ଜୟଦେବ ଓ ଜଟଣୀକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ବର: ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରୁ ଇଭିଏମ୍‌ଗୁଡ଼ିକୁ ନେଇ ଆଜି ପୁଲିଂ ପାର୍ଟି ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ଜୟଦେବ ଓ ଜଟଣୀର ବୁଥ୍‌ଗୁଡ଼ିକୁ ପୋଲିଂ ପାର୍ଟିମାନେ ଯାଇଛନ୍ତି। ଜୟଦେବ ନିର୍ବାଚନମଣ୍ଡଳୀର ୨୩୬ଟି ବୁଥ୍‌ ମଧ୍ୟରୁ ଆଜି ୧୬୪ଟି ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି ଯାଇଛନ୍ତି। ବଳକା ୭୨ଟି ବୁଥ୍‌ ଅଭିମୁଖେ ଆସନ୍ତାକାଲି ପୋଲିଂ ପାର୍ଟି ଯାତ୍ରା କରିବେ। ଏହି ୭୨ଟି ବୁଥ୍‌ ମଧ୍ୟରେ ୪୯ଟି ‘ସଖୀ’ ବୁଥ୍‌, ଗୋଟିଏ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ ଓ ୨୨ଟି ଅନ୍ୟାନ୍ୟ ବୁଥ୍‌ ରହିଛି। ସେଥିମଧ୍ୟରେ ୨୬ଟି ଅତିସମ୍ବେଦନଶୀଳ ଓ ୪ଟି ସମ୍ବେଦନଶୀଳ ବୁଥ୍‌ ଅଛି। ୧୪୨ଟି ବୁଥ୍‌ରେ ୱେବ୍‌କାଷ୍ଟିଂର ବ୍ୟବସ୍ଥା କରାଯାଇଛି। ଏହି ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୮୩ହଜାର ୧୬୯ ଜଣ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ ୯୪ହଜାର ୩୩୮ ଜଣ ପୁରୁଷ, ୮୮ହଜାର ୮୧୧ ଜଣ ମହିଳା ଓ ୨୦ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୧୮ ଓ ୧୯ ବର୍ଷ ବୟସ ମଧ୍ୟରେ ୪୯୨୦ ଜଣ ମତଦାତା ରହିଛନ୍ତି।

ସେହିପରି ଜଟଣୀ ନିର୍ବାଚନମଣ୍ଡଳୀର ୨୫୪ଟି ବୁଥ୍‌ ମଧ୍ୟରୁ ୧୭୮ଟି ବୁଥ୍‌ ଅଭିମୁଖେ ଆଜି ପୋଲିଂ ପାର୍ଟି ଗସ୍ତ କରିଛନ୍ତି। ଅବଶିଷ୍ଟ ୭୬ଟି ବୁଥ୍‌ ଅଭିମୁଖେ ଶୁକ୍ରବାର ପୋଲିଂ ପାର୍ଟିଗୁଡ଼ିକ ଯାତ୍ରା କରିବେ। ସେଥିମଧ୍ୟରେ ୪୭ଟି ‘ସଖୀ’ ବୁଥ୍‌, ଗୋଟିଏ ଭିନ୍ନକ୍ଷମ ଓ ୨୮ଟି ଅନ୍ୟାନ୍ୟ ବୁଥ୍‌ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ୪୨ଟି ସମ୍ବେଦନଶୀଳ ଓ ଦୁଇଟି ଅତି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ୧୫୩ଟି ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ। ଏହି ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୪୬ହଜାର ୮୦୪ ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ୧ଲକ୍ଷ ୨୫ହଜାର ୭୯ ଜଣ ପୁରୁଷ, ୧ଲକ୍ଷ ୨୧ହଜାର ୬୮୬ଜଣ ମହିଳା ଓ ୩୯ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୧୮-୧୯ ବର୍ଷ ବୟସ ମଧ୍ୟରେ ୫୫୫୫ ଜଣ ମତଦାତା ରହିଥିବାବେଳେ ୨୮୬୩ ଜଣ ପୁଅ, ୨୬୯୧ ଝିଅ ଏବଂ ଜଣେ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଶୁକ୍ରବାର ଭୁବନେଶ୍ୱର(ମଧ୍ୟ), ଭୁବନେଶ୍ୱର(ଉତ୍ତର), ଏକାମ୍ର ନିର୍ବାଚନମଣ୍ଡଳୀରେ ମତଦାନ କାର୍ଯ୍ୟ ପାଇଁ ପୋଲିଂ ପାର୍ଟିଗୁଡ଼ିକ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଯାତ୍ରା କରିବେ। ଏହି ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର