ଉପସ୍ଥାପନା ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି: ଗୁନ୍‌ଗୁନ୍‌

ଓଡ଼ିଆ ଉପସ୍ଥାପନା ଜଗତର ଅତି ଚିହ୍ନା ନାଁ ଗୁନ୍‌ଗୁନ୍‌। ରାଜଧାନୀରେ ଜାତୀୟ, ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ହେଉ ଅବା ଟେଲିଭିଜନ୍‌ର କୌଣସି ଲୋକପ୍ରିୟ ରିଅଲିଟି ସୋ’; ଗୁନ୍‌ଗୁନ୍‌ଙ୍କ ଉପସ୍ଥିତି ଓ ଉପସ୍ଥାପନା କାର୍ଯ୍ୟକ୍ରମକୁ ଅଧିକ ରଂଗିନ୍‌ କରିଦିଏ। ମାତ୍ର ୬ ବର୍ଷ ବୟସରେ ଶିଶୁ ଉପଯୋଗୀ ଏକ ଟିଭି କାର୍ଯ୍ୟକ୍ରମର ଉପସ୍ଥାପନା କରି ସେ ସମସ୍ତଙ୍କ ନଜରକୁ ଆସିଥିଲେ। ‘ଓମ୍‌ ଶାନ୍ତି ଓମ୍’ ଚଳଚ୍ଚିତ୍ର‌‌‌‌ରେ ଶିଶୁ କଳାକାର ଏବଂ ‘ସାକ୍ଷୀ ରହିଲା ଏ ସିଂହଦୁଆର’, ‘କିଛି ଖଟା କିଛି ମିଠା’ ଆଦି ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବେ କାମ କରିଥିଲେ ହେଁ ‘ଉପସ୍ଥାପନା’ ତାଙ୍କୁ ଅଧିକ ପରିଚିତି ଦେଇଛି। ଏଥରର ସାକ୍ଷାତକାରରେ ‘ସମ୍ବାଦ’ ସହ ତାଙ୍କର ସ୍ବଳ୍ପ ଆଳାପ…

ନାୟିକା ବଦଳରେ ଉପସ୍ଥାପିକା ଭାବେ ପରିଚିତ ହେବାକୁ କାହିଁକି ଶ୍ରେୟ ମଣିଲେ?
ମୁଁ ଜଣେ ପ୍ରଶିକ୍ଷିତା ଓଡ଼ିଶୀ ନୃତ୍ୟଶିଳ୍ପୀ। ତେଣୁ ମଞ୍ଚ ଉପରେ କିମ୍ବା କ୍ୟାମେରା ସମ୍ମୁଖରେ ରହିବା ଛୋଟବେଳୁ ମୋର ଅଭ୍ୟାସ ପାଲଟି ଯାଇଥିଲା। ଭବିଷ୍ୟତରେ ଯେ ଜଣେ ଭଲ ଉପସ୍ଥାପିକା ହେବି, ତା’ ବି କେବେ ଭାବି ନଥିଲି। ନୃତ୍ୟ ହେଉ ବା ଅଭିନୟ, ଯେଉଁଠି ରହିବି, ପ୍ରମୁଖ ଭୂମିକାରେ ରହିବି ବୋଲି ମୋର ଦୃଢ଼ ଇଚ୍ଛା ଥିଲା।

ଓଡ଼ିଶାରେ ଉପସ୍ଥାପନା ଜଗତରେ ଆଗାମୀ ଯୁବପିଢ଼ିଙ୍କ ପାଇଁ କି’ ସୁଯୋଗ ରହିଛି?
ବର୍ତ୍ତମାନ ଓଡ଼ିଶା‌ରେ ଉପସ୍ଥାପନାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ଅଧିକ ସୁଯୋଗ ରହିଛି। ବିଭିନ୍ନ ଟକ୍‌-ସୋ’, କଲେଜ ସୋ’, ରିଅଲିଟି ସୋ’ ବ୍ୟତୀତ ବର୍ଷତମାମ ରାଜ୍ୟର ବିଭିନ୍ନ ସହରରେ ବହୁପ୍ରକାରର ସଭା, ସମ୍ମିଳନୀ, କାର୍ଯ୍ୟକ୍ରମ ଓ ଲାଇଭ୍‌ ସୋ’ ତଥା କନ୍‌ସର୍ଟ ସବୁ ହେଉଛି। ଏହାବ୍ୟତୀତ ବିଭିନ୍ନ ବିବାହ ବା ଅଫିସ୍‌ ପାର୍ଟିର ପରିଚାଳନା ପାଇଁ ବି ଏବେ ଉପସ୍ଥାପକଙ୍କୁ ଖୋଜା ପଡ଼ୁଛି। ବେଳେବେଳେ ଉପସ୍ଥାପକଙ୍କୁ ଅନେକ ଲୋକ ଗୁରୁତ୍ବ ଦିଅନ୍ତି ନାହିଁ। କିନ୍ତୁ ଏକଥା ବି ସତ ଯେ ବିନା ଉପସ୍ଥାପକରେ କୌଣସି କାର୍ଯ୍ୟକ୍ରମ ସଫଳ ହୁଏ ନାହିଁ।

କ୍ୟାରିୟର୍‌ ଆରମ୍ଭ ବେଳର ଓ ଏବେକା ଓଲିଉଡ୍‌ ଇଣ୍ଡଷ୍ଟ୍ରି ଭିତରେ କ’ଣ ଭିନ୍ନତା ବା ଉନ୍ନତି ଅନୁଭବ କରିପାରୁଛନ୍ତି?
ଓଡ଼ିଆ ମନୋରଞ୍ଜନ ଜଗତରେ ଏବେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ପ୍ରତିଭା ପ୍ରଦର୍ଶନର ଅଧିକରୁ ଅଧିକ ମାଧ୍ୟମ ଓ ପ୍ଲାଟ୍‌ଫର୍ମ ସୃଷ୍ଟି ହୋଇଛି। କଳାକାରମାନେ ମଧ୍ୟ ନିଜକୁ ଅଧିକ ଦକ୍ଷ କଲେଣି। କିନ୍ତୁ ଏସବୁ ଭିତରେ ଆମ ନିର୍ମାଣ ଶୈଳୀରେ ପରିବର୍ତ୍ତନ ହୋଇପାରିଲା ନାହିଁ। ଆମ ଅନୁନ୍ନତ ନିର୍ମାଣଶୈଳୀ ଯୋଗୁଁ ଆମେ ବହୁ ପଛରେ ରହି ଯାଇଛୁ।

ଉପସ୍ଥାପନାରେ ଅଶୁଦ୍ଧ ଭାଷାର ବ୍ୟବହାରକୁ ନେଇ ଅନେକ ସମୟରେ ଅଭିଯୋଗ ଆସେ। ସେ ବାବଦରେ କ’ଣ କହିବେ?
ଉପସ୍ଥାପନା କଥିତ ଭାଷାରେ ହେଲେ, ତାହା ଦର୍ଶକଙ୍କ ପାଖରେ ଅଧିକ ଗ୍ରହଣୀୟ ହୋଇପା‌ରେ। ଏଣୁ ସାଧାରଣତଃ ସୋ’ଗୁଡ଼ିକରେ କଥିତ ଭାଷାରେ ଉପସ୍ଥାପନା କରାଯାଏ। କିନ୍ତୁ ଏଭଳି କିଛି କିଛି କାର୍ଯ୍ୟକ୍ରମ ବି ରହିଛି, ଯେଉଁଠାରେ ଆମକୁ ଶୁଦ୍ଧ ତଥା ମାର୍ଜିତ ଓଡ଼ିଆ, ହିନ୍ଦୀ ବା ଇଂରାଜୀ କହିବାକୁ ପଡ଼ିଥାଏ। ଏଣୁ ଜଣେ ଉପସ୍ଥାପକ/ଉପସ୍ଥାପିକାର ଭାଷା ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ରହିବା ଉଚିତ। ଏପରି ହେଲେ ଭାଷାଗତ ଶୁଦ୍ଧତାକୁ ନେଇ ଆଉ ଅଭିଯୋଗ ଆସିବ ନାହିଁ।

ଉପସ୍ଥାପକ ହେବା ପାଇଁ ଜଣଙ୍କ ପାଖରେ କି’ କି’ ଦକ୍ଷତା ରହିବା ଆବଶ୍ୟକ?
ଭଲ ଉପସ୍ଥାପକ ହେବା ପାଇଁ ଜଣଙ୍କୁ ଭଲ ଶ୍ରୋତା ଓ ଭଲ ନିରୀକ୍ଷକ ହେବା ଆବଶ୍ୟକ। ଏହାସହ ବିଭିନ୍ନ ବିଷୟରେ ଜ୍ଞାନ ଓ ଉପସ୍ଥିତ ବୁଦ୍ଧି ରହିଥିବା ନିହାତି ଆବଶ୍ୟକ।

ଅବସର ସମୟରେ କ’ଣ କରନ୍ତି?
ପରିବାର ଓ ମୋ ଦୁଇ ଭଲ ସାଙ୍ଗ ସହ ସମୟ ବିତାଏ।

ସମ୍ବନ୍ଧିତ ଖବର