ଜୟଦେବ ବାଟିକାରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ହତ୍ୟା ଅଭିଯୋଗରେ କମିସନର୍‌ଙ୍କୁ ଭେଟିଲେ

ଭୁବନେଶ୍ବର: ଜୟଦେବ ବାଟିକା ପରିସରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀ ଅର୍ଚ୍ଚିତା ବେହେରାଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଖଣ୍ଡଗିରି ଥାନା ପୁଲିସ୍‌ ଆତ୍ମହତ୍ୟା କହି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ହେଁ ପରିବାରଲୋକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ଝିଅ ଆତ୍ମହତ୍ୟା କରିନାହିଁ, ବରଂ ତାକୁ ଅପହରଣ ଓ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏହି ଆପରାଧିକ କାର୍ଯ୍ୟକଳାପର ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଯୋଗୀ ବେହେରା ନାମକ ଜଣେ ଯୁବକ ବୋଲି ସେମା‌ନେ କହିଛନ୍ତି। କିନ୍ତୁ ଏ ସଂପର୍କରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଖଣ୍ଡଗିରି ଥାନା ପୁଲିସ୍‌ ତଦନ୍ତ କରୁ ନାହିଁ। ଏହାର ପ୍ରତିବାଦରେ ଆଜି ପରିବାର‌‌‌ଲୋକ ଆଜି ପୁଲିସ୍‌ ସେବା ଭବନ ସମ୍ମୁଖରେ ଧାରଣା ଦେଇଥିଲେ। କିଛି ସମୟ ଧାରଣାରେ ବସିବା ପରେ ଆସନ୍ତା ସୋମବାର ଏନେଇ ବିସ୍ତୃତ ଆଲୋଚନା କରାଯିବ ବୋଲି ପୁଲିସ୍‌ କମିସନର୍‌ଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଫେରି ଯାଇଥିଲେ।

ଅପରପକ୍ଷେ ଏହି ଘଟଣାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୃତ ଅର୍ଚ୍ଚିତାଙ୍କ ପରିବାରଙ୍କୁ ଧାରଣାସ୍ଥଳରେ ଭେଟିଥିଲେ। ପରିବାରବର୍ଗଙ୍କୁ ଆଶ୍ବାସନା ଦେବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ବୋଲି ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ଏନେଇ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ଅଭିଯୋଗ ମୁତାବକ, ଗତ ନଭେମ୍ବର ୧୦ ତାରିଖରେ ଜୟଦେବ ବାଟିକା ପରିସରରେ ଥିବା ଏକ ଗଛରୁ ଗଞ୍ଜାମ ପୋଲସରା ଥାନା ବଡ଼ଙ୍କଦବଡ଼ ଗ୍ରାମର ବିଶ୍ବନାଥ ବେହେରାଙ୍କ ଝିଅ ଅର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଥିଲା। ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା। ହତ୍ୟା ଆଶଙ୍କା କରି ପୁଲିସ୍‌ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରିଥିଲା। କିନ୍ତୁ ଅର୍ଚ୍ଚିତା ଏକୁଟିଆ ଜୟଦେବ ବାଟିକା ଭିତରକୁ ପ୍ରବେଶ କରୁଥିବା ସିସିଟିଭି ଫୁଟେଜ୍‌ରୁ ପ୍ରମାଣ ମିଳିଥିଲା। ତେଣୁ ସେ ଆତ୍ମହତ୍ୟା କରିଥିବା ପୁଲିସ୍‌ ଗ୍ରହଣ କରି ନେଇଥିଲ। କିନ୍ତୁ ମୃତକାଙ୍କ ମା’ ବିରାଜିନୀ ବେହେରାଙ୍କ ଅଭିଯୋଗ ମୁତାବକ, ଅର୍ଚ୍ଚିତା ଆତ୍ମହତ୍ୟା କରିନାହିଁ।

ଏକତରଫା ପ୍ରେମ ନିବେଦନ କରି ହତାଶ ହେବା ପରେ ଯୋଗୀ ବେହେରା ନାମକ ଜଣେ ଯୁବକ ତାଙ୍କୁ ହତ୍ୟା କରିଛି। ଘରେ କେହି ନଥିବା ବେଳେ ଗତ ନଭେମ୍ବର ୯ ତାରିଖରେ ଯୋଗୀ ଅର୍ଚ୍ଚିତାକୁ ଉଠାଇ ନେଇଥିଲା। ଜୟଦେବ ବାଟିକା ଭିତରେ ତଣ୍ଟିଚିପି ହତ୍ୟା କରିବା ପରେ ଗଛରେ ଟାଙ୍ଗି ଦେଇଥିଲା। କିନ୍ତୁ ଖଣ୍ଡଗିରି ଥାନା ପୁଲିସ୍‌ ଅଭିଯୋଗ ରଖୁନି କି ଏ ଦିଗରେ ତଦନ୍ତ କରୁନି। ଏହା ପଛରେ କାହାର ଚାପ ରହିଛି ବୋଲି ବିରାଜିନୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର