ଜୟଦେବବିହାର-କିଟ୍‌ ଛକ ଭିଡ଼ କମିବ କେବେ? ବିକଳ୍ପ ରାସ୍ତା ବାଟ ଫିଟୁନି

ପ୍ରଶାସନ ମୁଣ୍ଡ ବିନ୍ଧା କରୁଛି ଜବରଦଖଲ, ଧାର୍ଯ୍ୟ ସମୟ ଗଡ଼ୁଛି, କାମ ସରୁନି

ଚନ୍ଦ୍ରଶେଖରପୁର: ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ଦୁଇଟି ବିକଳ୍ପ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ସାଢ଼େ ୩ ବର୍ଷ ହେଲା ବିକଳ୍ପ ରାସ୍ତା କାମ ଚାଲିଥିଲେ ମଧ୍ୟ ଆଜି ଯାଏ ଗୋଟିଏର ବି କାର୍ଯ୍ୟ ସରିନି। ଆଚାର୍ଯ୍ୟ ବିହାର-ଡମଣା ଛକ ରାସ୍ତା ମନ୍ଥର ଗତିରେ ଚାଲିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ(ଆଇଏମ୍‌ଏ)-ଏକାମ୍ରକାନନ ରାସ୍ତା ବିବାଦ ମଧ୍ୟ ଦେଇ ଆଗକୁ ବଢ଼ୁଛି। ଜମି ଅଧିଗ୍ରହଣ ସମସ୍ୟା ସୃଷ୍ଟି କରିଛି। ଏକର ଏକର ପରିମିତ ସରକାରୀ ଜମିରୁ ଜବରଦଖଲ ହଟାଇବା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରଣ ସବୁଠି ବସ୍ତିବାସିନ୍ଦା ରହୁଛନ୍ତି। ଏପର୍ଯ୍ୟନ୍ତ ଥଇଥାନ କରାଯାଇ ନ ଥିବାରୁ ସେମାନେ ଘର ଛାଡ଼ୁନାହାନ୍ତି। ଯେଉଁଥିପାଇଁ କାମ ଆଗେଇ ପାରୁ ନାହିଁ। ଗୋଟିଏ ପ‌ରେ ଗୋଟିଏ ଧାର୍ଯ୍ୟ ସମୟ ଗଡ଼ୁଥିଲେ ମଧ୍ୟ ବିକଳ୍ପ ବାଟ ଫିଟିପାରି ନାହିଁ।

ଆଇଏମ୍‌ଏ-ଏକାମ୍ରକାନନ ରାସ୍ତା ଲାଗି ସାଲିଆସାହି ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ସହ ଥଇଥାନ କରିବା ପ୍ରଶାସନ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଉଚ୍ଛେଦକୁ ନେଇ ବର୍ଷକ ତଳେ ଏଠାରେ ବସ୍ତିବାସିନ୍ଦା ଓ ପ୍ରଶାସନ ମଧ୍ୟରେ ମହାଭାରତ ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଅସ୍ତ୍ରଶସ୍ତ୍ର ଧରି ବସ୍ତିବାସିନ୍ଦାମାନେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ପରିସ୍ଥିତିର ଭୟାବହତାକୁ ଅନୁଭବ କରି ପ୍ରଶାସନ ପଛଘୁଞ୍ଚା ଦେଇଥିଲା। ବୁଝାସୁଝା ପରେ ଉଭୟ ପକ୍ଷ ଶାନ୍ତ ପଡ଼ିଥିଲେ। ହେଲେ ରାସ୍ତା କାମ ଆଗକୁ ବଢ଼ିପାରି ନାହିଁ। ବସ୍ତିବାସିନ୍ଦାଙ୍କର ଗୋଟିଏ ଜିଦ୍‌। ପ୍ରଥମେ ଥଇଥାନ, ତା’ ପରେ ଉଚ୍ଛେଦ। ନ ହେଲେ ଇଞ୍ଚିଏ ବି ଜାଗା ଦେବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହାରି ଭିତରେ ଏହି ବିକଳ୍ପ ରାସ୍ତା କାମ କିଭଳି ଆଗକୁ ବଢ଼ିବ ତାହାକୁ ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।
ସେପଟେ ବିକଳ୍ପ ବାଟ କେବେ ଖୋଲିବ, ତାହାକୁ ଅନେଇ ବସିଛନ୍ତି ରାଜଧାନୀବାସୀ। ପାଖାପାଖି ୧୫ କିମି ବିଶିଷ୍ଟ ହେବାକୁ ଥିବା ଆଇଏମ୍‌ଏ-ଏକାମ୍ରକାନନ ରାସ୍ତା ତିନି ବର୍ଷ ହେଲା ପର୍ଯ୍ୟାୟକ୍ରମେ ଆଗଉଛି। ୨୦୧୭ ମସିହାଠାରୁ ନୀଳାଦ୍ରିବିହାରସ୍ଥିତ ଉତ୍କଳ ହସ୍ପିଟାଲରୁ ଶୈଳଶ୍ରୀବିହାରସ୍ଥିତ ଓଇଆରସି ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହେଲାଣି। ୨୦୦ ଫୁଟ୍‌ ଓସାରର ଏହି ରାସ୍ତା ୪ ଥାକିଆ ହୋଇଛି। ରାସ୍ତା କାମ ଶେଷ ହେବା ପରେ ଡିଭାଇଡର୍‌ରେ ଲାଗିଥିବା ଗଛ ଏବେ ବଡ଼ ହୋଇଗଲାଣି। ତେବେ ସମ୍ପୂର୍ଣ୍ଣ ବାଟ ଫିଟୁ ନ ଥିବାରୁ ଏହି ରାସ୍ତା କାମରେ ଲାଗିପାରୁ ନାହିଁ। ପରିଣାମ ସ୍ବରୂପ ଏବେ ରାସ୍ତାର ମରାମତି ଆବଶ୍ୟକତା ପଡ଼ିଲାଣି।

ଏକାମ୍ରକାନନ କର୍ତୃପକ୍ଷଙ୍କଠାରୁ ଜମି ମିଳିବା ପରେ ବିକଳ୍ପ ରାସ୍ତା କିଛି ବାଟ ଆଗେଇଛି। ୨୦୧୯ ମାର୍ଚ୍ଚ ୨ରୁ ଉତ୍କଳ ହସ୍ପିଟାଲରୁ ରେଳ ବିହାର ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇଥିଲା। ପାହାଡ଼ କଟା ଯାଇ ରାସ୍ତା କାମ ଚାଲିଛି। ୨୧ କୋଟି ୬୬ ଲକ୍ଷ ୫୮ ହଜାର ୮୭୨ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଦେଢ଼ କିମି ରାସ୍ତା କାମ ଗତ ଜୁନ୍‌ ମାସ ପହିଲା ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ କରୋନା ଯୋଗୁଁ କାମ ବିଳମ୍ବିତ ହୋଇଛି। ଆହୁରି ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ହେବାକୁ ବାକି ରହିଛି। ରେଳ ବିହାର ପର୍ଯ୍ୟନ୍ତ ରାସ୍ତା ଆଉ ୬ ମାସ ମଧ୍ୟରେ ଶେଷ ହୋଇଯିବ। ତେବେ ସେଠାରୁ ଏକାମ୍ରକାନନ ପର୍ଯ୍ୟନ୍ତ ରାସ୍ତା ଖୋଲିବା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଖଣ୍ଡଗିରି-ଚନ୍ଦକା ରାସ୍ତାର ଆଇଏମ୍‌ଏଠାରୁ ପଥରଗାଡ଼ିଆ ପର୍ଯ୍ୟନ୍ତ ୨୦୦ ଫୁଟ୍‌ର ରାସ୍ତା କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପଥରଗାଡ଼ିଆ ଗାଁ ନିକଟ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତା କାମ ଶେଷ ହୋଇଛି। ଆଉ କିଛି କାମ ବାକି ରହିଛି। ଚଳିତବର୍ଷ ଶେଷ ସୁଦ୍ଧା ଏହି ରାସ୍ତାକୁ ଓଇଆରସି ନିକଟ ରାସ୍ତା ସହ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ କରୋନା ଯୋଗୁଁ ୪ରୁ ୫ ମାସ କାମ ବନ୍ଦ ରହିଥିଲା। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ କାମ ଆରମ୍ଭ ହୋଇଛି। ୨୦୨୧ ଜୁନ୍‌ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର