ଜୟଦେବବିହାର-ନନ୍ଦନକାନନ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା, ଅଗଷ୍ଟରେ ବି ସରିବନି!

ରାସ୍ତାରେ ପାର୍କ ଭ୍ରମ

ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ରାସ୍ତାର ବାମ ପାର୍ଶ୍ବରେ ନିର୍ମାଣ ଚାଲିଥିବା ସମାନ୍ତରାଳ ରାସ୍ତା ଅଗଷ୍ଟ ମାସ ମଧ୍ୟରେ ଶେଷ ହେବନି। ଫେବ୍ରୁଆରି ୧୨ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ରାସ୍ତା କାର୍ଯ୍ୟର ସମୀକ୍ଷା କରି ଜୁନ୍‌ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ପୂର୍ତ୍ତ ବିଭାଗ ଓ ବିଡିଏ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହାର ଠିକ୍‌ ମାସକ ପରେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍‌ କୁମାର ଏହି ୧୨ କିମି ରାସ୍ତା କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରି ଅଗଷ୍ଟ ୧୫ ମଧ୍ୟରେ ଗୋଟିଏ ପାର୍ଶ୍ବ ରାସ୍ତା ଖୋଲିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ତେବେ ବର୍ତ୍ତମାନ ସମୟ‌ରେ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଆସନ୍ତା ଦୁଇ ମାସ ମଧ୍ୟ‌‌ରେ କାମ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଉତ୍କଳ ହସ୍ପିଟାଲରୁ ସାଲିଆସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ସୃଷ୍ଟି ହେଉଥିବା ଜବରଦଖଲ ସମସ୍ୟା ଇତିମଧ୍ୟରେ ଦୂର ହୋଇଛି। ରାସ୍ତାରେ ପଡ଼ୁଥିବା ବସ୍ତିବାସିନ୍ଦାଙ୍କୁ ନିକଟସ୍ଥ ଖୋଲା ସ୍ଥାନରେ ଘର ଯୋଗାଇ ଦିଆଯାଇ ଥଇଥାନ କରାଯାଇଛି। ଶତାଧିକ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରେ ଜାଭିୟର୍‌ ଛକ-ରେଳ ବିହାର-ଉତ୍କଳ ହସ୍ପିଟାଲ ରାସ୍ତାରେ ଆଉ କୌଣସି ବାଧକ ନଥିବା ଜଣାପଡ଼ିଛି। ତେବେ ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ସାମାନ୍ୟ ଧିମେଇ ଥିବା ଅଧିକାରୀମାନେ କହିଛନ୍ତି। ଲୋକ ଆସୁ ନଥିବାରୁ ଏବେ କେବଳ ମେସିନ୍‌ ଦ୍ବାରା ଯାହା କିଛି କାମ ଚାଲିଛି। ଜବରଦଖଲ ଉଚ୍ଛେଦ ହେବା ପରେ ରେଳବିହାର ପାଖରୁ ମୈତ୍ରୀବିହାର ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଚାରିଚକିଆ ଦୂରେ ଥାଉ, ଦୁଇଚକିଆ ଯାନ ଯିବା ଏବେ କଷ୍ଟକର ହୋଇପଡ଼ିଛି। ରାସ୍ତା କାମ ସରି ନଥିଲେ ମଧ୍ୟ ଏବେ ଏହି ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାରେ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଛି। କାମ ଚାଲିଥିଲା ବେଳେ ଲୋକେ ବିପଦସଂକୁଳ ଭାବେ କାର୍‌, ବାଇକ୍‌ ନେଇ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି। କେହି ବି ସେମାନଙ୍କୁ ରୋକିବାକୁ ନାହାନ୍ତି।

ସାଲିଆସାହିରେ ଜବରଦଖଲ ସମସ୍ୟା ସୃଷ୍ଟି କରୁଥିବାରୁ ପ୍ରଥମ ପର୍ଯ୍ୟାୟରେ ଜାଭିଅର ଛକ-ରେଳବିହାର-ଉତ୍କଳ ହସ୍ପିଟାଲ-ଓଏଚ୍‌ଆରସି-ଇନ୍‌ଫୋସିଟି ପର୍ଯ୍ୟନ୍ତ ରାସ୍ତା ଖୋଲିବାକୁ ସ୍ଥିର ହୋଇଛି। ପାଖାପାଖି ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଉତ୍କଳ ହସ୍ପିଟାଲରୁ ରେଳ ବିହାର ପର୍ଯ୍ୟନ୍ତ ରାସ୍ତା ପ୍ରାୟ ଶେଷ ହୋଇଛି। ଆଉ ୩୦୦ ମିଟର କାର୍ଯ୍ୟ ବାକି ରହିଛି। ରାସ୍ତା ନିର୍ମାଣ ବେଳେ ବଡ଼ ବଡ଼ ପଥର ପଡ଼ୁଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଗୋଟିଏ ପାର୍ଶ୍ବ ରାସ୍ତା କାର୍ଯ୍ୟ ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଲୋକଙ୍କ ଯିବା ଆସିବା ଲାଗି ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆଉ ଦୁଇ ମାସ ବିଳମ୍ବ ହୋଇପାରେ। ସାଲିଆସାହି ଭିତରେ ଦେଇ ରାସ୍ତା ନିର୍ମାଣକୁ ବିରୋଧ କରାଯାଉଥିବାରୁ ଦ୍ବିତୀୟ ପର୍ଯ୍ୟାୟ‌‌ରେ ଏ ଦିଗରେ ପଦକ୍ଷେପ ନିଆଯିବ।

ରାସ୍ତାରେ ପାର୍କ ଭ୍ରମ

ଉତ୍କଳ ହସ୍ପିଟାଲରୁ ରେଳବିହାର ମଧ୍ୟରେ ନିର୍ମାଣ ସରିଥିବା ରାସ୍ତା ଏବେ ପାର୍କର ଭ୍ରମ ସୃଷ୍ଟି କରୁଛି। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ସହରରେ ପାର୍କ ବନ୍ଦ ରହିଛି। ତେଣୁ ଲୋକେ ଏହି ରାସ୍ତାକୁ ଏବେ ପାର୍କ ଭଳି ବ୍ୟବହାର କରୁଛନ୍ତି। ଅପରାହ୍‌ଣ ହେବା କ୍ଷଣି ଏଠାରେ ଯୁବକ/ଯୁବତୀଙ୍କ ପ୍ରେମର ଆସର ଜମୁଛି। ରାଜଧାନୀରେ ମର୍ଣ୍ଣିଂ ଓ ଇଭିନିଂୱାକ୍‌ ବନ୍ଦ ରହିଥିବା ବେଳେ ଲୋକେ ଏଠାରେ ବିନା ବାଧାରେ ଚାଲୁଛନ୍ତି। ଛୋଟ ପିଲାମାନଙ୍କୁ ଏହି ରାସ୍ତାରେ ବିଭିନ୍ନ ପ୍ରକାର ତାଲିମ୍‌ ଦିଆଯାଉଛି। ପ୍ରତିଦିନ ଶହ ‌ଶହ ଲୋକ ଚଳପ୍ରଚଳ କରୁଥିଲେ ମଧ୍ୟ କମିସନରେଟ୍‌ ପୁଲିସ କିମ୍ବା ବିଏମ୍‌ସି ଏହା ଉପରେ କଟକଣା ଲଗାଇ ପାରି ନାହିଁ। ପିସିଆର ଭ୍ୟାନ୍‌ କାଁଭାଁ ଆସି ଚକ୍କର କାଟୁଥିଲେ ମଧ୍ୟ ଅମାନିଆଙ୍କୁ କିଛି କହିବାକୁ ସାହାସ ଜୁଟାଇ ପାରୁନି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ରାସ୍ତା ଏବେ ଅସାମାଜିକଙ୍କ ଆଡ଼ା ପାଲଟିଛି। ସନ୍ଧ୍ୟା ହେବା କ୍ଷଣି କିଛି ଯୁବକ ନିୟମିତ ଭାବେ ଏଠାରେ ନିଶାଦ୍ରବ୍ୟ ସେବନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର