ଜୟଦେବବିହାର-ନନ୍ଦନକାନନ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା; ଜୁନ୍‌ ନୁହେଁ, ଅଗଷ୍ଟରେ ସରିବ

କାର୍ଯ୍ୟ ସମୀକ୍ଷା କଲେ ପୂର୍ତ୍ତ ସଚିବ, ପ୍ରଥମ ପର୍ଯ୍ୟାୟରେ ଜାଭିଅରରୁ ଇନ୍‌ଫୋସିଟି

ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ରାସ୍ତାର ବାମ ପାର୍ଶ୍ବରେ ନିର୍ମାଣ ଚାଲିଥିବା ସମାନ୍ତରାଳ ରାସ୍ତାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଜୁନ୍‌ ସୁଦ୍ଧା ସରିବନି। ଆହୁରି ବିଳମ୍ବ ହେବ। ଏମିତିକି ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲିଯିବ। ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍‌ କୁମାର ଆଜି ଏହି ୧୨କିମି ରାସ୍ତା କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସମୀକ୍ଷା ବେଳେ ପୂର୍ତ୍ତ ବିଭାଗର ଡେପୁଟି ସେକ୍ରେଟେରି, ମୁଖ୍ୟ ଯନ୍ତ୍ରୀ(ରାସ୍ତା), ବରିଷ୍ଠ ଯନ୍ତ୍ରୀ(କେନ୍ଦ୍ରୀୟ), ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ ସାଲିଆସାହିରେ ଜବରଦଖଲ ସମସ୍ୟା ସୃଷ୍ଟି କରୁଥିବାରୁ ଦୁଇଟି ପର୍ଯ୍ୟାୟରେ ରାସ୍ତା ଖୋଲିବାକୁ ସ୍ଥିର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜାଭିଅର ଛକ-ରେଳ ବିହାର-ଉତ୍କଳ ହସ୍ପିଟାଲ-ଓଏଚ୍‌ଆରସି-ଇନ୍‌ଫୋସିଟି ପର୍ଯ୍ୟନ୍ତ ରାସ୍ତା ଖୋଲାଯିବ। ସେଥିମଧ୍ୟରୁ ପାଖାପାଖି ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଉତ୍କଳ ହସ୍ପିଟାଲରୁ ରେଳ ବିହାର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫେବ୍ରୁଆରି ଶେଷ ସୁଦ୍ଧା ତାହା ଚୂଡ଼ାନ୍ତ ‌ରୂପ ନେବ। ଜାଭିଅର ଛକରୁ ମୈତ୍ରୀ ବିହାର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶେଷ ହୋଇଛି। କେବଳ ରେଳ ବିହାରରୁ ମୈତ୍ରୀ ବିହାର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ବାକି ରହିଛି। ଏଥିପାଇଁ ଭିତ୍ତିଭୂମି ପଡ଼ିବା ସହ ରାସ୍ତା କାର୍ଯ୍ୟ ଆଗେଇଛି। ଅଗଷ୍ଟ ୧୫ ସୁଦ୍ଧା ଏହି ରାସ୍ତା କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ଜବରଦଖଲ ସମସ୍ୟା ସୃଷ୍ଟି ହୋଇଥିବାରୁ କାର୍ଯ୍ୟ ଜୋରଦାର ହୋଇପାରୁ ନ ଥିବା ଅଧିକାରୀମାନେ କହିଛନ୍ତି। ତେବେ କିଛି ନ ହେଲେ ଗୋଟିଏ ପାର୍ଶ୍ବ ରାସ୍ତା କାର୍ଯ୍ୟ ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଲୋକଙ୍କ ଯିବା ଆସିବା ଲାଗି ଖୋଲାଯିବ। ବାକି ଅଂଶ ଧୀରେ ଧୀରେ ହେବ। ସାଲିଆସାହି ଭିତରେ ଦେଇ ରାସ୍ତା ନିର୍ମାଣକୁ ବିରୋଧ କରାଯାଉଥିବାରୁ ଦ୍ବିତୀୟ ପର୍ଯ୍ୟାୟ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୧୨ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଏହି ରାସ୍ତା କାର୍ଯ୍ୟର ସମୀକ୍ଷା କରି ଜୁନ୍‌ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ପୂର୍ତ୍ତ ବିଭାଗ ଓ ବିଡିଏ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। କେବଳ ସେତିକି ନୁ‌ହେଁ, ଡାହାଣ ପାର୍ଶ୍ବ ରାସ୍ତା ଆଚାର୍ଯ୍ୟ ବିହାରଠାରୁ ସୈନିକ ସ୍କୁଲ ପାଖ ଦେଇ ୟୁନିଟେକ୍‌ ମଲ୍‌(ପ୍ରେସ୍‌ ଛକ)-ରେଲ୍‌ୱେ ଷ୍ଟାଡିଅମ୍‌-କେଳୁଚରଣ ପାର୍କ-ଡମଣା ପର୍ଯ୍ୟନ୍ତ ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ କହିଥିଲେ।

ମେଡିଆନ୍‌ରେ କବାଡ଼ି ଖାନା
ତିନି ବର୍ଷ ତଳେ ଓଇଆରସିରୁ ଉତ୍କଳ ହସ୍ପିଟାଲ ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା କାମ ଶେଷ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଯେଉଁଥିପାଇଁ ଏହି ରାସ୍ତା ଏବେ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଇଛି। ରାସ୍ତାର ମଧ୍ୟ ଭାଗ(ମେଡିଆନ୍‌)ରେ ଜଙ୍ଗଲ ବିଭାଗ ଲଗାଇଥିବା ବଡ ବଡ ଗଛ କାଟି ନେଉଛନ୍ତି। ଦିନ ଦ୍ବିପହରରେ କିଛି ଅସାଧୁ ଲୋକ ମେଡିଆନ୍‌ରେ କବାଡି ଖାନା ଆରମ୍ଭ କରିଦେଇଛନ୍ତି। ସରକାରୀ ଅର୍ଥରେ ବୃକ୍ଷ ରୋପଣ ହୋଇଥିଲେ ମଧ୍ୟ, ଅସାଧୁ ଲୋକେ ଏହାକୁ ନିର୍ଦ୍ବନ୍ଦରେ ଛେଦନ କରି ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୃକ୍ଷ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ କୌଣସି ଆଇନ ନାହିଁ, ଯାହାକି ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଆଦି ରାଜ୍ୟରେ କେବେଠୁ ପ୍ରଣୟନ ହୋଇସାରିଛି। ତେଣୁ ବୃ୍କ୍ଷ ସୁରକ୍ଷା ଓ କବାଡ଼ିଆଙ୍କ କବଜାରୁ ରାସ୍ତାକୁ ମୁକୁଳାଇବା ଦିଗରେ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର