‘ପ୍ରଥମ ମୁକ୍ତିସଂଗ୍ରାମର ଚିରସ୍ମରଣୀୟ ଯୋଦ୍ଧା’ ଜୟୀ ରାଜଗୁରୁ

ବିପ୍ଳବୀ ସହିଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ମହାନ ବିପ୍ଳବୀ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା, ସମ୍ମାନିତ ଅତିଥି ଓଟିଡିସି ଅଧ୍ୟକ୍ଷ ଲେନିନ୍‌ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ପ୍ରଫେସର ବିନୋଦିନୀ ଦାସ ପ୍ରମୁଖ ଯୋଗଦେଇ ବିପ୍ଳବୀ ଜୟୀ ରାଜଗୁରୁଙ୍କ ଜୀବନୀ ସମ୍ପର୍କରେ ଅବତାରଣା କରିଥିଲେ।

ଅତିଥିମାନେ ତାଙ୍କୁ ଦେଶଭକ୍ତ, ପରମଯୋଗୀ, ବିଚକ୍ଷଣ କୁଟନୀତିଜ୍ଞ, ଅର୍ଥନୀତି ବିଶାରଦ, ଶ୍ରେଷ୍ଠ ସଂଗଠକ ଭାବେ ଚିତ୍ରଣ କରିବା ସହ ତାଙ୍କୁ ପ୍ରଥମ ମୁକ୍ତିସଂଗ୍ରାମର ଯୋଦ୍ଧା ଭାବେ ଅଭିହିତ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉତ୍ସବରେ ପୌରୋହିତ୍ୟ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରକାଶିତ ଜୟୀ ରାଜଗୁରୁଙ୍କ ଜୀବନୀ ଓ ଅବଦାନ ଉପରେ ଆଧାରିତ ଏକ ଗବେଷଣାତ୍ମକ ସଂକଳନ ଲୋକାର୍ପିତ ହୋଇଥିଲା। ଶେଷରେ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସଂଚାଳନ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଆଜି ସକାଳେ ଭୁବନେଶ୍ୱରସ୍ଥିତ ଏଜି ଛକଠାରେ ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ। ପରେ ପୂର୍ବାହ୍ନ ୧୧ଟାରେ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ପୁରୀ ଆନୁକୁଲ୍ୟରେ ଜୟଦେବ ଭବନଠାରେ ‘ଓଡ଼ିଶା ତଥା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପଦଧ୍ୱନି-ଜୟୀ ରାଜଗୁରୁଙ୍କ ଜୀବନୀ ଓ ଅବଦାନ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍‌ଘାଟନ କରିଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର