ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବିପୁଳ ଗହଣା ଓ ଟଙ୍କା ଚୋରି ମାମଲାର ସମାଧାନ ହୋଇପାରିନାହିଁ। କମିସନରେଟ୍ ପୁଲିସ ଚୋରକୁ ଠାବ କରିପାରୁନାହିଁ। ଏହି ମାମଲାର ଚର୍ଚ୍ଚା ଥମି ନଥିବା ବେଳେ ଆଜି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଫୋନ୍ ଯୋଗେ ମିଳିଛି ହତ୍ୟା ଧମକ। ୫୦ ଲକ୍ଷ ଟଙ୍କା ଦାବି କରି ଜଣେ ଦୁର୍ବୃତ୍ତ ଶ୍ରୀ ଜେନାଙ୍କୁ ଏହି ଧମକ ଦେଇଛି। ଏନେଇ ଶ୍ରୀ ଜେନା କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ୍ସ ଯୋଗେ ଅବଗତ କରାଇଛନ୍ତି। କ୍ୟାପିଟାଲ୍ ଥାନା ପୁଲିସ ଉକ୍ତ ଫୋନ୍ ନମ୍ବର ଓ ମୋବାଇଲ୍ ରେକର୍ଡିଂ କ୍ଲିପ୍ ନେଇ ଛାନ୍ଭିନ୍ କରୁଛି।
ଶ୍ରୀ ଜେନାଙ୍କ ଅଭିଯୋଗ ଅନୁସାରେ ହଠାତ୍ ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍ ଆସିଥିଲା। ଓଡ଼ିଆ ଭାଷାରେ କଥା ହେଉଥିବା ଦୁର୍ବୃତ୍ତ ଜଣଙ୍କ ଶ୍ରୀ ଜେନାଙ୍କୁ ୫୦ଲକ୍ଷ ଟଙ୍କା ମାଗିଥିଲା। ଟଙ୍କା ନଦେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲା। ଶ୍ରୀ ଜେନା କହିଥିଲେ ଯେ ମୋତେ ୭୦ ବର୍ଷ ପାର୍ ହେଲାଣି। ମାରିଦେଲେ ମାରିଦେ, ଟଙ୍କା ଦେଇପାରିବି ନାହିଁ। ତା’ ପରେ ଦୁର୍ବୃତ୍ତଜଣକ କହିଥିଲା ଯେ ଯଦି ଏତେ ଟଙ୍କ ନାହିଁ, ୫୦ ହଜାର ଦେ। ହେଲେ ଶ୍ରୀ ଜେନା ଟଙ୍କାଟେ ଦେବେ ନାହିଁ ବୋଲି କହିଥିଲେ। ଏହାପରେ ଦୁର୍ବୃତ୍ତଜଣଙ୍କ ଫୋନ୍ କାଟିଦେଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ସେ ସରକାରଙ୍କ ବିରୋଧରେ ଅନେକ ପ୍ରସଙ୍ଗରେ ସମାଲୋଚନା କରୁଥିବାରୁ ଏଭଳି ଫୋନ୍ ଧମକ ଆସୁଛି। ମୋହନ ଭଗବତଙ୍କୁ ବିରୋଧ କରି ଗିରଫ ହୋଇଥିବା ଛାତ୍ରନେତାଙ୍କୁ ସେ ଭେଟିଥିଲେ। ୩ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତେଣୁ ରାଜନୈତକ ଶତ୍ରୁତାରୁ କେହି ଏଭଳି ଧମକ ଦେଇଥିବା ସେ ସନ୍ଦେହ କରିଛନ୍ତି।