ଜୟଦେବବିହାର-ନନ୍ଦନକାନନ ରାସ୍ତା: ଟ୍ରାଫିକ୍‌ ଜାମ୍‌ରୁ ଘଟୁଛି ତୁମୁଳକାଣ୍ଡ

ରବିବାର ବଡ଼ବାବୁଙ୍କ ଦେଖା ମିଳୁନି, କୁଆଡ଼େ ଗଲା ଲେନ୍‌ ଡ୍ରାଇଭିଂ?

ଜୟଦେବ ବିହାର- ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଏବେ ରାଜଧାନୀବାସୀଙ୍କୁ ନାକରେ କନ୍ଦାଇଲାଣି। ଗୋଟିଏ ପାର୍ଶ୍ବରେ ବିମାନବନ୍ଦର, ଅପରପକ୍ଷେ କଟକ ଯିବା ପାଇଁ ବିକଳ୍ପ ରାସ୍ତା; ତା’ ସାଙ୍ଗ‌କୁ ରାଜଧାନୀର ବଡ଼ବଡ଼ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ। ସବୁ ଏହି ରାସ୍ତାରେ ପଡ଼ୁଥିବା ବେଳେ ଅବ୍ୟବସ୍ଥିତ ଟ୍ରାଫିକ୍‌ ପରିଚାଳନା ଯୋଗୁଁ ପ୍ରତିଦିନ ଏହି ରାସ୍ତାରେ ଟ୍ରାଫିକ୍‌ ଜନିତ ଛୋଟ ବଡ଼ ଅଘଟଣ ଘଟୁଛି। ଆଜି ସକାଳେ ଓ ସଂଧ୍ୟା‌ରେ ମଧ୍ୟ ଏହି ରାସ୍ତାରେ ଦୁଇ ଦୁଇଟି ଘଟଣା ପାଇଁ ରାଜଧାନୀବାସୀଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡ଼ିଛି। ବାରମ୍ବାର ଏପରି ଘଟଣା ଘଟୁଥିଲେ ହେଁ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନାହିଁ।

ଅଧ କିଲୋମିଟରକୁ ଅଧଘଣ୍ଟା
ଆଜି ସକାଳ ବେଳା ମଧ୍ୟ ଏହି ରାସ୍ତା (ଜୟଦେବବିହାର-ନନ୍ଦନକାନନ)ରେ ନାହିଁ ନଥିବା ଭିଡ଼ ଦେଖାଯାଇଥିଲା। ଏହି ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଜି ସିଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ଟ୍ରାଫିକ୍‌ ପରିଚାଳନାଗତ ତ୍ରୁଟି ଯୋଗୁଁ ଶହଶହ ପରୀକ୍ଷାର୍ଥୀ ରାସ୍ତା ମଝିରେ ଫସି ରହିଥିଲେ। ଗଳିକନ୍ଦିରୁ ଗାଡ଼ି ବାହାରି ରାସ୍ତା ଜାମ୍‌ କରୁଥିବା ବେଳେ କେତେକ ଗାଡ଼ି ରଙ୍ଗ୍‌ରୁଟ୍‌ରେ ମଧ୍ୟ ଆସୁଥିଲା। କିନ୍ତୁ ସେମାନଙ୍କୁ ଜଗିବାକୁ କେହି ନଥିଲେ। ଏହି ଅବ୍ୟବସ୍ଥା ପାଇଁ ବିଶେଷକରି ପଟିଆରୁ ଡମଣା ଛକ ପର୍ଯ୍ୟନ୍ତ ଅଧକିଲୋମିଟର ରାସ୍ତା ପାର ହେବାକୁ ଲୋକଙ୍କୁ ଅଧଘଣ୍ଟାରୁ ଊର୍ଧ୍ବ ସମୟ ଲାଗି ଯାଇଥିଲା। ଫଳରେ ଅଧିକାଂଶ ପରୀକ୍ଷାର୍ଥୀ ନିର୍ଧାରିତ ସମୟଠାରୁ ପାଖାପାଖି ଅଧଘଣ୍ଟାଏ ବିଳମ୍ବରେ କେନ୍ଦ୍ରରେ ପହଞ୍ଚିଥିଲେ।

ବିମାନବନ୍ଦରରୁ ପଟିଆ ପର୍ଯ୍ୟନ୍ତ ରାସ୍ତାକୁ କମିସନରେଟ୍‌ ପୁଲିସ୍‌ ଭିଆଇପି ରୋଡ୍‌ର ଆଖ୍ୟା ଦେଇଛି। ସହରର ବହୁ ବଡ଼ବଡ଼ ହସ୍‌ପିଟାଲ, ଶିକ୍ଷାନୁଷ୍ଠାନକୁ ଯିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା। କଟକକୁ ଯିବା ପାଇଁ ମଧ୍ୟ ଏହା ଏକ ବିକଳ୍ପ ରାସ୍ତା। ଦିନକୁ ଦିନ ଗହଳି ବଢ଼ୁଥିବାରୁ ଟ୍ରାଫିକ୍‌ ଜନିତ ସମସ୍ୟାରୁ ମୁକ୍ତ ରଖିବାକୁ ପାଖାପାଖି ବର୍ଷକ ତଳେ କମିସନରେଟ୍‌ ପୁଲିସ୍‌ ବହୁ ଯୋଜନା କରିଥିଲା। ଏହି ରାସ୍ତାରେ ବେଆଇନ ପାର୍କିଂ, ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ, ଓଭରଟେକିଂ ସହ କୌଣସି ପ୍ରକାରର ଟ୍ରାଫିକ୍‌ ଉଲ୍ଲଂଘନକୁ କ୍ଷମା ଦିଆଯିବ ନାହିଁ ବୋଲି ପୁଲିସ୍‌ ଘୋଷଣା କରିଥିଲା। ଖାଲି ସେତିକି ନୁହେଁ, ପ୍ରଥମ କରି ପରୀକ୍ଷାମୂଳକ ଭାବେ ଲେନ୍‌ ଡ୍ରାଇଭିଂ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଥିଲା। ଲାଗୁ ହେବାର ପ୍ରଥମ କିଛି ଦିନ ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରାଗଲା। ବେଆଇନ ପାର୍କିଂ କଲେ ପୁଲିସ୍‌ କାର୍‌‌ ଚକ‌ରେ ଜାମର୍‌ ଛନ୍ଦିଦେଲା। ଏପରିକି ଡ୍ରୋନ୍‌ ଉଡ଼ାଇ ମଧ୍ୟ ଉଲ୍ଲଙ୍ଘନକାରୀଙ୍କୁ ଧରିଲା। ପୁଲିସ୍‌ର ଏପରି ତତ୍ପରତା ଦେଖି ରାଜଧାନୀବାସୀ ଆଶ୍ବସ୍ତ ହୋଇଗଲେ ଯେ ଅନ୍ତତଃ ଏହି ରାସ୍ତାରେ ଆଉ ଟ୍ରାଫିକ୍‌ ଉଲ୍ଲଙ୍ଘନ ଦେଖିବାକୁ ମିଳିବ ନାହିଁ। କିନ୍ତୁ କିଛି ଦିନ କଡ଼ାକଡ଼ି ଚାଲିବା ପରେ ପୁଲିସ୍‌ ଚୁପ୍‌ ବସି ଯାଇଛି। ନା ଆଉ ଡ୍ରୋନ୍‌ ଉଡୁଛି, ନା କାର୍‌ରେ ଜାମର୍‌ ଛନ୍ଦା ହେଉଛି। ଲେନ୍‌ ଡ୍ରାଇଭିଂ ନିୟମକୁ ବି ଲୋକେ ଭୁଲି ଗଲେଣି।

ରବିବାର ବଡ଼ବାବୁଙ୍କ ଦେଖା ମିଳୁନି
ଆଜି ରବିବାର ହୋଇଥିବାରୁ ଏହି ରାସ୍ତାର ଟ୍ରାଫିକ୍‌ ପରିଚାଳନା ପାଇଁ ଟ୍ରାଫିକ୍‌ ପୁଲିସ୍‌ର ବଡ଼ବଡ଼ ବାବୁଙ୍କ ଦେଖା ମିଳି ନଥିଲା। ତଳିଆ କର୍ମଚାରୀଙ୍କ ହାତରେ ଏହି ଭିଆଇପି ରୋଡ୍‌କୁ ଛାଡ଼ି ଦେଇ ନିଶ୍ଚିତରେ ରହି ଯାଇଥିଲେ। ଫଳରେ ସକାଳେ ହୋଇଥିବା ଟ୍ରାଫିକ୍‌ ସମସ୍ୟାକୁ ହଟାଇବା ପାଇଁ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ରାସ୍ତାରୁ ଜାମ୍‌ ହଟାଇବା ପାଇଁ ପ୍ରାୟ ଘଣ୍ଟାଏରୁ ଊର୍ଧ୍ବ ସମୟ ଲାଗି ଯାଇଥିଲା। କେବଳ ଆଜି ନୁହେଁ, ପ୍ରତି ରବିବାର ସନ୍ଧ୍ୟାରେ ଏଭଳି ଭିଡ଼ ହୋଇଥାଏ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ କମିସନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କମ୍‌ ସମୟ ଭିତରେ ଟ୍ରାଫିକ୍‌ ଶୃଙ୍ଖଳିତ କରାଯାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର