ଜୟଦେବ ବିଜେଡିରେ ଗୋଷ୍ଠୀ କନ୍ଦଳ, କାହା ହାତରେ ଯୁବ ନେତୃତ୍ବ?

ବାଲିଅନ୍ତା/ବାଲିପାଟଣା: ଜୟଦେବ ନିର୍ବାଚନମଣ୍ଡଳୀ ବିଜେଡି ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି। ସ୍ଥାନୀୟ ବିଜେଡି ସଂଗଠନ ଏଠାରେ ବିଧାୟକଙ୍କ ସମର୍ଥିତ ଗୋଷ୍ଠୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମ ସଂଗଠନ ସମର୍ଥିତ ଗୋଷ୍ଠୀରେ ବିଭକ୍ତ ହୋଇଛି। ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଯୁବ ସଭାପତିଙ୍କ ନାମ ଘୋଷଣା ହେବା ପରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିଦ୍ରୋହ ତୀବ୍ର ହୋଇଛି। ତେଣୁ ଯୁବ ସଭାପତି ପଦ ହାତେଇବାକୁ ବେଶ କିଛିଦିନ ହେବ ଯେଉଁ ଉଷ୍ମତା ଦେଖାଦେଇଥିଲା ତା’ର ଅନ୍ତ ଘଟିଛି। ଆମ ସଂଗଠନ ସମର୍ଥିତ ଦୁଇ ଯୁବକଙ୍କୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଯୁବ ସଭାପତି ଭାବେ ମନୋନୀତ କରାଯାଇଛି। ଗତ ୭ ତାରିଖରେ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ବାଲିଅନ୍ତା ବ୍ଲକ ଯୁବ ବିଜେଡି ସଭାପତି ଓ ନିରଞ୍ଜନ ଜେନାଙ୍କୁ ବାଲିପାଟଣା ବ୍ଲକ ଯୁବ ସଭାପତି ଭାବେ ଚୟନ କରାଯାଇଛି। ସେହିପରି ନିକଟରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲିଙ୍କ ସମର୍ଥିତ ସଂଜିତ କୁମାର ପାତ୍ରଙ୍କୁ ବାଲିଅନ୍ତା ବ୍ଲକ ବିଧାୟକଙ୍କ ଯୁବ ପ୍ରତିନିଧି ଓ ସଂଜିତ କୁମାର ଜେନାଙ୍କୁ ବାଲିପାଟଣା ବ୍ଲକ ଯୁବ ପ୍ରତିନିଧି ଭାବେ ମନୋନୟନ କରାଯାଇଛି। ଏଭଳି ସ୍ଥିତିରେ ଜୟଦେବ ନିର୍ବାଚନ ମଣ୍ଡଳୀର ଯୁବ ନେତୃତ୍ବ କାହା ହାତରେ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ହେଉଛି। ଯୁବବର୍ଗ ବିଧାୟକଙ୍କ ପ୍ରତିନିଧିଙ୍କୁ ସମର୍ଥନ କରିବେ ନା ଯୁବ ସଭାପତିଙ୍କ ନେତୃତ୍ବକୁ ସମର୍ଥନ କରି କାର୍ଯ୍ୟ କରିବେ ସେ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ନିଜ ଗୋଷ୍ଠୀର ନେତୃତ୍ବ ଜାହିର କରିବା ପାଇଁ ବିଧାୟକ ସ୍ବତନ୍ତ୍ର ସଭା ସମିତିରେ ନିଜର ଯୁବ ପ୍ରତିନିଧିଙ୍କ ସହ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ଅନୁରୂପ ଭାବେ ଆମ ସଂଗଠନ କର୍ତୃପକ୍ଷଙ୍କ ସହ ଆଜି ଯୁବ ସଭାପତି ନିରଞ୍ଜନ ଜେନା ବାଲିପାଟଣା ବ୍ଲକ ଅଧୀନ ବନମାଳୀପୁର ଅଞ୍ଚଳରେ ମହିଳା ସମାବେଶ ଓ ଆଳିସିଶାସନରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସଂପୃକ୍ତ ଦୁଇ ପ୍ରମୁଖ ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟରେ ବ୍ଲକ ସଭାପତି ମନୋନୟନକୁ ନେଇ ବିବାଦ ଦେଖାଦେଇଥିଲା। ଆମ ସଂଗଠନ ସମର୍ଥିତ ବାଲିଅନ୍ତା ବ୍ଲକ ସଭାପତି ଭାବେ ପ୍ରଦୀପ୍ତ କୁମାର ଜେନାମଣି ଓ ବାଲିପାଟଣା ବ୍ଲକ ସଭାପତି ଭାବେ କିଶୋର କୁମାର ଜେନାଙ୍କୁ ଦଳ ମନୋନୀତ କରିଛି। ବାଲିଅନ୍ତା ବ୍ଲକ ବିଧାୟକଙ୍କ ପ୍ରତିନିଧି ଭାବେ ଅଚ୍ୟୁତାନନ୍ଦ ପାତ୍ର ଓ ବାଲିପାଟଣା ବ୍ଲକ ବିଧାୟକଙ୍କ ପ୍ରତିନିଧି ଭାବେ ପ୍ରତାପ କିଶୋର ନାୟକଙ୍କୁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର