ଭୁବନେଶ୍ବର: ମହାରାଷ୍ଟ୍ର ବାଘୁଣୀ ‘ଜୀନତ୍’କୁ ନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଯମୁନାଗଡ଼ରେ ନିର୍ମାଣ ହୋଇଥିବା ସ୍ବତନ୍ତ୍ର ଖୁଆଡ଼ର ଏବେ ସମ୍ପ୍ରସାରଣ ହେଉଛି। ଖୁଆଡ଼ ପରିସୀମା ବୃଦ୍ଧି କରାଯାଇ ସେଠାରେ ପୂର୍ବରୁ ବସବାସ କରୁଥିବା ଯମୁନାଗଡ଼ ଗ୍ରାମବାସୀଙ୍କ ଇଷ୍ଟ ଦେବାଦେବୀଙ୍କ ବିଜେସ୍ଥଳୀକୁ ଜେସିବି ମାଧ୍ୟମରେ ରାତାରାତି ତାଡ଼ି ଦିଆଯାଉଛି। ଗ୍ରାମବାସୀଙ୍କୁ ଏସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ଦେବାଦେବୀଙ୍କ ବିଜେସ୍ଥଳରେ ପୂଜାର୍ଚ୍ଚନା କରିବାକୁ ଏବେ କାହାରିକୁ ଛଡ଼ାଯାଉ ନାହିଁ। ପରିଣାମ ସ୍ବରୂପ ଏବେ ଗ୍ରାମବାସୀମାନେ ରାଜ୍ୟ ସରକାରଙ୍କ ଦ୍ବରସ୍ଥ ହୋଇଛନ୍ତି। ନିଜ ହକ୍ ପାଇଁ ଲୋୟର ପିଏମ୍ଜିରେ ଧାରଣା ଦେବା ସହ ପିସିସିଏଫ୍(ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟରେ ପହଞ୍ଚି ସିସିଏଫ୍ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଯମୁନାଗଡ଼ରୁ ଭୁବନେଶ୍ବର ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ସେମାନେ ଅଭିଯୋଗ କରିଛନ୍ତି ଯେ ବଂଶାନୁକ୍ରମେ ଯମୁନାଗଡ଼ ଗାଁରେ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ରହି ଆସୁଥିଲୁ। ତା’ସତ୍ତ୍ବେ ୨୦୧୫ ଓ ୨୦୨୨ରେ ଦୁଇଟି ପର୍ଯ୍ୟାୟରେ ବଳପୂର୍ବକ ଆମକୁ ବିସ୍ଥାପନ କରାଗଲା। ଏବେ ଭିଟାମାଟିଠାରୁ ୧୩୦ କିମି ଦୂର ଉଦଳା ବ୍ଲକର ନାବେରା କଲୋନିରେ ଅତି ଦୁର୍ବିଷହ ଅବସ୍ଥାରେ ରହିଛୁ। ଜଙ୍ଗଲ ଅଧିକାର ଆଇନ-୨୦୦୬, ପେସା ଆଇନ-୧୯୯୬ ଓ ଭାରତୀୟ ସମ୍ବିଧାନ ଅଧୀନରେ ମିଳିଥିବା ସ୍ବତନ୍ତ୍ର ଅଧିକାରକୁ ଉଲ୍ଲଂଘନ କରାଯାଇ ସର୍ବହରା କରାଯାଇଛି। ବିସ୍ଥାପିତ ହୋଇଥିଲେ ମଧ୍ୟ ଗ୍ରାମବାସୀମାନେ ଯମୁନାଗଡ଼କୁ ଯାଇ ଶିମିଳିପାଳ ଓ ବନ୍ୟଜନ୍ତୁଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଇଷ୍ଟ ଦେବାଦେବୀ ଓ ପୂର୍ବଜଙ୍କୁ ଉପାସନା କରୁଥିଲୁ। ତେବେ ଏବର୍ଷ ଆରମ୍ଭରୁ ଯମୁନାଗଡ଼ର ପବିତ୍ର ଦେବସ୍ଥଳୀ(ଜାୟାର୍) ଓ କବର ସ୍ଥାନ(ସାସାନ୍ ପିଳି)ଗୁଡ଼ିକରେ ଉପାସନା କରାଇ ଦିଆଯାଉ ନାହିଁ। ଶିମିଳିପାଳ ଟାଇଗର ରିଜର୍ଭର ଅଧିକାରୀମାନେ ବେଆଇନ ଭାବେ ଧାର୍ମିକ ଓ ଆଧ୍ୟାତ୍ମିକ ଅଧିକାରକୁ ନିଷ୍ଠୁରତାର ସହ ପ୍ରତ୍ୟାଖ୍ୟାନ କରୁଛନ୍ତି। ଗ୍ରାମବାସୀଙ୍କ ପରିଚୟ ଓ ଅସ୍ତିତ୍ବକୁ ହତ୍ୟା କରାଯାଉଛି। ଆମ ଅଗୋଚରରେ ଜାୟାର ଓ ସାସାନ୍ ପିଳିଗୁଡ଼ିକୁ ଧ୍ବଂସ କରାଯାଇ ବାଘ ଖୁଆଡ଼ ନିର୍ମାଣ ହୋଇଛି। ଏନେଇ ବାରମ୍ବାର ସ୍ବର ଉଠାଇବା ପରେ ମଧ୍ୟ ଟାଇଗର ରିଜର୍ଭ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉ ନାହାନ୍ତି। ବରଂ ଜାୟାର ଓ ସାସାନ୍ ପିଳିଗୁଡ଼ିକୁ ଜେସିବି ଦ୍ବାରା ଖନନ କରି ବାଘ ଖୁଆଡ଼ ସମ୍ପ୍ରସାରଣ କରୁଛନ୍ତି। ଏବେ ‘ଜୀନତ୍’ର ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ରହିଛି। ସ୍ବାଭାବିକ ଭାବେ ଖାଇବା ବନ୍ଦ କରିଦେଇଥିବା ସେମାନେ କହିଛନ୍ତି।
ତେଣୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଅଧିକାରୀଙ୍କ ଦ୍ବାରା ଧାର୍ମିକ ଓ ଆଧ୍ୟାତ୍ମିକ ଅଧିକାରରୁ ବଞ୍ଚିତ କରିବାର ବେଆଇନ ଉଦ୍ୟମକୁ ତୁରନ୍ତ ବନ୍ଦ କରାଯାଉ। ଯମୁନାଗଡ଼ରେ ସମ୍ପ୍ରସାରଣ କରାଯାଉଥିବା ବାଘ ଖୁଆଡ଼କୁ ତୁରନ୍ତ ସ୍ଥାନାନ୍ତର ହେଉ। ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଦ୍ବାରା ତୁରନ୍ତ ବାଘ ‘ଜୀନତ୍’ର ସ୍ବାସ୍ଥ୍ୟାବସ୍ଥାର ଏକ ଶ୍ବେତପତ୍ର ଘୋଷଣା କରାଯାଉ। ୨୦୧୫ ଓ ୨୦୨୨ରେ ଯମୁନାଗଡ଼ରୁ ବେଆଇନ ବିସ୍ଥାପନର ଏକ ନିରପେକ୍ଷ ଓ ନ୍ୟାୟିକ କମିସନ ଦ୍ବାରା ତଦନ୍ତ ହେଉ। ବାଘ ସଂରକ୍ଷଣ ଆଳରେ ଏଠାରେ ଶିମିଳିପାଳ ଟାଇଗର ରିଜର୍ଭ ଅଧିକାରୀ ଓ ବିଭିନ୍ନ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି, କମ୍ପାନିଙ୍କ ମଧ୍ୟରେ ଚାଲୁଥିବା ମଧୁଚନ୍ଦ୍ରିକା ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।