ଭୁବନେଶ୍ବର: ଜୟଦେବ ବାଟିକାରେ ମିଳିବନି ବଣଭୋଜିର ଅନୁମତି। ଲୋକେ ଅନ୍ୟୁନ ମାସେ ପର୍ଯ୍ୟନ୍ତ ବଣଭୋଜିରୁ ବଞ୍ଚିତ ହେବେ। ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜୟଦେବ ବାଟିକାରେ ସ୍ଥିତି ସ୍ବାଭାବିକ ହୋଇଥିଲେ ହେଁ ବଣଭୋଜି ପାଇଁ ଉଦ୍ଦିଷ୍ଟ ସୁବିଧାଗୁଡ଼ିକର ଅବସ୍ଥା ସୁଧୁରି ନାହିଁ। ତେଣୁ ବଣଭୋଜି ପାଇଁ ମାସେ ପର୍ଯ୍ୟନ୍ତ ଅନୁମତି ମିଳିବା ସମ୍ଭବ ନୁହେଁ ବୋଲି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି)ର ଫିଲ୍ଡ ଆସିଷ୍ଟାଣ୍ଟ୍ ତଥା ଜୟଦେବ ବାଟିକାର ଭାରପ୍ରାପ୍ତ ଅଧିକାରୀ ପଶୁର୍ରାମ ଜେନା କହିଛନ୍ତି।
ବଣଭୋଜି ପାଇଁ ରାଜଧାନୀରେ ସର୍ବାଗ୍ରେ ପସନ୍ଦଯୋଗ୍ୟ ସ୍ଥାନ ହେଉଛି ଜୟଦେବ ବାଟିକା। ସେଇ ଦୃଷ୍ଟିରୁ ଏବେ ମଧ୍ୟ ଅନେକ ବଣଭୋଜି କରିବା ପାଇଁ ଆସୁଛନ୍ତି। ମାତ୍ର ସେମାନଙ୍କୁ ଅନୁମତି ଦିଆଯାଉନାହିଁ। ବାସ୍ତବରେ ପରିସର ମଧ୍ୟରେ ଥିବା ୩୦ଟି ଟାଇଲ୍ ଓ ଚାଳଘର ବଣଭୋଜି ପିଣ୍ଡି ଉପରେ ଗଛ ପଡ଼ି ଟାଇଲ୍ଗୁଡ଼ିକ ଭାଙ୍ଗିଯାଇଛି। ଅଧିକାଂଶ ପିଣ୍ଡି ଉପରୁ ଏବେ ବି ଗଛ ଉଠାଚାଲିଛି। ପାଣି ପାଇପ୍ ଉପରେ ଗଛ ପଡ଼ି କେତେକ ସ୍ଥାନରେ ପାଣି ପାଇପ୍ ଫାଟିଯାଇଛି। ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ପରିସରରେ ସ୍ବାଭାବିକ ହୋଇନାହିଁ। ବଣଭୋଜି ସ୍ଥଳ ବ୍ୟବସ୍ଥିତ କରିବାକୁ ଅତିକମ୍ରେ ମାସେ ସମୟ ଲାଗିବ ବୋଲି ଶ୍ରୀ ଜେନା କହିଛନ୍ତି। ଜୟଦେବ ବାଟିକାରେ ଏଇ ଖରାଦିନେ ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦେଢ଼ ହଜାରରୁ ୨ ହଜାର ରହୁଥିବା ବେଳେ ଗତ ରବିବାର ସଂଖ୍ୟା ୫୦୦ ବି ଛୁଇନାହିଁ। ଏବେ ୨ଶହରୁ ୪ଶହ ମଧ୍ୟରେ ଲୋକେ ବାଟିକାକୁ ଆସୁଛନ୍ତି। ଯଦିଓ ବାଟିକା ପରିସର ରାସ୍ତା ଉପରେ ପଡ଼ିଥିବା ଗଛ ସଫା ହୋଇଯାଇଛି କିନ୍ତୁ ଏବେ ବି ଅନେକ ଗଛ ଜଙ୍ଗଲ ମଧ୍ୟରେ ଭାଙ୍ଗି ପଡ଼ି ରହିଛି।