ ବର୍ଷ ତଳେ ନକ୍ସା ପ୍ରସ୍ତୁତ ହୋଇଥିଲା। ସେତେବେଳେ ସାଲିଆସାହିରେ ଏତେ ସଂଖ୍ୟକ ଘର ନ ଥିଲା। ଜଙ୍ଗଲ କିସମ ଜମି ହୋଇଥିବାରୁ ଖାଲି ପଡ଼ିଥିଲା। ବିଭିନ୍ନ ସମୟରେ ବନ୍ୟଜନ୍ତୁ ଏଠାରେ ଚଳପ୍ରଚଳ କରୁଥିଲେ। ଗତ ୫ରୁ ୬ ବର୍ଷ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏଠାରେ ଜଙ୍ଗଲ ଜମି ମାଡ଼ି ବସିବା ସହ ଘର କରିବାରୁ ସାଲିଆସାହିର କଳେବର ବୃଦ୍ଧି ପାଇଛି। ଯାହାକି ୨୦୦ ଫୁଟିଆ ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ସାଜିଛି। ଏହାଦ୍ବାରା ସହରର ଲକ୍ଷାଧିକ ଲୋକେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେବା ସହ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଥଇଥାନ କରି ରାସ୍ତା ନିର୍ମାଣ କରାଯାଉ। ନ ହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବ।