୩୫୬ ସ୍କୁଲରେ ଦିଆଗଲା ଜେଇ ଟିକା

ଭୁବନେଶ୍ୱର : ଜାପାନିଜ୍‌ ଏନସାଫାଇଲେଟିସ୍‌ ବା ଜେଇ ଟିକାକରଣ ପାଇଁ ଶେଷରେ ରାଜି ହୋଇଛନ୍ତି ବେସରକାରୀ ସ୍କୁଲ। ରାଜଧାନୀରେ ଥିବା ବେସରକାରୀ ସ୍କୁଲଗୁଡ଼ିକରେ ଜେଇ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜଧାନୀର ୪୮୩ ସ୍କୁଲ ମଧ୍ୟରୁ ଏ ପର୍ଯ୍ୟନ୍ତ ୩୫୬ଟି ସ୍କୁଲରେ ଜେଇ ଟିକା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଜଧାନୀ ସମେତ ରାଜ୍ୟର ୫ଟି ମହାନଗର ନିଗମରେ ଥିବା ଅନେକ ବେସରକାରୀ ସ୍କୁଲ ଜେଇ ଟିକା ପ୍ରଦାନ ନେଇ ଅସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ୫ ମହାନଗରର କମିସନରଙ୍କ ସମେତ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଟିକା ପ୍ରଦାନରେ ସହଯୋଗ କରିବା ପାଇଁ ଚିଠି ଲେଖିଥିଲେ। ଯେଉଁ ପିଲାଙ୍କୁ ଟିକା ଦିଆଯିବ ନାହିଁ ତାଙ୍କ ଅଭିଭାବକ ଏ ସଂପର୍କରେ ଲିଖିତ ଭାବେ ଜଣାଇବେ ବୋଲି କୁହାଯାଇଥିଲା। ତେବେ ଏହି ଚିଠି ଜାରି ହେବା ପରେ ରାଜଧାନୀର ବେସରକାରୀ ସ୍କୁଲର କର୍ତୃପକ୍ଷ ଓ ଅଭିଭାବକ ଟିକାକରଣରେ ସହଯୋଗ କରୁଥିବା ସୂଚନା ମିଳିଛି। ରାଜଧାନୀରେ ସମୁଦାୟ ୨ଲକ୍ଷ ୨୪ହଜାର ପିଲାଙ୍କୁ ଜେଇ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର