ଜୟଦେବ ବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା: ଥରକୁ ଥର ବଦଳୁଛି ନକ୍ସା

କାମ ନ ସରୁଣୁ ନୂଆ ଯୋଜନା, ସାଲିଆସାହିରେ ପଶି ପାରୁନି ପ୍ରଶାସନ

ଭୁବନେଶ୍ବର : ରାଜଧାନୀର ଜନଗହଳିପୂର୍ଣ୍ଣ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ରାଜ୍ୟ ସରକାର ୬ ବର୍ଷ ହେଲା ନୀଳ ନକ୍ସା(ବ୍ଲୁ ପ୍ରିଣ୍ଟ) ପ୍ରସ୍ତୁତ କରୁଛନ୍ତି। କେତେବେଳେ ବିକଳ୍ପ ରାସ୍ତା କଥା କହୁଛନ୍ତି ତ ଆଉ କେତେବେଳେ ଫ୍ଲାଏଓଭର ତିଆରି ଚିନ୍ତା କରୁଛନ୍ତି। ମାତ୍ର ସମୟ ଯେତିକି ଗଡ଼ୁଛି ଭିଡ଼ କମାଇବାର ନକ୍ସା ବଦଳି ଚାଲିଛି। ଭିଡ଼ କମାଇବାକୁ ପ୍ରଥମେ ଯୋଜନା କଲେ ନାଲ୍‌କୋ ଛକ ଓ ଡମଣା ଛକରେ ଫ୍ଲାଏଓଭର୍ ନିର୍ମାଣ କରିବେ। ପରବର୍ତୀ ସମୟରେ ରାସ୍ତାକୁ ଆଠ ଥାକିଆ କରିବାକୁ ନିଷ୍ପତ୍ତି ନେଲେ। ଏହାକୁ ନେଇ କେତେ ଜଣ କେଁ ପୂରାଇଲେ। କହିଲେ ରାସ୍ତାକୁ ୬ ଲେନ୍‌ କରାଯିବା ପରେ ଆଉ ଜାଗା ନାହିଁ। ୮ ଲେନ୍‌ କରିବାକୁ ହେଲେ ବହୁ ଗଛ କାଟିବାକୁ ପଡ଼ିବ। ସ୍ବେରେଜ ଲାଇନ୍‌ ଓ ପାଣି ପାଇପ୍‌ ଲାଇନ୍‌କୁ ଉଠାଇବାକୁ ହେବ। ଡ୍ରେନେଜ୍‌ ସମସ୍ୟା ବି ସୃଷ୍ଟି ହେବ। ତେଣୁ ଗହଳି କମାଇବା ଲାଗି ଦୁଇଟି ବିକଳ୍ପ ରାସ୍ତା ନିର୍ମାଣ କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ।

ରାତାରାତି କୋଟି କୋଟି ଟଙ୍କାର ବ୍ୟୟବରାଦ କରି ଦୁଇଟି ବିକଳ୍ପ ରାସ୍ତା ପାଇଁ ନକ୍ସା ଆଙ୍କିଲେ। ୪ ବର୍ଷ ହେଲା ଦୁଇ ଦୁଇଟି ବିକଳ୍ପ ରାସ୍ତା ନିର୍ମାଣ ଚାଲିଛି ଯେ ସରିବାର ନାଁ ଧରୁନି। ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ଅଧାରେ ଅଟକିଯାଇଛି। ସାଲିଆସାହି ବସ୍ତିବାସିନ୍ଦାକୁ ହଟାଇ ନପାରିବାରୁ ଅଧାରୁ ଜାଭିଅର ଛକରେ ସଂଯୋଗ କରିଦେଲେ। ଡାହାଣ ପାର୍ଶ୍ବ ସମାନ୍ତରାଳ ରାସ୍ତା କଥା ନ କହିବା ଭଲ। ବଜେଟ୍‌ ପ୍ରସ୍ତୁତ ସହ ସମାନ୍ତରାଳ ରାସ୍ତା କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଖୋଲିପାରି ନାହିଁ। ଏହା କିଭଳି ଚୂଡ଼ାନ୍ତ ରୂପ ନେବ ତାହା ଉପରେ ଗୁରୁତ୍ବ ଦେବା ବଦଳରେ ପୂର୍ତ୍ତ ବିଭାଗର ବାବୁମାନେ ପୁରୁଣା ନିଷ୍ପତ୍ତିକୁ ମୋଡ଼ି ମକଚି ପୁଣିଥରେ ଫ୍ଲାଏଓଭର ପାଇଁ ନକ୍ସା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ରାଜକୋଷକୁ ଖାଲି କରିବାକୁ ସମସ୍ତେ ବ୍ୟସ୍ତ ଯେମିତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଜନଗହଳିପୂର୍ଣ୍ଣ ରାସ୍ତାର ବିକଳ୍ପ ଭାବେ ଆଚାର୍ଯ୍ୟ ବିହାରରୁ ଡମଣାକୁ ସଂଯୋଗ କରିବାକୁ ଥିବା ରାସ୍ତା କାମ ୨୦୧୮ ସୁଦ୍ଧା ଓ ଚନ୍ଦକା ରୋଡ୍‌-ଏକାମ୍ର କାନନ ୧୫ କିମି ବିଶିଷ୍ଟ ୨୦୦ ଫୁଟିଆ ରାସ୍ତା ୨୦୧୯ ମଧ୍ୟରେ ଖୋଲିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପୂର୍ତ୍ତ ବିଭାଗ ସମେତ ଜଙ୍ଗଲ ବିଭାଗ, ବିଡିଏ, ବିଏମ୍‌ସି ମିଳିତ ଭାବେ ନକ୍ସ‌ା ପ୍ରସ୍ତୁତ କରିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଲାଣି। ତଥାପି ଗୋଟିଏ ବି ବିକଳ୍ପ ରାସ୍ତା ନିର୍ମାଣ ସରିନି।

ଆଚାର୍ଯ୍ୟବିହାର-ଡମଣା ଛକ ରାସ୍ତାରେ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ସୃଷ୍ଟି ହେଉଥିବାରୁ କାମ ଆଗେଇ ପାରୁନାହିଁ। ୪ ବର୍ଷ ଭିତରେ ବିଡିଏ ପକ୍ଷରୁ ଏହି ରାସ୍ତାରେ ପ୍ରାୟ ୩୫ ଥର ଜବରଦଖଲ ଉଚ୍ଛେଦ ହେଲାଣି। ତା’ପରେ ବି ବାଟ ଫିଟିପାରୁ ନାହିଁ। ଜବରଦଖଲ ଉଚ୍ଛେଦ ହେବାର ୧୦ରୁ ୨୦ ଦିନ ଯାଉଛି କି ନାହିଁ, ପୁଣିଥରେ ଘର ଗଢ଼ିଉଠୁଛି। ଉଚ୍ଛେଦ ସମୟରେ ବସ୍ତିବାସିନ୍ଦା ଓ ପ୍ରଶାସନ ବାରମ୍ବାର ମୁହାଁମୁହଁ ହେଉଛନ୍ତି। କଷ୍ଟେମଷ୍ଟେ କେଳୁଚରଣ ପାର୍କରୁ ରେଳ ଷ୍ଟାଡିୟମ ଆଡ଼କୁ ରାସ୍ତା ନିର୍ମାଣ ମନ୍ଥରଗତିରେ ଚାଲିଛି। ମାତ୍ର ବିଦ୍ୟୁତ୍‌ ଖୁଣ୍ଟି ଉଠିପାରୁନି କି ରାସ୍ତା କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନି। ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ପୂର୍ତ୍ତ ସଚିବଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ଅଧିକାରୀମାନେ ବିଭିନ୍ନ ସମୟରେ ଏଠାକୁ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି। ତା’ପରେ ବି କିଛି ସୁଫଳ ମିଳିପାରି ନାହିଁ।

ସେପଟେ ୨୦୧୭ରୁ ଉତ୍କଳ ହସ୍ପିଟାଲରୁ ଶୈଳଶ୍ରୀବିହାରର ଓଇଆରସି ପର୍ଯ୍ୟନ୍ତ ୨୦୦ ଫୁଟ୍‌ ଓସାରର ୪ ଥାକିଆ ରାସ୍ତା ନିର୍ମାଣ ସରିଥିଲା। ମାତ୍ର ଏବେ ଏହାର ନକ୍ସା ପରିବର୍ତ୍ତନ କରାଯାଇ ତାହାକୁ ୬ ଥାକିଆ କରିବାକୁ ସ୍ଥିର ହୋଇଛି। ରାସ୍ତା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଭଲ ଥିବା ରାସ୍ତାର ପିଚୁକୁ ତାଡ଼ି ମରାମତି କରୁଛନ୍ତି। ତିନି ବର୍ଷ ତଳେ ଲଗାଯାଇଥିବା ପ୍ରାୟ ୧୮୦୦ ଗଛକୁ କାଟି ରାସ୍ତା ସମ୍ପ୍ରସାରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେହିପରି ଉତ୍କଳ ହସ୍ପିଟାଲରୁ ମୈତ୍ରୀ ବିହାର ଦେଇ ଜାଭିଅର ଛକ ପର୍ଯ୍ୟନ୍ତ ରାସ୍ତା ଖୋଲିଛନ୍ତି। ମାତ୍ର ସାଲିଆସାହି ଭିତରେ ପଶିପାରି ନାହାନ୍ତି। ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ଏବେ ବି ରାସ୍ତା ଅଧାରେ ଅଟକି ରହିଛି। ୨୦୧୯ରେ ସାଧାରଣ ନିର୍ବାଚନ, ୨୦୨୨ରେ ବିଏମ୍‌ସି ନିର୍ବାଚନ ପାଇଁ ଶାସକ ଦଳ ସାଲିଆ ସାହିକୁ ଉଚ୍ଛେଦ କରି ନିଜର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଚାହି ନାହିଁ। ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଉନି କି ଏକାମ୍ରକାନନ ପର୍ଯ୍ୟନ୍ତ ରାସ୍ତା ଫିଟୁନି। ଆଗକୁ ୨୦୨୪ରେ ପୁଣି ନିର୍ବାଚନ। ତେଣୁ ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ନୀଳ ନକ୍ସା ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।

ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ସହରର ଲୋକ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ୨୦୦୭ ମସିହାରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ନକ୍ସା ପ୍ରସ୍ତୁତ ହୋଇଥିଲା। ଆଉ ଏବେ ଆମେ ୨୦୨୨ରେ ପହଞ୍ଚିଲେଣି। ଯେଉଁଭଳି ଭାବେ ସହରର କଳେବର ବଢ଼ୁଛି ୬ ଲେନ୍‌ ବିଶିଷ୍ଟ ରାସ୍ତା ବି କମ୍‌ ହେଉଛି। ନନ୍ଦନକାନନ ରାସ୍ତା ଦେଇ କଟକକୁ ବାଟ ଫିଟିବା ପରେ ଭୁବନେଶ୍ବର-କଟକ ମଧ୍ୟରେ ଦୂରତା କମିଛି। ଲୋକେ ଏହି ରାସ୍ତା ଦେଇ ଯିବାକୁ ପସନ୍ଦ କରୁଛନ୍ତି। ତେଣୁ ଆସନ୍ତା ୧୦ରୁ ୧୫ ବର୍ଷ ଭିତରେ ଭିଡ଼ ଆହୁରି ବଢ଼ିବ। ତାହାକୁ ଆଖିରେ ରଖି ସମାନ୍ତରାଳ ରାସ୍ତା ସହ ଦୁଇଟି ଫ୍ଲାଏଓଭର ଓ ଜୟଦେବ ବିହାର-ନନ୍ଦନକାନନ ରାସ୍ତାକୁ ୮ ଥାକିଆ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ରୂପ ନେଇ ନାହିଁ।

ସମ୍ବନ୍ଧିତ ଖବର