ଜରୁରୀ ପରିସ୍ଥିତିଠାରୁ ଏବେ ଦେଶର ଅବସ୍ଥା ଜଟିଳ

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର : ଜାତୀୟ ରାଜନୀତି ଗୋଟିଏ ରାଷ୍ଟ୍ରକୁ ସାମଗ୍ରିକ ଭାବେ ପ୍ରଭାବିତ କରିଥାଏ। ଏହା ସମସ୍ତଙ୍କୁ ମାର୍ଗଦର୍ଶନ କରିଥାଏ। କିନ୍ତୁ ବର୍ତମାନର ଜାତୀୟ ରାଜନୀତି, ଶାସନ ବ୍ୟବସ୍ଥାରେ ବିଡ଼ମ୍ବନା ଦେଖାଦେଇଛି। ଏଠି ସ୍ୱାଧୀନ ଭାବେ ମତପୋଷଣ କରୁଥିବା ନାଗରିକକୁ ଗୌରୀ ଲଙ୍କେଶର ଅବସ୍ଥା ଭୋଗ କରିବାକୁ ହେଉଛି। ନାଗରିକ କେଉଁ ମାଂସ ଖାଇବ, ସାହିତ୍ୟିକ କ’ଣ ଲେଖିବ, ଗଣମାଧ୍ୟମ କଣ ଖବର ପରିବେଷଣ କରିବ ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଛି। ବର୍ତମାନ ଦେଶରେ ପରିସ୍ଥିତି ଜରୁରୀକାଳୀନ ପରିସ୍ଥିତିଠାରୁ ଅଧିକ ଜଟିଳ। ଏପରି ମତପୋଷଣ କରିଛନ୍ତି, ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା।

ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ସହିଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବେହେରା ଆହୁରି କହିଲେ, ସାରା ଦେଶରେ ପୁରୁଣା ରେଳପଥ ଗୁଡ଼ିକ ଦୁର୍ବଳ ହୋଇଯିବାରୁ ବାରମ୍ବାର ରେଳ ଦୁର୍ଘଟଣା ଘଟୁଥିବାବେଳେ ତାକୁ ମରାମତି ନକରି, ଲୋକଙ୍କୁ ଏଠି ବୁଲେଟ୍‌ ଟ୍ରେନ୍‌ର ସ୍ୱପ୍ନ ଦେଖାଯାଉଛି। ବିମୁଦ୍ରାକରଣ ପ୍ରଭାବରେ ନିଜ ଟଙ୍କା ବଦଳ ପାଇଁ ଧାଡ଼ିରେ ଛିଡ଼ା ହୋଇ ଶହ ଶହ ନାଗରିକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଦେଶର ସର୍ବୋଚ୍ଚ ସରକାରର ଏଥିପ୍ରତି ନିଘା ନାହିଁ। ବର୍ତମାନ ଦେଶ ବଡ଼ ବିଷମ ପରିସ୍ଥିତି ଦେଇ ଗତି କରୁଛି। ଏକ ନିର୍ଭୀକ ତଥା ଭେଦଭାବ ବିହୀନ ସମାଜ ଗଠନ ଜୟପ୍ରକାଶଙ୍କ ଅଭିଳାଷ ଥିଲା। କିନ୍ତୁ ଆଜି ବି ଆମେ ତାଙ୍କ ସ୍ୱପ୍ନ ସାକାର କରିପାରିନାହୁଁ। ଏଥିପାଇଁ ଆତ୍ମଚିନ୍ତନ ଦରକାର। ସେହିପରି ଏକ ଅପରିପକ୍ୱ ବୟସରେ ବାଜି ରାଉତଙ୍କ ବଳିଦାନ ପାଇଁ ସେ ଏ ଜାତି ପାଇଁ ଉଦାହରଣ ହୋଇ ରହିବେ ବୋଲି ଶ୍ରୀ ବେହେରା କହିଥିଲେ।

ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ସୂର୍ଯ୍ୟନାରାୟଣ ମିଶ୍ର ଯୋଗ ଦେଇ କହିଲେ, ବ୍ୟକ୍ତି ସ୍ୱାଧୀନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବ୍ରତୀ ଜୟପ୍ରକାଶ ସର୍ବୋଦୟ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ ଭୂଦାନ ମାଧ୍ୟମରେ ଅଗଣିତ ଭୂମିହୀନ ଜନତାର ଉନ୍ନତି ପାଇଁ ଚେଷ୍ଟିତ ଥିଲେ। ତାଙ୍କର ଅବଦାନକୁ ସାରା ଦେଶ ଚିରଦିନ ମନେରଖିବ। ଏଥିସହିତ ଶ୍ରୀ ମିଶ୍ର ଗଡ଼ଜାତ ଆନ୍ଦୋଳନରେ ନାବାଳକ ସହିଦ ବାଜି ରାଉତଙ୍କ ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ପ୍ରଫେସର ବାସୁଦେବ ସାହୁ ଜୟପ୍ରକାଶ ଓ ବାଜି ରାଉତଙ୍କ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଳକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯୁଗ୍ମ ନିର୍ଦେଶକ ନିରଞ୍ଜନ ସେଠୀ ଧନ୍ୟବାଦ ଦେଇଥିଲେ। ଶେଷରେ ଭଜନ ଓ ଦେଶାତ୍ମାବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ‘ଅଲିଭା ମୁକତି ସଳିତା’ ଅନୁଷ୍ଠିତ ହୋଇଥିଲା। ଉପନିର୍ଦେଶକ ବିପିନ ବିହାରୀ ବାରିକ, ବିବେକାନନ୍ଦ ବିଶ୍ୱାଳ, ସୂଚନାଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର